ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାୱତଙ୍କ ଇସ୍ତଫା

ଡେରାଡୁନ୍: ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଶେଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଵତ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଆଜି ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟଙ୍କୁ ପ୍ରଦାନ କରିଛନ୍ତି। ଆସନ୍ତାକାଲି(ବୁଧବାର) ବିଜେପି ବିଧାୟକ ଦଳ ବୈଠକରେ ନୂଆ ନେତା ନିର୍ବାଚନ କରାଯିବ। କେନ୍ଦ୍ରମନ୍ତ୍ରୀ ଧନ ସିଂହ ରାଵତ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚା ହେଉଛି। ତେବେ ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜ, ରାଜ୍ୟସଭା ସାଂସଦ ଅନୀଲ ବାଲୁନି, ଲୋକସଭା ସାଂସଦ ଅଜୟ ଭଟ୍ଟ, ଆର୍‌ଏସ୍‌ଏସ୍‌ ସଦସ୍ୟ ସୁରେଶ ଭଟ୍ଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଓ ଭଗତ ସିଂହ କୋସ୍ୟାରି ମଧ୍ୟ ଦୌଡ଼ରେ ଥିବା ଆଲୋଚନା ହେଉଛି।

ସୂଚନାଯୋଗ୍ୟ ଯେ ତ୍ରିବେନ୍ଦ୍ରଙ୍କର କାର୍ଯ୍ୟଶୈଳୀ ନେଇ ଅନେକ ବିଜେପି ବିଧାୟକ ଅସନ୍ତୁଷ୍ଟ ଥିଲେ। ଏ ସମ୍ପର୍କରେ ସେମାନେ କେନ୍ଦ୍ରୀୟ ନେତୃତ୍ବକୁ ଜଣାଇଥିବା ବେଳେ ଗତ ଶନିବାର ସନ୍ଧ୍ୟାରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପର୍ଯ୍ୟବେକ୍ଷକ ଭାବେ ଡେରାଡୁନ୍‌ରେ ପହଞ୍ଚି ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେବା ସହ ବିଧାୟକମାନଙ୍କ ଠାରୁ ମତାମତ ସଂଗ୍ରହ କରି ଦିଲ୍ଲୀ ଫେରି ଯାଇଥିଲେ। ତାଭ୍କର ରିପୋର୍ଟକୁ ଆଧାର କରି ରାଜ୍ୟରେ ନେତୃତ୍ବ ପରିବର୍ତନ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର