ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ବିରାଟଙ୍କୁ ନେଇ ଅନନ୍ୟାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ:  କ୍ରିକେଟର ବିରାଟ କୋହଲି କେବଳ କ୍ରିକେଟ୍ ପଡ଼ିଆରେ ନୁହେଁ, କ୍ରିକେଟ୍ ବାହାରେ ଥିବା କ୍ଷେତ୍ରରେ ମଧ୍ୟ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ ଗତକାଲି ଅର୍ଥାତ ଏପ୍ରିଲ ୧୬ ତାରିଖରେ ୟୁପିଏସସି ପରୀକ୍ଷା ୨୦୨୩ ଫଳ ପ୍ରକାଶ ପାଇଛି। ଏଥିରେ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଶ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ତୃତୀୟ ସ୍ଥାନରେ ‌ତେଲେଙ୍ଗାନାର ମହବୁବନଗର ଜିଲ୍ଲାର ଡୋନୁରୁ ଅନନ୍ୟା ରେଡ୍ଡୀ ଅଛନ୍ତି।

ୟୁପିଏସସି ପରୀକ୍ଷାରେ ସଫଳ ହେବାପରେ ଅନନ୍ୟା ରେଡ୍ଡୀ କହିଛନ୍ତି, ମୁଁ ଅନେକ ସଂଘର୍ଷ ଓ ପରିଶ୍ରମ ପରେ ୟୁପିଏସସି ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଛି। ତେବେ ଏହି ସଫଳତାର କିଛି ଶ୍ରେୟ ମୁଁ ବିରାଟ କୋହଲିଙ୍କୁ ଦେବି।

କାରଣ ପାଠପଢ଼ା ସମୟରେ ତାଙ୍କର ଅନୁଶାସନ ଓ ଧୌର୍ଯ୍ୟ ମୋତେ ଅନେକ ସମୟରେ  ପ୍ରେରଣା ଦେଇଛି। ମୁଁ ବିରାଟଙ୍କୁ ବହୁତ ଭଲପାଏ। ସେ ମୋ ପସନ୍ଦର ଖେଳାଳି। ତାଙ୍କର ମୁଁ ଗୋଟିଏ ବି ଖେଳ ଦେଖିବା ମିସ କରେନାହିଁ। ପ୍ରତିଟି ଖେଳରେ ମୁଁ ବିରାଟଙ୍କୁ ଦେଖିଛି ସେ କଦାପି ବିଚଳିତ ହୁଅନ୍ତି ନାହିଁ। ଖେଳରେ ହାରିବା ହଉ ଅବା ଜିତିବା ପରେ ସେ  ସମାନ ପ୍ରତିକ୍ରିୟା ଦେଇଥାଆନ୍ତି। ଧୌର୍ଯ୍ୟହରା ହୁଅନ୍ତି ନାହିଁ। ତାଙ୍କର ଧୌର୍ଯ୍ୟ ମୋତେ ଖୁବ ଅନୁପ୍ରାଣିତ କରିଛି।

ସମୟ ସମୟରେ ପାଠପଢ଼ିଲା ବେଳେ ମନ ବିଚଳିତ ହୋଇଯାଇଥାଏ। ସେହି ସମୟରେ ବିରାଟଙ୍କ ଧୌର୍ଯ୍ୟକୁ ମନେ ପକାଇ ମନକୁ ସ୍ଥିର କରି ମୁଁ ମୋର ପାଠପଢ଼ାକୁ ଆଗକୁ ବଢ଼ାଇଥାଏ।’

ସମ୍ବନ୍ଧିତ ଖବର