ବାଲେଶ୍ବରରୁ ୧୧ କୋଟିର ବ୍ରାଉନସୁଗାର ଜବତ ଘଟଣା: ଏସଟିଏଫ୍ ଟିମ୍ ଯିବ ବାଲେଶ୍ବର

ଭୁବନେଶ୍ବର : ବାଲେଶ୍ବର ସହଦେବଖୁଣ୍ଟା ଅଞ୍ଚଳରୁ ୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ ହେବା ପରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ସହଦେବଖୁଣ୍ଟା ଥାନା ପୁଲିସ ଗିରଫ କରିଥିବା ବ୍ରାଉନସୁଗାର କାରବାରର କିଙ୍ଗପିନ୍ ତଥା ମଧ୍ୟପ୍ରଦେଶର ଆୟୁବ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ପୁଲିସ ଜାଣିବାକୁ ପାଇଛି ଆୟୁବ ଓଡ଼ିଶା ସମେତ ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ତା’ର ନେଟୱର୍କ ଚଳାଇଥିଲା। କଟକ ଓ ଭୁବନେଶ୍ବରରେ ଥିବା ଟ୍ରକ ଟର୍ମିନାଲ ହେଉଛି ତାର ମୁଖ୍ୟ ଡିପୋ। ବ୍ରାଉନସୁଗାର କାରବାର କରିବ‌ା ବେଳେ ସେ ହ୍ବାଟସ୍ଆପ୍‌ କଲ୍‌ର ବ୍ୟବହାର କରିଥାଏ। ତେଣୁ ଏହାର ଖୋଳତାଡ଼ କରିବ ପୁଲିସ। ଏଥିପାଇଁ ହ୍ବାଟସ୍‌ଆପ୍‌କୁ ଚିଠି କରାଯାଇଛି। ସେହିପରି ତାକୁ ପଚରା ଉଚରା କରିବାକୁ ବାଲେଶ୍ବର ପୁଲିସ ପକ୍ଷରୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯାଇଥିଲା। କିନ୍ତୁ କୋର୍ଟ ୩ ଦିନ ଲାଗି ଅନୁମତି ଦେଇଛନ୍ତି।

ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଚଳାଇଥିଲା ବ୍ରାଉନସୁଗାର କାରବାର
ଭୁବନେଶ୍ବର ଓ କଟକର ଟ୍ରକ ଟର୍ମିନାଲ ମୁଖ୍ୟ ଡିପୋ
ହ୍ବାଟସ୍‌ଆପ କଲ୍‌ର ହେବ ଖୋଳତାଡ଼

ଅପରପକ୍ଷରେ ଏତେ ପରିମାଣର ବ୍ରାଉନସୁଗାର ରାଜ୍ୟରୁ ଜବତ ହେବା ପ୍ରଥମ ଘଟଣା। ଆୟୁବ ଓଡ଼ିଶାରେ ତା’ର ନେଟୱର୍କ କେମିତି ଚଳାଉଥିଲା, କେଉଁମାନେ ତା’ର ସହଯୋଗୀ ଥିଲେ, ସେ କେଉଁଠୁ ବ୍ରାଉନସୁଗାର ଆଣି ସାରା ରାଜ୍ୟକୁ ଚାଲାଣ କରୁଥିଲା ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ପୁଲିସ ମୁଖ୍ୟାଳୟରୁ କ୍ରାଇମବ୍ରାଞ୍ଚର ଏସଟିଏଫ୍‌କୁ ନିର୍ଦେଶ ଦିଆଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏସଟିଏଫ୍‌ର ଏକ ସ୍ବତନ୍ତ୍ର ଟିମ୍ ବାଲେଶ୍ବର ଯାଇ ଆୟୁବକୁ ପଚରା ଉଚରା କରିବ। ଆବଶ୍ୟକ ହେଲେ ଏସଟିଏଫ୍ ତାକୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ଆୟୁବ ଅନ୍ତର୍ଜାତୀୟସ୍ତରର ବ୍ରାଉନସୁଗାର ବେପାରୀ ହୋଇଥିବାରୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଏଥିରେ ହସ୍ତକ୍ଷେପ କରି ପାରେ ବୋଲି ସୂଚନା ମିଳିଛି।

ଏ ସମ୍ପର୍କରେ ଆଇଜି ହିମାଂଶୁ ଲାଲ କହିଛନ୍ତି, ଆୟୁବ ମୁଖ୍ୟତଃ ପଶ୍ଚିମବଙ୍ଗରୁ ବ୍ରାଉନସୁଗାର ଆଣି ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଓଡ଼ିଶାକୁ ଚାଲାଣ କରୁଥିଲା। ସେହିପରି ଟ୍ରକ ଚାଳକମାନେ ହିଁ ତାର ନେଟୱର୍କର ସଦସ୍ୟ। ରାଜ୍ୟ ବାହାରୁ ଯେଉଁ ସବୁ ଟ୍ରକ ଆସୁଛି ସେହି ଥିରେ ହିଁ ବ୍ରାଉନସୁଗାର ଚାଲାଣ କରିଥାଏ ଆୟୁବ। ଟ୍ରକରେ ବ୍ରାଉନସୁଗାର ଭୁବନେଶ୍ବରରେ ପହଞ୍ଚିବା ପରେ କାର ଓ ଅନ୍ୟଗାଡ଼ି ମାଧ୍ୟମରେ ବ୍ରାଉନସୁଗାର ବିଭିନ୍ନ ସ୍ଥାନକୁ ଯାଇଥାଏ। ସେହିପରି ପୁଲିସର ୪ଟି ସ୍ବତନ୍ତ୍ର ଟିମ୍ ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ଯିବ। ସେଠାରେ କେଉଁମାନେ ଆୟୁବର ସାମ୍ରାଜ୍ୟକୁ ଚଳାଉଛନ୍ତି, ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଏଥିପାଇଁ ଆବଶ୍ୟକ ପଡ଼ିଲେ, ଏସଟିଏଫ୍ ଓ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସହଯୋଗ ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର