୧୦୦ ଦିନ ପରେ କୋଭିଡ୍‌କୁ ହରାଇଲେ ୟୁପି ମହିଳା

ମିରଟ୍‌ : ଦୀର୍ଘ ୧୦୦ ଦିନ ପରେ ଉତ୍ତରପ୍ରଦେଶର ଜଣେ ମହିଳା ଶେଷରେ କୋଭିଡ୍‌କୁ ହରାଇଛନ୍ତି। କରୋନା ସଂକ୍ରମିତ ହୋଇଥିବା ୪୫ ବର୍ଷୀୟା ଅର୍ଚ୍ଚନା ଦେବୀଙ୍କୁ ଗତ ଏପ୍ରିଲ ୨୧ ତାରିଖରେ ମିରଟ ସ୍ଥିତ ଲାଲା ଲଜପତ ରାୟ ମେଡିକାଲ୍‌ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା‌। ସେ ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବହୁତ ଖରାପ୍‌ ହୋଇଯାଇଥିଲା। ସେ ଠିକ୍‌ରେ ନିଶ୍ବାସ ବି ନେଇପାରୁନଥିଲେ। ଅର୍ଚ୍ଚନାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧ‌ୀରେ ବହୁତ ବିଗିଡ଼ିବାକୁ ଲାଗିଲା। ସେ ବଞ୍ଚିବେ ବୋଲି ପରିବାର ଲୋକ ଆଶା ଛଡ଼ାଇ ଦେଇଥିଲେ। ତେବେ ଅର୍ଚ୍ଚନା ଦୀର୍ଘ ୧୦୦ ଦିନ ହସ୍ପିଟାଲ୍‌ରେ ରହି ଚିକିତ୍ସିତ ହେବାପରେ ଶେଷରେ ସୁସ୍ଥ ହୋଇଛନ୍ତି। ତାଙ୍କୁ ଗତକାଲି ହସ୍ପିଟାଲ୍‌ରୁ ଡିସଚାର୍ଜ କରାଯାଇଛି। ଅର୍ଚ୍ଚନା କହିଛନ୍ତି, ମୁଁ ମୋ ପରିବାର ପାଇଁ ବଞ୍ଚିଛି। ଅସହ୍ୟ ଯନ୍ତ୍ରଣା‌ ହେଉଥିବା ସ‌ତ୍ତ୍ବେ ପୁଅର କଥା କାନରେ ବାଜିଲେ ତାଙ୍କ ଦେହରେ ଶକ୍ତି ଆସିଥାଏ ବୋଲି ସେ କହ‌ିଛନ୍ତି। ଅର୍ଚ୍ଚନାଙ୍କ ପୁଅ ସବୁବେଳେ ତାଙ୍କୁ କୁହନ୍ତି, ମା’ ବ୍ୟସ୍ତ ହୁଅନା’, ସବୁ ଠିକ୍‌ ହୋଇଯିବ। ଶେଷରେ ଦୀର୍ଘ ଦିନ ଧରି ଅକ୍ସିଜେନ୍‌ ସପୋର୍ଟ ଏବଂ ଆଇସିୟୁରେ ରହିବାପରେ ଅର୍ଚ୍ଚନା ‌ସୁସ୍ଥ ହୋଇଛନ୍ତି। କରୋନା ସହ ଏଭଳି ଲମ୍ବା ଲଢ଼େଇରେ ସୁସ୍ଥ ହେବା କିଛି କମ୍‌ କଥା ନୁହେଁ ବୋଲି ଡାକ୍ତରମାନେ କହିଛନ୍ତି।

ସମ୍ବନ୍ଧିତ ଖବର