ଉତ୍ତରପ୍ରଦେଶର ରାସ୍ତାକଡ଼ ପୋଷାକ ବିକ୍ରେତାଙ୍କ ଠାରୁ ୩୬୬ କୋଟିର ଜିଏସଟି ଦାବି କଲେ ଅଧିକାରୀ

ଆଗ୍ରା: ଉତ୍ତରପ୍ରଦେଶର ଜଣେ 40 ବର୍ଷବୟସ୍କ ବ୍ୟକ୍ତି ଯିଏ ମୁଜାଫରନଗରର ରାସ୍ତାକଡ଼ ଫୁଟପାଥ୍‌ ଉପରେ ବସି ପୋଷାକ ବିକ୍ରୟ କରି ଦୈନିକ ପ୍ରାୟ ୫୦୦ ଟଙ୍କାର କାରବାର କରନ୍ତି, ତାଙ୍କ ଠାରୁ ୩୬୬ କୋଟି ଟଙ୍କାର ଜିଏସଟି ଆଦାୟ କରିବାକୁ ଯାଇ ଜିଏସ୍‌ଟି ଅଧିକାରୀମାନେ ତାଙ୍କ କବାଟ ବାଡେଇଛନ୍ତି। ଏହି ଘଟଣାରେ ଆଶ୍ଚର୍ଯ୍ୟଚକିତ ହୋଇ ଫୁଟପାଥ୍‌ ପୋଷାକ ବିକ୍ରେତା ଏଜାଜ୍‌ ଅହମ୍ମଦ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଜିଏସଟିର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଦୁଇ ବର୍ଷ ପୂର୍ବେ ଅହମ୍ମଦ ଜନସାଥ ପୁଲିସ ଥାନା ଅଧୀନରେ ଥିବା କାୱାଲ ଗ୍ରାମରେ ଏକ ଛୋଟ ସ୍କ୍ରାପ୍‌ ଦୋକାନ କରିଥିବା ବେଳେ ଜିଏସଟି ନମ୍ବର ପାଇଁ ପଞ୍ଜିକରଣ କରିଥିଲେ। ପ୍ରାରମ୍ଭରେ ସେ ଦିନକୁ ୫୦୦ରୁ ୧,୦୦୦ ଟଙ୍କାର ବର୍ଜ୍ୟବସ୍ତୁ କାରବାର କରୁଥିଲେ। କିନ୍ତୁ ପରେ ଏହି କାରବାରରେ କ୍ଷତି ହେବାରୁ ସ୍କ୍ରାପ୍‌ ଡିଲର କାର୍ଯ୍ୟ ଛାଡି ଫୁଟପାଥରେ ପୋଷାକ ବିକ୍ରି କରିବା ଆରମ୍ଭ କରିଥିଲେ।

ଅହମ୍ମଦ କହିଛନ୍ତି ସ୍କ୍ରାପ୍‌ ଦୋକାନ ବନ୍ଦ କଲାପରେ ମୁଁ ସିଏ (ଚାଟାର୍ଡ ଆକାଉଣ୍ଟାଣ୍ଟ)ଙ୍କୁ ସେହି ଜିଏସଟି ଆକାଉଣ୍ଟ ବନ୍ଦ କରିବାକୁ କହିଥିଲି। କିନ୍ତୁ କ’ଣ ହେଲା ଜାଣି ନାହିଁ। ମୁଁ ଗତ ଦୁଇ ବର୍ଷ ଧରି ପୋଷାକ ବିକ୍ରି କରୁଛି।
ଅନ୍ୟପକ୍ଷରେ ପଶ୍ଚିମ ୟୁପିର ଜିଏସଟି ବିଭାଗର ଯୁଗ୍ମ କମିଶନର (ସ୍ୱତନ୍ତ୍ର ଅନୁସନ୍ଧାନ ଶାଖା) ଜେଏସ ଶୁକ୍ଲା ଶୁକ୍ରବାର ଦିନ କହିଛନ୍ତି, ୩୦୦ କୋଟିରୁ ଅଧିକ ଟଙ୍କାର ବିଲ୍‌ ଜାରି କରାଯାଇଛି। ଏହା ଏକ ବିରାଟ ରାକେଟ୍‌ ପରି ମନେହୁଏ। ଏସଂପର୍କରେ ଏକ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି। ଅନେକ ସଂସ୍ଥା ଏବଂ କିଛି ବ୍ୟକ୍ତି ସ୍କାନରରେ ଅଛନ୍ତି।

ଜିଏସଟି ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ କିଛି ଲୋକ ଦାବି କରୁଛନ୍ତି ଯେ ସେମାନଙ୍କ ଫାର୍ମର ଆକାଉଣ୍ଟ ନମ୍ବର ଅନ୍ୟ କେହି ବ୍ୟବହାର କରୁଛନ୍ତି। ଏଜାଜ ଅହମ୍ମଦ ଏବଂ ତାଙ୍କ ସିଏଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। ଅନୁସନ୍ଧାନ ପରେ ହିଁ ଅଧିକ ବିବରଣୀ ପ୍ରକାଶ କରାଯାଇପାରିବ।

ସମ୍ବନ୍ଧିତ ଖବର