ସହଯୋଗୀ କୋଭିଡ୍-୧୯ ଆକ୍ରାନ୍ତ ଜଣାପଡ଼ିବା ପରେ ଏକାନ୍ତବାସରେ ରହିଲେ ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍

ୱାସିଂଟନ୍: ଗତ ସପ୍ତାହରେ ଜଣେ ଘନିଷ୍ଠ ସହଯୋଗୀ କରୋନାଭାଇରସ୍ କୋଭିଡ୍-୧୯ ଟେଷ୍ଟ୍ ପଜିଟିଭ୍ ହେବା ପରେ ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍‌ସ୍ ଆତ୍ମ-ଏକାନ୍ତବାସରେ ରହିଛନ୍ତି। ପେନ୍‌ସ୍‌ଙ୍କ ମୁଖପାତ୍ର ଡେଭିନ୍ ଓ’ମେଲି ଗଣମାଧ୍ୟମକୁ କହିଛନ୍ତି ଯେ ସ୍ବେଚ୍ଛାକୃତ ଭାବେ ଉପରାଷ୍ଟ୍ରପତି ଅନ୍ୟ ଲୋକମାନଙ୍କ ସହ ମିଳାମିଶା କରିବା ସୀମିତି ରଖିଛନ୍ତି। କିନ୍ତୁ, ପେନ୍‌ସ୍ କରୋନାଭାଇରସ୍ ନେଗେଟିଭ୍ ‌ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ମାତ୍ର ଡାକ୍ତରମାନଙ୍କ ପରାମର୍ଶ ମାନି ସେ ଆତ୍ମ-ଏକାନ୍ତବାସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ଉପରାଷ୍ଟ୍ରପତି ପେନ୍‌ସ୍‌ଙ୍କର ସେ ଘନିଷ୍ଠ  ସହଯୋଗୀ ହେଉଛନ୍ତି ତାଙ୍କ ପ୍ରେସ୍ ସେକ୍ରେଟେରି ତଥା ମୁଖପାତ୍ରୀ କେଟି ମିଲର୍। ମେ ୮ ତାରିଖ ଦିନ ସେ କୋଭିଡ୍-୧୯ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଗତ ସପ୍ତାହ ମଧ୍ୟରେ ହ୍ବାଇଟ୍ ହାଉସ୍ ପରିସରରେ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହେବାରେ ସେ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି।

Image Source: Hindustan Times

ଗଣମାଧ୍ୟମକୁ ମୁଖପାତ୍ର ଓ’ମେଲି କହିଛନ୍ତି, ଉପରାଷ୍ଟ୍ରପତି ପେନ୍‌ସ୍ କ୍ବାରେଣ୍ଟିନ୍‌ରେ ରହିନାହାନ୍ତି। ସେ ହ୍ବାଇଟ୍ ହାଉସ୍ ମେଡିକାଲ୍ ୟୁନିଟ୍‌ର ଉପଦେଶ ମାନି ଚଳିବେ। ଏହାଛଡ଼ା, ଉପରାଷ୍ଟ୍ରପତିଙ୍କ କରୋନାଭାଇରସ୍ ପରୀକ୍ଷା ପ୍ରତିଦିନ ନେଗେଟିଭ୍ ବାହାରୁଛି। ସେ ଆସନ୍ତାକାଲି ହ୍ବାଇଟ୍‌ ହାଉସ୍ ଆସିବାକୁ ଯୋଜନା କରୁଛନ୍ତି।

ଉପରାଷ୍ଟ୍ରପତିଙ୍କ ବ୍ୟତୀତ ‘ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆଲର୍ଜି ଆଣ୍ଡ୍ ଇନ୍‌ଫେକ୍ସିଅସ୍ ଡିଜିଜ୍’ ନିର୍ଦେଶକ ତଥା ହ୍ବାଇଟ୍ ହାଉସ୍ କରୋନାଭାଇରସ୍ ଟାସ୍କ ଫୋର୍ସର ଅଗ୍ରଣୀ ସଦସ୍ୟ ଡକ୍ଟର୍ ଆନ୍ଥୋନି ଫକ୍ସି, ‘ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍‌ସନ୍’ର ନିର୍ଦେଶକ ଡକ୍ଟର୍ ରବର୍ଟ ରେଡ୍‌ଫିଲ୍‌ଡ୍ ଏବଂ ‘ଫୁଡ୍‌ ଆଣ୍ଡ୍ ଡ୍ରଗ୍ ଆଡ୍‌ମିନିଷ୍ଟ୍ରେସନ୍‌’ର କମିସନର୍ ଡାକ୍ତର ଷ୍ଟିଫେନ୍ ହାହନ୍ ମଧ୍ୟ ସପ୍ତାହନ୍ତ ବେଳକୁ ଆତ୍ମ-ଏକାନ୍ତବାସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

 

ସମ୍ବନ୍ଧିତ ଖବର