ଥରୁରଙ୍କ ଗସ୍ତକୁ ନେଇ କେରଳ କଂଗ୍ରେସରେ ଗୁଞ୍ଜରଣ

କେରଳରେ ରାଜସ୍ଥାନ ପରିସ୍ଥିତି ସୃଷ୍ଟି କରିବେ ନାହିଁ ତ ?

ତିରୁଅନନ୍ତପୁରମ୍: ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ନେତୃତ୍ବକୁ ଚ୍ୟାଲେଞ୍ଜ କରିଥିବା ଶଶୀ ଥରୁରଙ୍କ କେରଳ ଗସ୍ତକୁ ନେଇ ଦେଖାଦେଇଛି ଗୁଞ୍ଜରଣ। ସେ ଆଉ କିଛି ନୂଆ ଯୋଜନା କରୁନାହାନ୍ତି ତ? କେରଳରେ ସେ ଆଉ ରାଜସ୍ଥାନ ଭଳି ପରିସ୍ଥିତି ସୃଷ୍ଟି କରିବେ ନାହିଁ ତ? ଏହାକୁ ନେଇ ଏବେ କଂଗ୍ରେସ ମହଲରେ ଗୁଞ୍ଜନ ସୃଷ୍ଟି ହୋଇଛି।

କେରଳରେ ଦୀର୍ଘ ୪ ଦଶନ୍ଧି ହେଲା କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍‌ ଅଥବା ସିପିଆଇ (ଏମ୍‌) ନେତୃତ୍ବାଧୀନ ଏଲ୍‌ଡିଏଫ୍‌ ଏକାନ୍ତର ଭାବେ ସରକାର ଗଢ଼ି ଆସୁଥିଲେ। କିନ୍ତୁ ୨୦୨୧ରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ନେତୃତ୍ବାଧୀନ ସିପିଏମ୍ ପୁନଶ୍ଚ କ୍ଷମତା ହାସଲ କରିଛି ଏବଂ କଂଗ୍ରେସରେ ଫାଟ ପ୍ରସାରିତ ହୋଇଛି।

କିନ୍ତୁ ବର୍ତ୍ତମାନ ଥରୁରଙ୍କ କେରଳ ଗସ୍ତକୁ ନେଇ ଭିନ୍ନ ପରିସ୍ଥିତି ଉପୁଜିଛି। କେରଳର ମାଲାବାର ଅଞ୍ଚଳକୁ ନଭେମ୍ବର ୨୦ରୁ ଏକ ଚାରିଦିନିଆ ଗସ୍ତରେ ଯାଉଛନ୍ତି ବୋଲି ଥରୁର କହିବା ପରଠାରୁ ତାଙ୍କ ବିରୋଧରେ କିଛି ଲୋକ ସ୍ବର ଉତ୍ତୋଳନ କରିଛନ୍ତି। ଥରୁର ତାଙ୍କର ଗସ୍ତ ସମୟରେ ନେହରୁଙ୍କ ଉପରେ ନିଜେ ଲେଖିଥିବା ଏକ ନୂତନ ପୁସ୍ତକ ସମ୍ପର୍କରେ କହିଥିଲେ, ଟି ପଦ୍ମନାଭନ୍‌ଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ, ସ୍ଥପତି ମନୋଜ ଓ ବିସପ ବର୍ଗିଜ ଚାକ୍କଲାକାଲଙ୍କୁ ଭେଟିଥିଲେ, ଐତିହାସିକ ଏମ୍‌ଜିଏସ୍ ନାରାୟଣନଙ୍କୁ ସାକ୍ଷାତ୍ କରିଥିଲେ, ଛାତ୍ରମାନଙ୍କ ସହ ସମୟ ବିତାଇଥିଲେ, ଡାକ୍ତର ଓ ଓକିଲମାନଙ୍କ ସହ ବାର୍ତ୍ତାଳପ କରିଥିଲେ ଏବଂ ବନ୍ଧୁ ଓ ସମର୍ଥକମାନଙ୍କ ସହ ଭୋଜନ କରିଥିଲେ।

କିନ୍ତୁ ସେତିକି କହିଲେ ଯଥେଷ୍ଟ ହେବ ନାହିଁ। ପ୍ରଥମତଃ ସେ ଦକ୍ଷିଣ କେରଳସ୍ଥ ନିଜ ନିର୍ବାଚନମଣ୍ଡଳୀରୁ ୪୦୦ କିମି ଦୂରକୁ ଗସ୍ତ କରିଥିଲେ ଏବଂ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗାନ୍ଧି ପରିବାରର ସମର୍ଥନ ଥିବା ମଲ୍ଲିକାର୍ଜୁନ ଖଡ଼ଗେଙ୍କଠାରୁ ଅକ୍ଟୋବର ଅଧ୍ୟକ୍ଷ ନିର୍ବାଚନରେ ହାରିଯିବା ପରେ ଏହା ଥିଲା ତାଙ୍କର ପ୍ରଥମ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ହାରିଗଲେ ମଧ୍ୟ ତାଙ୍କ ସପକ୍ଷରେ ୧୦୦୦ରୁ ଅଧିକ ଭୋଟ ପଡ଼ିଥିଲା। ଏଥିରୁ ତାଙ୍କର ଲୋକପ୍ରିୟତା ଏବଂ ଦଳର କେନ୍ଦ୍ରୀୟ ନେତୃତ୍ବ-ବିରୋଧୀ ଭାବମୂର୍ତ୍ତି ପ୍ରତିପାଦିତ ହୁଏ। ଏହାକୁ ନେଇ ଦଳର ପୁରୁଖା ନେତାମାନେ ତାଙ୍କର ବିରୋଧୀ ହୋଇଯାଇଛନ୍ତି। ସେ ଦଳକୁ ପୁନରୁଜ୍ଜୀବିତ କରିବାକୁ ଚାହୁଛନ୍ତି ବୋଲି କହୁଥିବା ବେଳେ ପୁରୁଖା ନେତାମାନେ କିନ୍ତୁ ଓଲଟା ଭାବୁଛନ୍ତି। ସେମାନେ ଭାବୁଛନ୍ତି ସେ କେରଳରେ ନିଜର ଏକ ଗୋଷ୍ଠୀ ଗଢ଼ିବାକୁ ଚେଷ୍ଟା କରୁଛନ୍ତି। ଥରୁର ଗୋଷ୍ଠୀ ଦଳ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସେମାନେ ମନେ କରୁଛନ୍ତି। ଆଗକୁ ୨୦୨୬ରେ ରାଜ୍ୟ ବିଧାନସଭା ନିର୍ବାଚନ ଅଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଥରୁର ଗୋଷ୍ଠୀ ଦାବି କରିପାରନ୍ତି। ଏହାକୁ ନେଇ ରାଜ୍ୟରେ ଦଳୀୟ ଗୋଷ୍ଠୀ କନ୍ଦଳ ଓ ବିଭାଜନ ଦେଖାଦେଇପାରେ ବୋଲି ଥୋକେ ଅନୁମାନ କରୁଛନ୍ତି।

ସମ୍ବନ୍ଧିତ ଖବର