ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ : ଖୁବ୍‌ଶୀଘ୍ର ଗୁଜୁରାଟରେ ଉଦ୍‌ଘାଟନ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ

ଷ୍ଟାଡିୟମ ନିର୍ମାଣରେ ଖର୍ଚ୍ଚ ହୋଇଛି ୭୦୦ କୋଟି ଟଙ୍କା, ଏକକାଳୀନ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ମ୍ୟାଚ୍ ଉପଭୋଗ କରିପାରିବେ

ଅହମ୍ମଦାବାଦ : ଭାରତରେ ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଗୁଜୁରାଟ ଅହମ୍ମଦାବାଦର ମୋଟେରାରେ ନିର୍ମିତ ହେଉଥିବା ସର୍ଦ୍ଦାର ପଟେଲ ଷ୍ଟାଡିୟମ । ଖୁବଶୀଘ୍ର ଏହି ଷ୍ଟାଡିୟମର ଉଦଘାଟନ ହେବାକୁ ଯାଉଛି । ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏହି ଷ୍ଟାଡିୟମର ଉଦଘାଟନ କରିପାରନ୍ତି। ତେବେ ଉଦଘାଟନ ପୂର୍ବରୁ ଏହି ଷ୍ଟାଡିୟମକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଷ୍ଟାଡିୟମକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି। ଉଦଘାଟନ ପୂର୍ବରୁ ଏହି ଷ୍ଟାଡିୟମ ବାବଦରେ କିଛି ତଥ୍ୟ ଉପରେ ନଜର ପକାନ୍ତୁ ।

YouTube

ଏହି ଷ୍ଟାଡିୟମ ନିର୍ମାଣରେ ପାଖାପାଖି ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ବିଶ୍ୱର ଏହି ବଡ ଷ୍ଟାଡିୟମ ନିର୍ମାଣ ପାଇଁ ପାଖାପାଖି ୩ ବର୍ଷର ସମୟ ଲାଗିଛି । ଜାନୁଆରୀ ୨୦୧୭ରେ ଏହି ଷ୍ଟାଡିୟମର କାମ ଆରମ୍ଭ ହୋଇଥିଲା ।୨୦୨୦ରେ ଏହି ଷ୍ଟାଡିୟମର କାମ ଶେଷପର୍ଯ୍ୟାୟରେ ପହଞ୍ଚିଛି ।

ଏକକାଳୀନ ଏହି ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଦର୍ଶକ ବସି ମ୍ୟାଚ୍ ଉପଭୋଗ କରିପାରିବେ । ମେଲବୋର୍ଣ୍ଣ ଷ୍ଟାଡିୟମର ଦର୍ଶକ କ୍ଷମତା ଠାରୁ ମଧ୍ୟ ଅଧିକ ଦର୍ଶକ ଏହି ଷ୍ଟାଡିୟମରେ ବସିପାରିବେ।

ଏହି ଷ୍ଟାଡିୟମରେ ଏତେ ସଂଖ୍ୟକ ଡ୍ରେସିଂ ରୁମ ରହିଛି ଯେ ଏକାଥରରେ ୪ଟି କ୍ରିକେଟ ଟିମ୍ ବ୍ୟବହାର କରିପାରିବେ ।
ବିଶ୍ୱର ଏହି ବଡ ଷ୍ଟାଡିୟମରେ ୧୧ଟି ପିଚ୍ ରହିଛି । କଳା ଓ ଲାଲ ମାଟିରେ ଏହି ପିଚ୍ ଗୁଡିକୁ ପ୍ରସ୍ତୁତ କରାଯାଇଛି ।

ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମକୁ ଆଲୋକିତ କରିବାକୁ ଏଲଇଡି ଫ୍ଲଡ ଲାଇଟର ବ୍ୟବହାର କରାଯାଇଛି । ବଡ କଥା ହେଲା ଏହି ଲାଇଟ ଗୁଡିକୁ ୯୦ ମିଟର ଉପରେ ଲଗାଯାଇଛି, ଯାହା ୨୫ ତାଲା ବିଲ୍ଡିଂ ସହ ସମାନ ।

ବର୍ଷା କାରଣରୁ ଏହି ଷ୍ଟାଡିୟମରେ ବେଶି ସମୟ ପାଣି ଜମି ରହିବ ନାହିଁ । ଷ୍ଟାଡିୟମକୁ ଏମିତି କୌଶଳରେ ନିର୍ମାଣ କରାଯାଇଛି ଯାହାଦ୍ୱାରା ବର୍ଷା ହେଲେ ମାତ୍ର ୩୦ ମିନିଟ୍ ମଧ୍ୟରେ ଗ୍ରାଉଣ୍ଡକୁ ଖେଳ ଉପଯୋଗୀ କରାଯାଇପାରିବ ।

ଏହି ଷ୍ଟାଡିୟମରେ କ୍ରିକେଟ ବ୍ୟତୀତ ଫୁଟବଲ, ହକି, କବାଡି, ଭଲିବଲ, ବାସ୍କେଟବଲ, ଟେନିସ ଓ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ମଧ୍ୟ ଖେଳାଯାଇପାରିବ ।

ଷ୍ଟାଡିୟମରେ ମୁଖ୍ୟ ପିଚ୍ ବ୍ୟତୀତ ପ୍ରାକ୍ଟିସ ପାଇଁ ଅନ୍ୟ ଦୁଇଟି ଓ ଗୋଟିଏ ମଲ୍ଟି ସ୍ପୋଟର୍ସ ଗ୍ରାଉଣ୍ଡ ରହିଛି । ଏହାଛଡା ଷ୍ଟାଡିୟମ ଭିତରେ ଫିଜିଓ ଥେରାପି ସିଷ୍ଟମ ଓ ହାଇଡ୍ରୋଥେରାପି ସିଷ୍ଟମ ରହିଛି ଯାହାଦ୍ୱାରା ଆହତ ଖେଳାଳିଙ୍କୁ ଷ୍ଟାଡିୟମ ମଧ୍ୟରେ ହିଁ ଚିକିିତ୍ସା କରାଯାଇପାରିବ ।

ଷ୍ଟାଡିୟମକୁ ଏଭଳି ଭାବରେ ନିର୍ମିତ କରାଯାଇଛି ଯେ, ଜଣେ ଖେଳାଳୀ ଛକା କିମ୍ବା ଚାରି ମାରିଲେ ଷ୍ଟାଡିୟମର ପ୍ରତିଟି ଦର୍ଶକ ଏହାକୁ ବେଶ ଆରାମରେ ଦେଖିପାରିବେ ।

ଷ୍ଟାଡିୟମର ପାର୍କିଂ ବ୍ୟବସ୍ଥା କଥା ଯଦି କହିବା ତେବେ ଏହି ଷ୍ଟାଡିୟମରେ ଏକାସଙ୍ଗରେ ୪୦୦୦ କାର ଓ ୨୦୦୦୦ ବାଇକ୍ ପାର୍କିଂ କରିହେବ ।

ଏହାଛଡା ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ଦ୍ୱାର ରଖାଯାଇଥିବା ବେଳେ ଯାତାୟତ ସୁବିଧା ପାଇଁ ଷ୍ଟାଡିୟମ ପାଖକୁ ମେଟ୍ରୋ ଲାଇନ ବିଛାଯାଇଛି ।

NDTV Sports

କ୍ରିକେଟ ପାଗଳ ଦେଶ ଭାରତ । ଏଠାରେ କ୍ରିକେଟକୁ ପୂଜା କରିଥାନ୍ତି ଲୋକେ । ଆଉ ଏଭଳି କ୍ରିକେଟପ୍ରେମୀଙ୍କ ପାଇଁ ଗୁଜୁରାଟରେ ଉଦଘାଟନ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ ଷ୍ଟାଡିୟମ । ପୂର୍ବରୁ ବିଶ୍ୱର ସବୁଠୁ ଉଚ୍ଚତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ ପାଇଁ ଚର୍ଚ୍ଚାକୁ ଆସିଥିବା ଗୁଜୁରାଟ ଏବେ ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ପାଇଁ ଚର୍ଚ୍ଚାକୁ ଆସିବାକୁ ଯାଉଛି ।

ସମ୍ବନ୍ଧିତ ଖବର