ବିରଳ ରେକର୍ଡ: ନଦୀରୁ ଉଦ୍ଧାର ହେଲେ ୧୧୧ ବୋଲବମ୍‌ ଭକ୍ତ

ହରିଦ୍ୱାର: ଉତ୍ତରାଖଣ୍ଡ ପୁଲିସ ଓ ଏନଡିଆରଏଫ ଟିମ୍‌ ଚଳିତ ବର୍ଷର ବୋଲବମ୍‌ ଋତୁରେ ନଦୀରୁ ୧୧୧ ଜଣ ବୋଲବମ୍‌ ଭକ୍ତଙ୍କୁ ଉଦ୍ଧାର କରିଛି। ଜାତୀୟ ଗଣମାଧ୍ୟମକୁ ଉତ୍ତରାଖଣ୍ଡ ପୁଲିସର ଏଡିଜି ଅଶୋକ କୁମାର କହିଛନ୍ତି, ହରିଦ୍ୱାରରୁ ଉତ୍ତରକାଶୀର ଗଙ୍ଗୋତ୍ରୀ ଧାମ ପର୍ଯ୍ୟନ୍ତ ଏଥର ପୁଲିସ ରେକର୍ଡ ସଂଖ୍ୟାରେ ବୋଲବମ୍‌ ଭକ୍ତଙ୍କୁ ଉଦ୍ଧାର କରିଛି। ଚଳିତ ବର୍ଷ ପାଣିରେ ବୁଡ଼ିଯାଇ କୌଣସି ବୋଲବମ୍‌ ଭକ୍ତଙ୍କର ଜୀବନ ଯାଇ ନାହିଁ।

ଅଶୋକ କୁମାର କହିଛନ୍ତି, ଖୀପ୍ର ଗତିରେ ବହି ଯାଉଥିବା ପାଣିରେ ଯେତେବେଳେ ବୋଲବମ ଭକ୍ତମାନେ ପ୍ରବେଶ କରନ୍ତି, ସେମାନେ ବେଳେବେଳେ ପାଣିରେ ବୁଡି ଯାଇଥାନ୍ତି। ଏଥର କିନ୍ତୁ ଆମେ ପ୍ରତିଜ୍ଞା କରିଥିଲୁ ଯେ, କୌଣସି ବୋଲବମ ଭକ୍ତଙ୍କୁ ମରିବାକୁ ଦେବୁ ନାହୁଁ। ଏଥି ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଅଶୋକ କୁମାର କହିଛନ୍ତି, ଯଦି ଗଙ୍ଗାଜଳ ପାଇଁ ଆସିଥିବା କୌଣସି ବୋଲବମ୍‌ ଭକ୍ତଙ୍କର ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇଯାଏ, ତା’ ହେଲେ ବଡ଼ ଦୁଃଖର ବିଷୟ। ଏଥର ପୁଲିସ ଦିନରାତି ଜାଗ୍ରତ ରହିଥିଲା ଓ ୧୧୧ ଜଣ ବୋଲବମ ଭକ୍ତଙ୍କୁ ନଦୀରୁ ଉଦ୍ଧାର କରିଛି ବୋଲି ବରିଷ୍ଠ ପୁଲିସ ଅଧିକାରୀ ଅଶୋକ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର