ଚାଷୀ ମଲେ ପରିବାରକୁ ୨ ଲକ୍ଷ

କୋଲକାତା: ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାର ଚାଷୀମାନଙ୍କ ହିତ ପାଇଁ ଆଜି ବ୍ୟାପକ ସ୍କିମ୍‌ ଘୋଷଣା କରିଛନ୍ତି। ଚାଷୀମାନଙ୍କୁ ଏକର ପିଛା ୫,୦୦୦ ଟଙ୍କା ସହାୟତା ସହିତ ରାଜ୍ୟରେ ଚାଷୀଙ୍କ ମୃତ୍ୟୁ ଘଟିଲେ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ ବୋଲି ଘୋଷଣା କରାଯାଇଛି।
ଏ ନେଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ୧୮ରୁ ୬୦ ବର୍ଷ ବୟସର ଯେ କୌଣସି ଚାଷୀଙ୍କର ସ୍ବାଭାବିକ କିମ୍ବା ଅସ୍ବ‌ାଭାବିକ ମୃତ୍ୟୁ ଘଟିଲେ, ରାଜ୍ୟ ସରକାର ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଯୋଗାଇଦେବେ। ତାଙ୍କ କହିବାନୁଯାୟୀ ରାଜ୍ୟରେ ମୋଟ ୭୨ ଲକ୍ଷ ଚାଷୀ ପରିବାର ଅଛନ୍ତି। ଚାଷୀ ଓ ଚାଷୀଙ୍କ ପରିବାର ପ୍ରତି କୌଣସି ବିପଦ ଯେମିତି ନଆସେ, ତାହାକୁ ନଜରରେ ରଖି ଆମେ ସ୍କିମ୍‌ ଆଣିଛୁ। ନୂଆବର୍ଷ ପ୍ରଥମ ଦିନରୁ ଏହି ସ୍କିମ୍‌ ଲାଗୁ ହେବ ଏବଂ ଫେବ୍ରୁଆରି ୧ରୁ ଚାଷୀମାନେ ସ୍କିମ୍‌ର ଲାଭ ଉଠାଇବା ପାଇଁ ଆବେଦନ କରିପାରିବେ। ରାଜ୍ୟ ଚାଷୀଙ୍କ ଜୀବନ ଭଲରେ କଟୁ। ଏମିତି କି କୌଣସି ଅଘଟଣ ଘଟିଲେ, ସେମାନଙ୍କ ପରିବାରର ଭବିଷ୍ୟତ ‌ଯେମିତି ଭଲରେ କଟେ, ତାହାର ବ୍ୟବସ୍ଥା ବି ହେବ। ବିଜେପିକୁ ସମାଲୋଚନା କରି ମମତା କହିଛନ୍ତି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମିଛରେ ଦାବି କରୁଛନ୍ତି ଯେ ପଶ୍ଚିମବଙ୍ଗ ଚାଷୀଙ୍କ କୃଷି ବୀମା ଯୋଗାଇ ଦିଆଯ‌ାଇଛି। କିନ୍ତୁ ସେଭଳି କିଛି କରାଯାଇ ନାହିଁ।

ସମ୍ବନ୍ଧିତ ଖବର