କଟକଣାକୁ ରୁଷ୍‌ର ବେଖାତିର: ଆକ୍ରମଣ ଲାଗି ପ୍ରସ୍ତୁତି, ବେଲାରୁସ୍‌ରେ ବିଶାଳ ସୈନ୍ୟ ଛାଉଣି

ଭାରୀ ଯୁଦ୍ଧାସ୍ତ୍ର ଓ କ୍ଷେପଣାସ୍ତ୍ର ମୁତୟନ, ଆତଙ୍କ ସୃଷ୍ଟି କରୁଛି ଆମେରିକା: ଚୀନ

ମସ୍କୋ : ୟୁକ୍ରେନ ସଙ୍କଟ ଟଳିବାର ସମ୍ଭାବନା ଦେଖାଯାଉ ନାହିଁ। ରୁଷ ଏହାର ଜିଦରେ ଅଟଳ ରହିଛି ଏବଂ ‌ଯେକୌଣସି ମୁହୂର୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। ୟୁକ୍ରେନରେ ଥିବା ଏହାର ସମସ୍ତ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳ ଡୋନେସ୍କ ଏବଂ ଲୁହାଂସ୍କକୁ ରୁଷ୍‌ ସ୍ବତନ୍ତ୍ର ରାଷ୍ଟ୍ର ‌ଘୋଷଣା କରିବା ସହ ବିଶାଳ ସାମରିକ ଅଭିଯାନ କରିବାକୁ ଯାଉଛି। ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନ୍ୟ ସହିତ ଟ୍ୟାଙ୍କ ଓ କ୍ଷେପଣାସ୍ତ୍ର ମୁତୟନ କରିଛି। ରୁଷ ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଯେ ଦେଶର ସ୍ବାର୍ଥ ଏବଂ ନାଗରିକଙ୍କ ସୁରକ୍ଷାରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ତାଙ୍କର ଏଭଳି ଆଭିମୁଖ୍ୟ ଫଳରେ ଶାନ୍ତିପୂର୍ଣ୍ଣ ସମାଧାନ ଆଶା ମୁଲିଯାଇଛି।

ଅନ୍ୟପକ୍ଷରେ ରୁଷ୍‌ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏକଜୁଟ୍‌ ହୋଇଛନ୍ତି। ଆମେରିକା, ବ୍ରିଟେନ୍‌ ଏବଂ ୟୁରୋପୀୟ ସଂଘ ରୁଷ୍‌ ବିରୋଧରେ କଟକଣା ଲଗାଇଛନ୍ତି ଏବଂ ଆଗକୁ ଏହି କଟକଣା ଅଧିକ କଠୋର ହେବ ବୋଲି ଚେତାବନୀ ଦେଇଛନ୍ତି। ଆଜି ବ୍ରିଟେନ୍‌-ଆମେରିକା ଏବଂ ୟୁରୋପୀୟ ସଂଘ ନେତାଙ୍କ ମଧ୍ୟରେ ୟୁକ୍ରେନ୍‌ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି ଏବଂ ସମସ୍ତେ ଏକସ୍ବରରେ ରୁଷ୍‌କୁ ନିନ୍ଦା କରିଛନ୍ତି। ଆମେରିକା କହିଛି ‌ଯେ ରୁଷ ୟୁକ୍ରେନ ଆକ୍ରମଣ କଲେ ୫୦ ହଜାର ଲୋକ କ୍ଷତିଗ୍ରସ୍ତ ହେବେ ଏବଂ ସେଠାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ।

BBC

କିନ୍ତୁ ପାଶ୍ଚାତ୍ୟ ରାଷ୍ଟ୍ରର କୌଣସି କଟକଣା/ଚେତାବନୀକୁ ରୁଷ୍‌ ଖାତିର ନକରି ୟୁକ୍ରେନ୍‌ ସୀମାରେ ସୈନ୍ୟ ମୁତୟନ ବଢ଼ାଇବା ସହ ସ୍ବାଧୀନ ଘୋଷଣା କରିଥିବା ପୂର୍ବ ୟୁକ୍ରେନ୍‌ ଅଞ୍ଚଳକୁ ବିପୁଳ ସୈନ୍ୟ ପଠାଇବା ପ୍ରକ୍ରିୟା ଜାରି ରଖିଛି। ନୂଆ ଉପଗ୍ରହ ଚିତ୍ରରେ ଦେଖିବାକୁ ମିଳିଛି ଯେ ୟୁକ୍ରେନ୍‌ ସୀମା ନିକଟସ୍ଥ ଦକ୍ଷିଣ ବେଲାରୁସ୍‌ରେ ରୁଷ୍‌ ଅଧିକ ସେନା ମୁତୟନ କରିଛି ଏବଂ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ଠୁଳ କରିଛି। ୟୁକ୍ରେନ୍‌ ସୀମାଠାରୁ ମାତ୍ର ୪୦ କିମି ଦୂରରେ ରୁଷ୍‌ର ବିଭିନ୍ନ ରେଂଜ୍‌ର କ୍ଷେପଣାସ୍ତ୍ର ସବୁ ସଜ୍ଜିତ ହୋଇ ରହିଛି। ଶତାଧିକ ବିଶାଳ ସାମରିକ ଯାନରେ ଅତ୍ୟାଧୁନିକ ଯୁଦ୍ଧ ଉପକରଣ ଆଜି ପହଞ୍ଚିଛି।

ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ରୁଷ୍‌ କୂଟନୈତିକ ସମାଧାନ ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ରୁ୍‌ଷ୍‌ର ସ୍ବାର୍ଥ ଏବଂ ସୁରକ୍ଷା କ୍ଷେତ୍ରରେ କୌଣସି ଆଲୋଚନାର ପ୍ରଶ୍ନ ଉଠୁନାହିଁ। ଡିଫେଣ୍ଡର୍‌ ଅଫ୍‌ ଦି ଫାଦରଲାଣ୍ଡ୍‌ ଡେ’ ଅବସରରେ ପୁଟିନ ଆଜି ଉଦ୍‌ବୋଧନ ଦେଇ କହିଛନ୍ତି, ଆମ ରାଷ୍ଟ୍ର କୌଣସି ଜଟିଳ ସମସ୍ୟାର କୂଟନୈତିକ ସମାଧାନ ପାଇଁ ଉନ୍ମୁକ୍ତ। କିନ୍ତୁ ରୁଷ୍‌ର ସ୍ବାର୍ଥ ଏବଂ ନାଗରିକଙ୍କ ସୁରକ୍ଷାରେ କୌଣସି ପ୍ରକାର ସାଲିସ କରାଯାଇପାରିବନି। ରୁଷ୍‌ର ସ୍ବାର୍ଥ ଏବଂ ନାଗରିକଙ୍କ ସୁରକ୍ଷାକୁ ନେଇ ଆମେ କାହା ସହିତ ଆଲୋଚନା ଚାହୁନାହୁଁ ବୋଲି ପୁଟିନ୍‌ କହିଛନ୍ତି।

ୟୁକ୍ରେନ୍‌ ସଙ୍କଟର ସମାଧାନ ବାଟ ଖୋଜିବା ପରିବର୍ତ୍ତେ ଆମେରିକା ଏହି ପ୍ରସଙ୍ଗରେ କେବଳ ଭୟ ଓ ଆତଙ୍କ ସୃଷ୍ଟି କରିଚାଲିଛି ବୋଲି ଚୀନ୍‌ କହିଛି। ଆମେରିକା ଓ ଅନ୍ୟ କେତେକ ରାଷ୍ଟ୍ର ରୁଷ ବିରୋଧରେ ଏକାପାଖିଆ କଟକଣା ଲାଗୁ କରିଛନ୍ତି, ତାହା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଚୀନ୍‌ ଦୃଢ଼ ବିରୋଧ କରୁଛି । ୟୁକ୍ରେନ୍‌କୁ ଆମେରିକା ଅସ୍ତ୍ର ଯୋଗାଇ ରୁଷ୍‌ରେ ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିଛି ଏବଂ ଏହି ଅନର୍ଥ ପଛରେ ଆମେରିକାର ଭୂମିକା ଅଧିକ ବୋଲି ଚୀନ୍‌ ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର