ଲିଖିତ ମାନବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ଥିଲା ଜୁଲାଇ

ଜାତୀୟ ମହାସାଗର ଏବଂ ବାୟୁମଣ୍ଡଳ ପ୍ରଶାସନ (ଏନ୍‌ଓଏଏ)ର ନୂତନ ତଥ୍ୟ ଅନୁଯାୟୀ ୨୦୨୧ ମସିହାର ଜୁଲାଇ ମସେ ଥିଲା ଅଦ୍ୟାବଧି ଲିଖିତ ମାନବ ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ। ଏନ୍‌ଓଏଏର ପ୍ରଶାସକ ରିକ୍ ସ୍ପିନ୍ରାଡ ଏକ ବିବୃତିରେ କହିଛନ୍ତି ଯେ, ଏହି କ୍ଷେତ୍ରରେ ପ୍ରଥମ ସ୍ଥାନ ମାନେ ସବୁଠାରୁ ଖରାପ ସ୍ଥାନ। ଜୁଲାଇ ସାଧାରଣତଃ ବର୍ଷରେ ବିଶ୍ବର ସବୁଠୁ ଉଷ୍ମ ମାସ ହୋଇଥାଏ, କିନ୍ତୁ ଜୁଲାଇ ୨୦୨୧ ଅଦ୍ୟାବଧି ରେକର୍ଡ ହୋଇଥିବା ଜୁଲାଇ ମାସଗୁଡ଼ିକ ଭିତରେ ସବୁଠାରୁ ଉତ୍ତପ୍ତ ଏବଂ ଚଳିତବର୍ଷର ସବୁଠୁ ଉତ୍ତପ୍ତ ମାସ ବୋଲି ସେ କହିଛନ୍ତି।

ସ୍ପିନ୍ରାଡ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ବିଶ୍ବକୁ ଏକ ଚିନ୍ତାଜନକ ସ୍ଥିତିରେ ପକାଇଛି ଏବଂ ଏହି ରେକର୍ଡ ତାହା ସୂଚାଉଛି। ଗବେଷଣାରୁ ଜଣାପଡିଛି ଯେ ଉତ୍ତପ୍ତ ଜଳବାୟୁ ହିଟ୍‌ ୱେଭ୍, ମରୁଡ଼ି ଓ ବନ୍ୟାକୁ ଆଗ ଅପେକ୍ଷା ଅଧିକ ତୀବ୍ର କରୁଛି ଓ ଏଗୁଡ଼ିକ ଅଧିକ ଥର ବି ଘଟୁଛି। ଉତ୍ତର-ପଶ୍ଚିମ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ଚଳିତ ବର୍ଷର ଗ୍ରୀଷ୍ମଋତୁରେ ଦ୍ୱିତୀୟ ହିଟ୍‌ ୱେଭ୍‌ର ସମ୍ମୁଖୀନ ହୋଇଛି। ତାପମାତ୍ରା ୧୦୦ ଡିଗ୍ରି ଫାରେନହିଟ ଉପରେ ରହିବା ସହିତ ଓରେଗନ୍ ଓ କାଲିଫର୍ଣ୍ଣିଆର ଆଖପାଖ ଅଞ୍ଚଳର ଜଙ୍ଗଲ ଜଳିଯାଇଥିଲା। ଏନ୍‌ଓଏଏ ଅନୁଯାୟୀ, ଗତ ମାସଟି ଥିଲା ୧୪୨ ବର୍ଷ ଭିତରେ ସବୁଠାରୁ ଉତ୍ତପ୍ତ ଜୁଲାଇ।

ଗତ ମାସରେ ବିଶ୍ବର ସ୍ଥଳ ଓ ମହାସାଗରର ମିଳିତ ହାରାହାରି ତାପମାତ୍ରା ବିଂଶ ଶତାବ୍ଦୀର ହାରାହାରି ୬୦.୪ ଡିଗ୍ରୀ ଫାରେନହିଟଠାରୁ ୧.୬୭ ଡିଗ୍ରୀ ଅଧିକ ଥିଲା ବୋଲି ଏଜେନ୍ସି କହିଛି। ପୂର୍ବ ରେକର୍ଡ ୨୦୧୬ରେ ସ୍ଥିର ହୋଇଥିଲା ଏବଂ ୨୦୧୯ ଓ ୨୦୨୦ରେ ପୁନରାବୃତ୍ତି ହୋଇଥିଲା। ଉତ୍ତର ଗୋଲାର୍ଦ୍ଧରେ ଜୁଲାଇ ପାଇଁ ସ୍ଥଳଭାଗର ତାପମାତ୍ରା ହାରାହାରିଠାରୁ ୨.୭୭ଡିଗ୍ରୀ ଅଧିକ ଥିଲା। ଏନ୍‌ଓଏଏ ଅନୁଯାୟୀ ଏହା ଥିଲା ଏସିଆ ମହାଦେଶର ସବୁଠାରୁ ଉତ୍ତପ୍ତ ଜୁଲାଇ ଏବଂ ୟୁରୋପ ପାଇଁ ଥିଲା ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ଜୁଲାଇ।

ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା ଓ ଓସେନିଆ ଦ୍ବୀପପୁଞ୍ଜ ପାଇଁ ଏହା ସବୁଠୁ ଉତ୍ତପ୍ତ ଜୁଲାଇ ମାସଗୁଡ଼ିକ ଭିତରେ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ପାଇଥିଲା। ୨୦୦ରୁ ଅଧିକ ଜଳବାୟୁ ବୈଜ୍ଞାନିକ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ କରିବାର କିଛି ଦିନ ପରେ ଏହି ଖବର ଆସିଥିଲା, ଯେଉଁଥିରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ଆସନ୍ତା ବର୍ଷଗୁଡ଼ିକରେ ଗରମ ପାଗକୁ ଆହୁରି ବଢ଼େଇବ। ତେବେ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ଦ୍ୱାରା ଏହାର ଖରାପ ପରିଣାମକୁ ରୋକାଯାଇପାରିବ ବୋଲି ଏଥିରେ କୁହାଯାଇଛି।

 

(ଏହି ଆଲେଖ୍ୟଟି ‘ପୁନଶ୍ଚ ପୃଥିବୀ’କୁ ନେଇ ଆଧାରିତ | ସମ୍ବାଦ ଡିଜିଟାଲ ଦ୍ୱାରା ଆରମ୍ଭ କରାଯାଇଥିବା ଜନସଚେତନତା କାର୍ଯ୍ୟକ୍ରମ ‘ପୁନଶ୍ଚ ପୃଥିବୀ’ ପାଇଁ ଆଲେଖ୍ୟଟି ଉଦ୍ଦିଷ୍ଟ | )

ସମ୍ବନ୍ଧିତ ଖବର