ଦୂର ଜିନିଷ ଦେଖିବା ପାଇଁ ଲୋକଙ୍କୁ ମିଳିବ ଟେଲିସ୍କୋପ
କ୍ୟାପିଟାଲ ହସ୍ପିଟାଲରେ ସାର୍ବଜନୀନ ଚକ୍ଷୁ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଦୂର ଜିନିଷ ଦେଖିବାରେ କଷ୍ଟ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଟେଲିସ୍କୋପ ଯୋଗାଇ ଦିଆଯିବ। ଟେଲିସ୍କୋପ ଜରିଆରେ ଲୋକମାନେ ଦୂର ଜିନିଷକୁ ଦେଖିପାରିବେ। ବିଶେଷକରି ବୟସ୍କ ବ୍ୟକ୍ତି ଓ ଯେଉଁ ଶିଶୁ ଏହି ରୋଗର ଶିକାର ସେମାନଙ୍କ ପାଇଁ ଏହା ଫଳପ୍ରଦ ହୋଇପାରିବ। କ୍ୟାପିଟାଲ ହସ୍ପିଟାଲରେ ଏଭଳି ସୁବିଧା ଲୋକମାନେ ପାଇପାରିବେ। ମାତ୍ର ଜାଗା ଅଭାବରୁ ଏହି କାର୍ଯ୍ୟ ତ୍ୱରାନ୍ଵିତ ହୋଇପାରୁ ନ ଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ସାର୍ବଜନୀନ ଚକ୍ଷୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ଆସନ୍ତା ୫ବର୍ଷରେ ୬ଶହ କୋଟି ଟଙ୍କା ଖର୍ଚ କରିବେ। ଏଥିପାଇଁ ଏକ େଓ୍ଵବସାଇଟ୍ ଓ ଆପ୍ର ମଧ୍ୟ ଉନ୍ମୋଚନ କରାଯାଇଛି। ତେବେ ଏହି କାର୍ଯ୍ୟକ୍ରମ ଜରିଆରେ ମୋତିଆବିନ୍ଦୁ ଓ ମଧୁମେହ ଜନିତ ଚକ୍ଷୁ ରୋଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ତେବେ ଦୂର ଜିନିଷକୁ ଦେଖିବାରେ ଅସୁବିଧା ଭୋଗ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ମିଳିବ।
ବୟସ୍କ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ଟିଭି, ଖବରକାଗଜ କିମ୍ବା ଅନ୍ୟାନ୍ୟ ଜିନିଷ ଦେଖିବା ପାଇଁ ସେମାନଙ୍କୁ ଟେଲିସ୍କୋପ ଦିଆଯିବ। ଟେଲିସ୍କୋପ୍କୁ ଆଖିରେ ଲଗାଇ ସେମାନେ ଦୂର ଜିନିଷକୁ ଦେଖିପାରିବେ। ସେହିପରି ଲୋକଙ୍କୁ ମାଗ୍ନିଫାୟାର ମଧ୍ୟ ଯୋଗାଇ ଦିଆଯିବ। ଆବଶ୍ୟକ ପଡ଼ିଲେ ଏକ ସିସିଟିଭି ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ତେବେ ଏଥିପାଇଁ ଲୋକଙ୍କୁ ଆବଶ୍ୟକ ଅର୍ଥ ଦେବାକୁ ହେବ। କ୍ୟାପିଟାଲ ହସ୍ପିଟାଲ ସମେତ ଏମ୍କେସିଜି ମେଡିକାଲ କଲେଜ ଓ ବୁର୍ଲା ମେଡିକାଲ କଲେଜରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରେ ଆବଶ୍ୟକ ଯନ୍ତ୍ରପାତି ପହଞ୍ଚି ସାରିଛି। ମାତ୍ର ଜାଗା ଅଭାବରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁ ନାହିଁ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଜରିଆରେ ଏହି କାର୍ଯ୍ୟକ୍ରମ ଚାଲିବ। ତେଣୁ ଏଥିପାଇଁ ବିଭାଗକୁ ଜାଗା ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଜାଗା ମିଳିବା ପରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଅଧିକାରୀ ଜଣକ କହିଛନ୍ତି।
ୟୁକେର ସାଇଟ ସେଭର୍ସ ଓ ରାଜ୍ୟ ସରକାରଙ୍କ ମଧ୍ୟ ଏଥିପାଇଁ ଚୁକ୍ତି ହୋଇଛି। ସାଇଟ୍ ସେଭର୍ସ ପକ୍ଷରୁ ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦିଆଯିବ। ରାଜ୍ୟରେ ଚକ୍ଷୁ ସଚେତନତା ନେଇ ୧୫ଟି ଜିଲ୍ଲାରେ ସାଇଟ ସେଭର୍ସ ପକ୍ଷରୁ କାର୍ଯ୍ୟକ୍ରମ ଜାରି ରହିଛି।