ଚୀନର ଜାହାଜକୁ ନେଇ ଭାରତ ଚିନ୍ତିତ କାହିଁକି ?

ନୂଆଦିଲ୍ଲୀ : ଭାରତର ଆପତ୍ତି ସତ୍ତ୍ବେ ଚୀନର ଗୁପ୍ତଚର ଜାହାଜ ଉଆଙ୍ଗ ଓ୍ବାଙ୍ଗ ୫ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପହଞ୍ଚିଯାଇଛି । ଚୀନଠାରୁ ଋଣ ନେଇ ଋଣଗ୍ରସ୍ତ ହୋଇପଡ଼ିଥିବା ଶ୍ରୀଲଙ୍କା ପାଇଁ ଏହି ଜାହାଜକୁ ଅନୁମତି ଦେବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା । କାରଣ ଋଣ ଶ୍ରୀଲଙ୍କା ସୁଝିନପାରିବାରୁ ଏବେ ଏହି ବନ୍ଦରକୁ ଚୀନ ୯୯ ବର୍ଷ ପାଇଁ କବଜା କରିନେଇଛି । ତେବେ ଏହି ଜାହାଜକୁ ନେଇ ଭାରତ କାହିଁକି ଚିନ୍ତା କରୁଛି ?

ଗୁଇନ୍ଦା ରିପୋର୍ଟ ଅନୁସାରେ ଏହି ଜାହାଜର ଏରିଆଲ ରେଞ୍ଜ ହେଉଛି ପ୍ରାୟ ୭୫୦ କିଲୋମିଟର । ଏହାର ଅର୍ଥ ହେଉଛି ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖିପାରିବ । ଦକ୍ଷିଣ ଭାରତରେ ଭାରତର କେତେକ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ରହିଛି । ସେଗୁଡ଼ିକ ମଧ୍ୟରେ ରହିଛି ବିଶାଖାପାଟଣା ଓ କୋଚିରେ ନୌସେନା ଘାଟି, ତାମିଲନାଡ଼ୁର କୁଦାନକୁଲମ ଓ କଳ୍ପକମ୍ ଆଣବିକ କେନ୍ଦ୍ର, ଇସ୍ରୋ ଇତ୍ୟାଦି । ଏସବୁ ପ୍ରତିଷ୍ଠାନ ଉପରେ ଚୀନ ନିଜର ଗୁପ୍ତଚର ଜାହାଜ ମାଧ୍ୟମରେ ତଥ୍ୟ ସଂଗ୍ରହ କରିପାରିବ । ଏଥିରେ ଲାଗିଥିବା ଅତ୍ୟାଧୁନିକ ମିସାଇଲ ଟ୍ରାକିଂ ସିଷ୍ଟମ ଭାରତର ବାଲିଷ୍ଟିକ ମିସାଇଲ ଗୁଡ଼ିକ ସଂପର୍କରେ ତଥ୍ୟ ସଂଗ୍ରହ କରିପାରିବ । ଏହା ଭାରତର ସାଟେଲାଇଲ ଓ ମିସାଇଲ ଲଞ୍ଚର (ଉତକ୍ଷେପଣ କେନ୍ଦ୍ର) ଗୁଡ଼ିକ ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରିବ । ଏପରିକି ଓଡ଼ିଶାର ଚାନ୍ଦିପୁରଠାରେ ଥିବା ସାମରିକ ପରୀକ୍ଷା କେନ୍ଦ୍ର ସଂପର୍କରେ ତଥ୍ୟ ସଂଗ୍ରହ କରିପାରିବ । ଏଣୁ ଏହି ଜାହାଜକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି ।

 

 

ସମ୍ବନ୍ଧିତ ଖବର