ମହାରାଜା ଆସୁଛନ୍ତି କି, ଗାଡି ଅଟକାଇଛ: ଜିଲ୍ଲାପାଳଙ୍କୁ ଏଭଳି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ଶନିବାର ଦିନ ନାଗାଓଁ ଜିଲ୍ଲାର ଡେପୁଟି କମିଶନରଙ୍କୁ ଟ୍ରାଫିକ ଅବରୋଧ ନେଇ ତାଗିଦ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ନାଗାଓଁ ଜିଲ୍ଲା ତଥା ପୁଲିସ ପ୍ରଶାସନ ନାଗାଓଁ କଲେଜ ନିକଟରେ ଯାନବାହନ ଚଳାଚଳ ବନ୍ଦ କରିଦେଇଥିଲେ। ଆଉ ଟ୍ରାଫିକ ବନ୍ଦ କରିବା ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ପସନ୍ଦ କରିନଥିଲେ ଏବଂ ସେ ଏହି ପ୍ରସଙ୍ଗରେ ସମସ୍ତଙ୍କ ସାମ୍ନାରେ ନାଗାଓଁ ଜିଲ୍ଲାପାଳଙ୍କୁ ଭର୍ତ୍ସନା କରିଥିଲେ। ତୁରନ୍ତ ଟ୍ରାଫିକ ଆରମ୍ଭ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି |

ଯେଉଁଥିରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଜିଲ୍ଲାପାଳ ସାର୍ ଏହି ଡ୍ରାମା କ’ଣ? ଗାଡ଼ିଗୁଡ଼ିକୁ କାହିଁକି ଅଟକାଇଛ ? କୌଣସି ରାଜା ମହାରାଜା ଆସୁଛନ୍ତି କି? ଏହା କରନ୍ତୁ ନାହିଁ। ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି। ଗାଡ଼ିଗୁଡ଼ିକୁ ଯିବାକୁ ଦିଅନ୍ତୁ।” ଆସାମର ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନାଗାଓଁ ଯାଇଥିଲେ | ତେବେ ମୁଖ୍ୟମନ୍ତ୍ରୀ ଆସୁଥିବା ଜାଣି ସହରରେ ଟ୍ରାଫିକ୍ ବନ୍ଦ କରାଯାଇଥିଲା, ଯାହା ଜାଣିବା ପରେ ମୁଖ୍ୟମନ୍ତ୍ରୀ ରାଗିଯାଇଥିଲେ |


ପରେ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋର ଯାତ୍ରା ସମୟରେ ଲୋକଙ୍କୁ ହଇରାଣ ନକରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ମୋ ପାଇଁ ଟ୍ରାଫିକ ବନ୍ଦ କରିବା ପାଇଁ ମୁଁ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦ୍ କରିଥିଲି। ଜାତୀୟ ରାଜପଥରେ ଆମ୍ବୁଲାନ୍ସ ସମେତ ୧୫ ମିନିଟରୁ ଅଧିକ ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା। ଏଭଳି ଭିଆଇପି ସଂସ୍କୃତି ଆଜିର ଆସାମରେ ଗ୍ରହଣୀୟ ନୁହେଁ’।

ସମ୍ବନ୍ଧିତ ଖବର