ସବୁ ଅନ୍ତର୍ଜାତୀୟ ମଞ୍ଚରେ କଶ୍ମୀର ପ୍ରସଙ୍ଗ ଉଠାଇବୁ, କଶ୍ମୀର ପାଇଁ ଯେକୌଣସି ସ୍ତରକୁ ଯିବୁ : ଇମ୍ରାନ

ଇସ୍ଲାମାବାଦ : ଜମ୍ମୁ ଓ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ହତାଶ ହୋଇପଡିଛି । ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ ସବୁଆଡୁ ବିଫଳ ହେବା ସତ୍ତ୍ୱେ କଶ୍ମୀର ପ୍ରସଙ୍ଗ ନେଇ ନିଜ ଲୋକମାନଙ୍କୁ ଭୁତେଇବା ଛାଡ଼ିପାରୁନାହିଁ ପାକିସ୍ତାନ । ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟର ଏକ ଭାଷଣ ଦେଇ କହିଛନ୍ତି ଯେ ତାଙ୍କ ସରକାର କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାରେ ସଫଳ ହୋଇଛନ୍ତି । ୧୯୬୫ ମସିହା ପରେ ପ୍ରଥମ ଥର ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠିଛି । ଏହି ପ୍ରସଙ୍ଗକୁ ନେଇ ବିଶ୍ୱର ପ୍ରମୁଖ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଆଗାମୀ ଦିନରେ ମଧ୍ୟ ପାକ ସରକାର ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ କଶ୍ମୀର ପ୍ରସଙ୍ଗ ଉଠାଇଚାଲିବେ । ଆଗାମୀ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଯିବ ।
ସେ କହିଛନ୍ତି ଯେ ପାକିସ୍ତାନ କଶ୍ମୀର ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ମୁସଲିମ ଦେଶମାନେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପଛରେ ଛିଡା ହୋଇନାହାନ୍ତି । ତେବେ ଏଥିପାଇଁ ପାକିସ୍ତାନୀମାନେ ନିରାଶ ହେବା ଉଚିତ ନୁହେଁ । ଭବିଷ୍ୟତରେ ସେହି ଦେଶମାନେ ନିଶ୍ଚିତ ଭାବେ କଶ୍ମୀର ଓ ପାକିସ୍ତାନକୁ ସମର୍ଥନ କରିବେ ।

ସମ୍ବନ୍ଧିତ ଖବର