ଭାରତରେ ତୃତୀୟ କରୋନା ମୃତ୍ୟୁ, ଦେଶବ୍ୟାପୀ ୧୩୭ ଆକ୍ରାନ୍ତ

୫୪ ହଜାର ଲୋକ ଗୋଷ୍ଠୀ ନିରୀକ୍ଷଣ ବ୍ୟବସ୍ଥାରେ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ଆତଙ୍କର କାରଣ ପାଲଟିଥିବା କରୋନା ଭାଇରସ ମହାମାରୀର ପ୍ରକୋପ ଭାରତରେ ଧୀରେ ଧୀରେ ବଢ଼ିବାରେ ଲାଗିଛି। ବିଶ୍ବବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୬,୦୦୦ରେ ପହଞ୍ଚିଥିବା ବେଳେ ଭାରତରେ ୧୩୮ ଜଣ କରୋନା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆଜି ମୁମ୍ବାଇରେ ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇବା ପରେ ଭାରତରେ ମୃତ୍ୟୁ ସଂଖ୍ୟା ଏବେ ୩ରେ ପହଞ୍ଚିଛି। ପ୍ରଥମେ କର୍ଣ୍ଣାଟକର କଲବର୍ଗିରେ ଜଣେ ୭୬ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ପରେ ଦିଲ୍ଲୀରେ ଜଣେ ୬୮ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଆଜି ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ ବର୍ଷୀୟା ମହିଳା କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ସେ ନିକଟରେ ଦୁବାଇରୁ ଫେରିଥିଲେ। ଦେଶରେ ଏବେ ମୋଟ ୫୪ ହଜାର ଲୋକଙ୍କୁ ଗୋଷ୍ଠୀ ନିରୀକ୍ଷଣ ବ୍ୟବସ୍ଥାରେ ରଖାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଏମାନେ ସମସ୍ତେ କରୋନା ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ସେମାନଙ୍କ ସଂପର୍କରେ ସରକାର ଅହରହ ରିପୋର୍ଟ ମଧ୍ୟ ସଂଗ୍ରହ କରୁଛନ୍ତି। ଆଜି ହରିୟାଣା ଏବଂ ପଶ୍ଚିମବଂଗରେ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକରେ ୩ଟି, ନଏଡ଼ାରେ ୨ଟି ଏବଂ ମହାରାଷ୍ଟ୍ରରେ ୨ଟି ନୂଆ ମାମଲା ସାମ୍ନାକୁ ଆସିଛି। ମାଲେସିଆରୁ ଫେରିଥିବା ଜଣେ ମହିଳା କରୋନା ଆକ୍ରାନ୍ତ ହୋଇଥିବା ହରିୟାଣା ସରକାର ସୂଚନା ଦେଇଛନ୍ତି। ୧୩୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିବାରୁ ଏବେ ସରକାରୀ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ କରିବାକୁ ଚିନ୍ତା କରାଯାଉଛି। ତେବେ ମାମଲା ନିୟନ୍ତ୍ରଣରେ ଥିବା ପର୍ଯ୍ୟନ୍ତ ଏହି ସେବା ଜାରି ରହିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। କେରଳରେ ୨ ଜଣ ବିଦେଶୀ ନାଗରିକଙ୍କ ସମେତ ୨୪ ଜଣ ଭାଇରସ୍‌ ସଂକ୍ରମିତ ହୋଇଛି।

ସମ୍ବନ୍ଧିତ ଖବର