ମୋଦୀଙ୍କ ବିରୋଧରେ ଦେଇଥିବା ବିବୃତିକୁ ଖଣ୍ଡନ କରିବା ପରେ ବି ସୋସିଆଲ ମିଡିଆରେ କରାଯାଉଛି ଭାଇରାଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଦେଇଥିବା ବିବୃତିକୁ ନେଇ ପୁଣି ଥରେ ସ୍ପଷ୍ଟୀକରଣ ଦେଇଛନ୍ତି।

୧୭ ବର୍ଷ ପୂ‌‌ର୍ବେ ଦେଇଥିବା ବିବୃତିକୁ ନେଇ ଉମା ଭାରତୀ କହିଛନ୍ତି, ମୁଁ ଏହାକୁ ପୂର୍ବରୁ ଖଣ୍ଡନ କରି ସାରିଛି।  କିନ୍ତୁ ସୋସିଆଲ ମିଡିଆ ଜରିଆରେ ଏହି ବିବୃତିକୁ ବାରମ୍ବାର ପୋଷ୍ଟ କରାଯାଉଛି।  ଏଥିସହିତ ମୁଁ ଏହାକୁ ଖଣ୍ଡନ କରିଛି ବୋଲି କୌଣସି ସୂଚନା ବି ଦିଆଯାଉନାହିଁ।

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ୨୦୦୭ରେ ଭାରତୀୟ ଜନତା ପାର୍ଟିରୁ ଅଲଗା ହୋଇ ଭାରତୀୟ ଜନଶକ୍ତି ନାମରେ ଏକ ପାର୍ଟି ଗଠନ କରିଥିଲେ। ସେ ସମୟରେ ସେ ଗୁଜୁରାଟ ୟୁନିଟରେ ବି ନିଜ ଦଳର ପ୍ରାର୍ଥୀଙ୍କୁ ଛିଡ଼‌ା କରିଥିଲେ। ଯେତେବେଳେ ଉମା ପ୍ରଚାର ପାଇଁ ଗୁଜୁରାଟରେ ପହଞ୍ଚିଥିଲେ ସେତେବେଳେ ସେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ବିବୃତି ଦେଇଥିଲେ।

ସୋସିଆଲ ମିଡିଆରେ ଏହି ବିବୃତି କ୍ରମାଗତ ଭାବେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ଉମା ଦୁଃଖୀତ ହୋଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଗୁଜୁରାଟରେ ପହଞ୍ଚିବା ପରେ ନିଶ୍ଚିତ ଭାବରେ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ବିବୃତି ଦେଇଥିଲି, କିନ୍ତୁ ଗୁଜୁରାଟ ଗସ୍ତ ସମୟରେ ବିକାଶମୂଳକ କାର୍ଯ୍ୟ ଦେଖିଥିଲି ମୋର ବିବୃତିକୁ ନେଇ ଗଭୀର ଅନୁତାପ କରିଥିଲି।

ଏହାପରେ ମୁଁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦେଇଥିବା ବିବୃତିର ପ୍ରତ୍ୟାଖ୍ୟାନ କରିଥିଲି। ଏହା ସତ୍ତ୍ବେ ବି ପୁରୁଣା ବିବୃତିକୁ ସୋସିଆଲ ମିଡିଆରେ ବାରମ୍ବାର ଭାଇରାଲ କରାଯାଉଛି। ଏହାର ଉଦ୍ଦେଶ୍ୟ କ’ଣ ମୁଁ ବୁଝି ପ‌ାରୁନାହିଁ।’

ସମ୍ବନ୍ଧିତ ଖବର