ଚାଷୀ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ, ତ୍ବରିତ୍‌ ସମାଧାନ ଲାଗି କମିଟି ଗଠନ କର

ନୂଆଦିଲ୍ଲୀ : ବିବାଦୀୟ କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଚାଲିଥିବା କଥାବାର୍ତ୍ତାରୁ କୌଣସି ସମାଧାନର ବାଟ ବାହାରି ପାରୁନି। ଉକ୍ତ ପ୍ରସଙ୍ଗରେ ତ୍ବରିତ ସମାଧାନର ବାଟ ବାହାର କରିବାକୁ ପଡ଼ିବ। କୃଷକ ନେତାଙ୍କ ସହ ସରକାରଙ୍କ କଥାବାର୍ତ୍ତା ବାରମ୍ବାର ବିଫଳ ହେଉଛି ଏବଂ ଏହା ପୁଣିଥରେ ବିଫଳ ହୋଇପାରେ। ତେଣୁ ଉକ୍ତ ମାମଲାର ସମାଧାନ ପାଇଁ ସମସ୍ତ ପକ୍ଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସମସ୍ତ ପକ୍ଷର ପ୍ରତିନିଧି ତଥା କୃଷକ ସଂଗଠନ ଏବଂ ସରକାରୀ ପ୍ରତିନିଧି ଏବଂ ଅନ୍ୟ ସମସ୍ତ ପକ୍ଷଙ୍କୁ ନେଇ ଏକ କମିଟି ଗଠନ କରାଯାଉ ଏବଂ ଏହି କମିଟି ହିଁ କଥାବାର୍ତ୍ତା କରି ସମସ୍ୟାର ସମାଧାନ ବାହାର କରିପାରିବେ ବୋଲି କୋର୍ଟ କହିଛନ୍ତି। କୋର୍ଟ ଏହି ମାମଲାରେ କେନ୍ଦ୍ର, ଦିଲ୍ଲୀ, ପଂଜାବ ଏବଂ ହରିୟାଣା ସରକାରକୁ ନୋଟିସ୍‌ ଜାରି କରିଛନ୍ତି ଏବଂ ଆସନ୍ତାକାଲି ସୁଦ୍ଧା ଏହି ମାମଲାରେ ଜବାବ ରଖିବାପାଇଁ କହିଛନ୍ତି।

ସରକାର ଏବଂ କୃଷକ ପ୍ରତିନିଧିଙ୍କ ମଧ୍ୟରେ ୫ ରାଉଣ୍ଡ୍‌ ବୈଠକ ହୋଇସାରିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କୃଷକମାନଙ୍କୁ ଭେଟିଛନ୍ତି। କିନ୍ତୁ କୃଷକମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ଆଇନକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ଚାହିଛନ୍ତି। ତେବେ ସରକାର ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହଟା କୋର୍ଟରେ କହିଛନ୍ତି। କୃଷକଙ୍କ ସ୍ବାର୍ଥରେ ବାଧା ଉପୁଜିବା ଭଳି କୌଣସି କାର୍ଯ୍ୟ ସରକାର କରିବେ ନାହିଁ ବୋଲି ମେହଟା କହିଛନ୍ତି। ‌ତେବେ ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେ କହିଛନ୍ତି, ସରକାରଙ୍କ କଥାରେ କୃଷକ ସଂଗଠନ ରାଜି ନୁହନ୍ତି। ତେଣୁ କଥାବାର୍ତ୍ତା ପୁଣିଥରେ ବିଫଳ ହେବ। ଯଦି ସରକାର କଥାବାର୍ତ୍ତା ଦ୍ବାରା ସମାଧାନ ଚାହୁଛନ୍ତି ତେବେ ଏଥିପାଇଁ କୌଣସି କୃଷକ ନେତାଙ୍କ ସମର୍ଥନ ରହିଛି କି ବୋଲି ବୋବଡେ୍‌ ପ୍ରଶ୍ନ କରିଛନ୍ତି। କୋର୍ଟ ଆସନ୍ତାକାଲି ତଥା ଡିସେମ୍ବର ୧୭ରେ ଉକ୍ତ ମାମଲାର ଜରୁରୀ ଶୁଣାଣି ରଖିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କୃଷକ ଆନ୍ଦୋଳନକୁ ସମର୍ଥନ ଏବଂ ବିରୋଧ କରି ବିଭିନ୍ନ ଆଇନଜୀବୀ ଏବଂ ଆଇନ ଛାତ୍ରଙ୍କ ଦ୍ବାରା ସୁପ୍ରିମକୋର୍ଟରେ ହୋଇଥିବା କିଛି ଆବେଦନ ଉପରେ ଆଜି ଶୁଣାଣି ଥିଲା। ଶୁଣାଣି ସମୟରେ କୌଣସି କୃଷକ ନେତା ଉପସ୍ଥିତ ନଥିଲେ। କୋର୍ଟ ଏନେଇ ‌କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସରକାର କ’ଣ କୃଷକଙ୍କ ରାସ୍ତା ବନ୍ଦ କରିଦେଇଛନ୍ତି କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମେହଟା କହିଥିଲେ ସରକାର କାହାର ରାସ୍ତା ଅବରୋଧ କରିନାହାନ୍ତି।

ସମ୍ବନ୍ଧିତ ଖବର