ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ: ଭାରତୀୟ ଝିଅ ଲିସିପ୍ରିୟା ଜାତିସଂଘ ମୁଖ୍ୟଙ୍କ ମନ ଜିଣିଲେ

ମାଦ୍ରିଦ୍‌: ଭାରତରୁ ୮ ବର୍ଷର କୁନି ଝିଅ ଲିସିପ୍ରିୟା କଙ୍ଗୁଜାମ୍‌ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସିଓପି-୨୫ରେ ଯୋଗ ଦେଇ ଇତିହାସ ରଚିଛନ୍ତି। ସ୍ପେନ୍‌ ରାଜଧାନୀ ମଦ୍ରିଦ୍‌ରେ ଗତ ଡିସେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ଜାତିସଂଘର ସିଓପି-୨୫ ସମ୍ମିଳନୀ ଶୁକ୍ରବାର ଶେଷ ହୋଇଛି। ଏହି ସମ୍ମିଳନୀରେ ଲିସିପ୍ରିୟାଙ୍କ ଅଂଶଗ୍ରହଣ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଲିସିପ୍ରିୟାଙ୍କ କାର୍ଯ୍ୟକୁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗେଟର୍ସ ପ୍ରଶଂସା କରିଛନ୍ତି।

ଗୁରୁବାର ଲିସିପ୍ରିୟା ଜାତିସଂଘ ମୁଖ୍ୟ ଆଣ୍ଟୋନିଓଙ୍କୁ ଭେଟିଥିଲେ ଏବଂ ବିଶ୍ବର ଶିଶୁଙ୍କ ତରଫରୁ ସେ ଜାତିସଂଘ ମୁଖ୍ୟଙ୍କୁ ଏକ ସ୍ମାରକପତ୍ର ଦାଖଲ କରିଥିଲେ। ଲିସିପ୍ରିୟାଙ୍କ ଦ୍ବାରା ଦାଖଲ ହୋଇଥିବା ୪ ପୃଷ୍ଠାର ସ୍ମାରକପତ୍ରରେ ସମସ୍ତଙ୍କ ପାଇଁ ଏକ ଉତ୍ତମ ବିଶ୍ବ ସୃଷ୍ଟି ନିମନ୍ତେ ଜଳବାୟୁ ପରିବର୍ତ୍ତନ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି। ଆଣ୍ଟୋନିଓ ଲିସିପ୍ରିୟାଙ୍କ କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭବିଷ୍ୟତ ପିଢ଼ି ପାଇଁ ଲିସିପ୍ରିୟା ଜ‌ଣେ ମାର୍ଗଦର୍ଶକ। ଭବିଷ୍ୟତ ପିଢ଼ିପାଇଁ ବିଶ୍ବର ଦାୟିତ୍ବ ରହିଛି ଏବଂ ଲିସିପ୍ରିୟା ଏକଥା ଆମକୁ ମନେ ପକାଇ ଦେଇଛନ୍ତି ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି।

ମଣିପୁରର ଏହି ଯୁବ ଜଳବାୟୁ ସାମାଜିକ କର୍ମୀ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦର ଏକ ସ୍ବତନ୍ତ୍ର ଅଧିବେଶନ ପାଇଁ ଦାବି କରିଥିଲେ। ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ୨୧ଟି ଦେଶରେ ଭାଷଣ ରଖିଥିବା ଲିସିପ୍ରିୟା ସିଓପି୨୫ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ବିଶ୍ବ‌ ନେତାମାନଙ୍କୁ କାର୍ଯ୍ୟ କରିବାପାଇଁ ଅନୁରୋଧ କରିଥିଲେ। ସ୍ପେନ୍‌ର ଖବରକାଗଜରେ ତାଙ୍କୁ ‘ ଗ୍ରେଟା’ ଅଫ୍‌ ଦି ଗ୍ଲୋବାଲ୍‌ ସାଉଥ୍‌ ଭାବେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର