ମେ ୧୨ରେ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ, ୧୫ରେ ଗଣତି

ନୂଆଦିଲ୍ଲୀ: ୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୨ ତାରିଖରେ ତାରିଖରେ ଭୋଟ୍‌ ଗ୍ରହଣ କରାଯିବ। ମେ ୧୫ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ମେ ୨୮ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରାଯିବ ବୋଲି ଆଜି ମୁଖ୍ୟ ନିର୍ବାଚନ କମିସନ ଓମ ପ୍ରକାଶ ରାଓ୍ଵତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

ଶ୍ରୀ ରାଓ୍ଵତ କହିଛନ୍ତି ଯେ ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ରାଜ୍ୟର ୪ କୋଟି ୯୬ ଲକ୍ଷ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଏଥିପାଇଁ ୫୬ ହଜାର ୬୯୬ ପୁଲିଂ ବୁଥ ଖୋଲାଯିବ। ଏଠାରେ ଇଭିଏମ ସହିତ ଭିଭିପାଟ୍‌ ମଧ୍ୟ ବ୍ୟବହୃତ ହେବ। ପ୍ରାର୍ଥୀମାନେ ସର୍ବାଧିକ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ ଓ ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ଉପରେ ନିର୍ବାଚନ କମିସନ କଡ଼ା ନଜର ରଖିବେ। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ମଧ୍ୟ ନିୟୋଜିତ କରାଯିବ।

ଶ୍ରୀ ରାଓ୍ଵତ କହିଛନ୍ତି ଯେ ଆଜି ଠାରୁ କର୍ଣ୍ଣାଟକରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନିର୍ବାଚନ ନେଇ ଏପ୍ରିଲ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ।୨୪ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପ୍ରିଲ ୨୫ରେ ଯାଞ୍ଚ ଓ ଏପ୍ରିିଲ ୨୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଭାବେ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର