ୟୁଆଇଡିଏଆଇ ଉନ୍ମାଚନ କଲା ବିଟା ଭର୍ସନର ଭର୍ଚୁଆଲ ଆଇଡି; ଆଉ ଆବଶ୍ୟକ ପଡ଼ିବନି ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର

ଅନ୍‌ଲାଇନ୍‌ରେ କରିହେବ ଆଧାରରେ ଠିକଣା ପରିବର୍ତ୍ତନ

ନୂଆଦିଲ୍ଲୀ: ଆଧାରକାର୍ଡ ବ୍ୟବସ୍ଥାରେ ଆଜି ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) କର୍ତ୍ତୃପକ୍ଷ। ଆଧାରକାର୍ଡ଼ ବ୍ୟବସ୍ଥାରେ ବହୁ ପ୍ରତୀକ୍ଷିତ (ଭର୍ଚୁଆଲ ଆଇଡି)ର ବିଟା ସଂସ୍କରଣ(ଭର୍ସନ)କୁ ଉନ୍ମୋଚନ କରିଛନ୍ତି ୟୁଆଇଡିଏଆଇ କର୍ତ୍ତୃପକ୍ଷ। ଏହି ନୁତନ ବ୍ୟବସ୍ଥା କାର୍ଯ୍ୟକରୀ ହେଲେ ଆଉ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବରର ଆବଶ୍ୟକତା ପଡ଼ିବ ନାହିଁ; ଏହା ବଦଳରେ ଭର୍ଚୁଆଲ ଆଇଡିର ବ୍ୟବହାର କରି ଆଧାର ସଂପର୍କିତ ସମସ୍ତ କାର୍ଯ୍ୟ ସଂପାଦନ କରିହେବ।

ଏହି ବିଟା ଭର୍ସନରେ ବ୍ୟବହାରକାରୀମାନେ ସେମାନଙ୍କର ନିଜସ୍ୱ ଭର୍ଚୁଆଲ ଆଇଡି ସୃଷ୍ଟି ବା ପ୍ରସ୍ତୁତ କରିପାରିବେ। ପରେ ଅନ୍‌ଲାଇନ୍‌ରେ ଏହି ଭର୍ଚୁଆଲ ଆଇଡିକୁ ବ୍ୟବହାର ସେମାନଙ୍କ ଆଧାରକାର୍ଡରେ ରହିଥିବା ଠିକଣାର ପରିବର୍ତ୍ତନ ବା ନବୀକରଣ କରିପାରିବେ। ପୂର୍ବରୁ ଆଧାରକାର୍ଡରେ ଠିକଣା ପରିବର୍ତ୍ତନ ବ୍ୟବସ୍ଥାର ସରଳୀକରଣ କରାଯିବ ବୋଲି ୟୁଆଇଡିଏଆଇ କର୍ତ୍ତୃପକ୍ଷ ଘୋଷଣା କରିଥିଲେ।


ଏଥିସହ ଏହି ନୂତନ ବ୍ୟବସ୍ଥାରେ ବିଭିନ୍ନ କ୍ଷେତ୍ରରେ ଯାଞ୍ଚ ଓ ଚିହ୍ନଟ ପ୍ରକ୍ରିୟା କାଳରେ ମଧ୍ୟ ଆଉ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବରର ଆବଶ୍ୟକତା ପଡ଼ିବ ନାହିଁ କେବଳ ମାତ୍ର ଭର୍ଚୁଆଲ ଆଇଡି (ଭିଆଇଡି) ନମ୍ବର ଉଲ୍ଲେଖ କଲେ ଆଧାର ସହ ଜଡ଼ିତ ଯାଞ୍ଚ ଓ ଚିହ୍ନଟ ପ୍ରକ୍ରିୟା ସଂପନ୍ନ ହୋଇପାରିବ। ତେବେ, ବର୍ତ୍ତମାନ ପାଇଁ କେବଳ ମାତ୍ର ଆଧାରକାର୍ଡରେ ଅନ୍‌ଲାଇନ୍‌ରେ ଠିକଣା ପରିବର୍ତ୍ତନ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ।

ତେବେ, ଖୁବ୍‌ ଶୀଘ୍ର ଅନ୍ୟାନ୍ୟ କ୍ଷେତ୍ର, ଯେଉଁସବୁ କ୍ଷେତ୍ରରେ ଆଧାରକାର୍ଡକୁ ଏକ ପରିଚୟ ପତ୍ର ରୂପେ ବ୍ୟବହାର କରାଯାଉଛି ସେସବୁ କ୍ଷେତ୍ରରେ ମଧ୍ୟ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବରର ଆବଶ୍ୟକତା ପଡ଼ିବ ନାହିଁ; ବରଂ ଭର୍ଚୁଆଲ ଆଇଡି (ଭିଆଇଡି) ବ୍ୟବହାର କରି ଯାଞ୍ଚ ଓ ଚିହ୍ନଟ ପ୍ରକ୍ରିୟାକୁ ସଂପନ୍ନ କରିହେବ। ଯାହା ଫଳରେ ଆଧାରରେ ଥିବା ବ୍ୟକ୍ତିର ବାୟୋମାଟ୍ରିକ୍ସ ଡାଟା ଅଧିକ ସୁରକ୍ଷିତ ଓ ନିରାପଦ ରହିପାରିବ ବୋଲି ୟୁଆଇଡିଏଆଇ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର