ପାହାଡିଆ ରାସ୍ତାରେ ପାଦରେ ଚାଲି ଚାଲି ମା’ଙ୍କୁ ଭେଟିବାକୁ ପହଞ୍ଚିଲେ ଯୋଗୀ

ହରିଦ୍ୱାର: ସମାପ୍ତ ହୋଇଛି ୫ ବର୍ଷର ଅପେକ୍ଷା | ପୁଅ କେବେ ଆସିବ ବାଟ ଚାହିଁ ବସିଥିବା ମା’ର ଆଶା ପୂରଣ ହୋଇଛି | ଆଉ ମା’ଙ୍କୁ ଭେଟିବାର ଇଚ୍ଛା ଆଗରେ ଅନ୍ତରାୟ ସାଜିପାରିନାହିଁ ପାହାଡିଆ ରାସ୍ତା | ନିଜ ମାଙ୍କୁ ଭେଟିବାକୁ ଆଜି ନିଜ ଗାଁରେ ପହଁଚିଯାଇଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଆଜି ଯୋଗୀ ନିଜ ଗାଁ ଉତ୍ତରାଖଣ୍ଡର ପଂଚୁରରେ ପହଞ୍ଚିଛନ୍ତି | ଗାଁ’ରେ ପହଞ୍ଚିବା ପରେ ସିଧାସଳଖ ଯାଇ ନିଜ ମା’ଙ୍କୁ ଭେଟିଛନ୍ତି | ପାଖରେ ନିଜ ପୁଅକୁ ପାଇ ମା ବି କୁଣ୍ଢାଇ ପକାଇଛନ୍ତି |

ଯୋଗୀ ୨୦୧୭ରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଶେଷ ଥର ପାଇଁ ତାଙ୍କ ଘରକୁ ଯାଇଥିଲେ। ଯୋଗୀ ୧୧ ଫେବୃଆରୀ ୨୦୧୭ରେ ତାଙ୍କ ଘରେ ରାତି କଟାଇଥିଲେ। ଅବଶ୍ୟ ସେତେବେଳେ ସେ କେବଳ ଗୋରଖପୁରର ସାଂସଦ ଥିଲେ। କିଛି ମାସ ପରେ, ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ | ରାଜ୍ୟର ଦାୟିତ୍ୱ ମୁଣ୍ଡ ଉପରକୁ ନେଇ ଯୋଗୀ ଆଉ ନିଜ ଗାଁକୁ ଆସିପାରିନଥିଲେ | ଏହି ସମୟରେ ତାଙ୍କ ପିତା ଆନନ୍ଦ ସିଂ ଙ୍କର ୨୦୨୦ ମସିହାରେ ଦେହାନ୍ତ ହୋଇଥିଲେ ବି ଯୋଗୀ ଆସିପାରିନଥିଲେ |

ଯଦିଓ ତାଙ୍କ ପରିବାର ସଦସ୍ୟ ଯୋଗୀଙ୍କୁ ଭେଟିବା ପାଇଁ ଲଖନଉ ଯାଇଥାନ୍ତି, ତଥାପି କେବେ ଗାଁକୁ ଆସିବେ ଆଉ ମା’ଙ୍କୁ ଭେଟିବେ ସେହି ଇଚ୍ଛା ସବୁବେଳେ ଥିଲା | ଯୋଗୀଙ୍କ ମା ସାବିତ୍ରୀ ଦେବୀ ମଧ୍ୟ ତାଙ୍କ ପୁଅ ଯୋଗୀଙ୍କୁ ଭେଟିବା ପାଇଁ ବହୁତ ସମୟ ଧରି ଅପେକ୍ଷା କରିଥିଲେ | ଶେଷରେ ଆଜି ପାଞ୍ଚ ବର୍ଷ, ଦୁଇ ମାସ ପାଞ୍ଚ ଦିନ ପରେ ଯୋଗୀ ତାଙ୍କ ଗାଁରେ ପହଞ୍ଚିଥିଲେ | ପାହାଡିଆ ରାସ୍ତାରେ ଚାଲି ଚାଲି ଯୋଗୀ ତାଙ୍କ ଗାଁ’ରେ ପହଞ୍ଚିଥିଲେ | ତେବେ କେବଳ ଗାଁ ନୁହେଁ, ସମଗ୍ର ପରିବାର, ସମ୍ପର୍କୀୟ ଏବଂ ଅଞ୍ଚଳର ଲୋକମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ପହଞ୍ଚିଥିଲେ। ଯୋଗୀ ଆଜି ନିଜ ଘରେ ରାତ୍ରି କଟାଇବେ |

ସମ୍ବନ୍ଧିତ ଖବର