କରୋନା ସଂକ୍ରମଣର କାରଣ କହି ଦିଲ୍ଲୀର ଦୁଇ ମହିଳା ଡାକ୍ତରଙ୍କୁ ସ୍ଥାନୀୟ ଲୋକଙ୍କ ନିର୍ଯାତନା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଦୁଇ ଜଣକ ମହିଳା ଡାକ୍ତରଙ୍କୁ ଗୌତମ ନଗର ଅଞ୍ଚଳରେ ରହୁଥିବା ବାସିନ୍ଦାମାନେ ତାଙ୍କ ଘର ନିକଟରେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଏହି ଦୁଇ ଡାକ୍ତରଙ୍କ ପାଇଁ ହିଁ ସଂପୃକ୍ତ ଅଞ୍ଚଳରେ କରୋନା ବ୍ୟାପୁଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଦୁଇ ଜଣକ ମହିଳା ଫଳ କିଣିବା ପାଇଁ ବଜାରକୁ ଯାଉଥିବା ସମୟରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪୪ ବର୍ଷିଅ ଜ‌ଣେ ବ୍ୟକ୍ତି ତାଙ୍କୁ ‘କରୋନା ଭାଇରସ୍‌ ସ୍ପ୍ରେଡର୍‌’ ବୋଲି କହି ଅଭିଯୋଗ ଆଣିଥିଲେ। ଏହି ଦୁଇ ଡାକ୍ତର ସାମାଜିକ ଦୂରତ୍ବ ବଜାୟ ରଖୁନାହାନ୍ତି କହି ବ୍ୟକ୍ତି ଜଣଙ୍କ ସେମାନଙ୍କୁ ନିର୍ଯାତନା ଦେଇଥିଲେ।

କେବଳ ସେତିକି ନୁହେଁ, ଏପରିକି ବ୍ୟକ୍ତି ଜଣକ ଦୁଇ ମହିଳା ଡାକ୍ତରଙ୍କ ଭିତରୁ ଜଣଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ବି ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଓ ଅସଦାଚାରଣ ମାମଲା ରୁଜୁ ହୋଇଛି।

ଉଲ୍ଲେଖଯୋଗ୍ୟ, ସାମାଜିକ ଦୂରତ୍ବ ବଜାୟ ରଖିଲେ ହିଁ କରୋନାକୁ ହରାଇ ହେବ ବୋଲି ସରକାର ଘୋଷଣା କରିବା ପରେ ସାରା ଦେଶରେ ଲକ୍‌ଲାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ସେପରି କୌଣସି ଗୁରୁତ୍ବପୂର୍ଣ୍ଣ କାମ ନଥାଇ ବାହାରକୁ ବାହାରିଲେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ସମ୍ବନ୍ଧିତ ଖବର