ଆପାର୍ଟମେଣ୍ଟ ପାଚେରି ଉଚ୍ଛେଦ ବେଳେ ଉତ୍ତେଜନା, ଫେରିଲା ମିଳିତ ସ୍କ୍ବାଡ୍‌

ପୁରୁଣା ଭୁବନେଶ୍ୱର: ସର୍ବସାଧାରଣ ରାସ୍ତା ବାହାନାରେ ଏକ ଆପାର୍ଟମେଣ୍ଟ ପାଚେରି ଭାଙ୍ଗିବାକୁ ଆସି ଆଜି ବିଏମ୍‌ସି, ବିଡିଏ ଓ ସାଧାରଣ ପ୍ରଶାସନ(ଜିଏ)ର ମିଳିତ ସ୍କ୍ବାଡ୍ ଖାଲି ହାତରେ ଫେରିଛି। ଆପାର୍ଟମେଣ୍ଟ ବାସିନ୍ଦାଙ୍କ ଜୋର୍‌ଦାର ବିରୋଧ ଯୋଗୁଁ ଉଚ୍ଛେଦ ସ୍କ୍ବାଡ୍‌ ପାଚେରି ଭାଙ୍ଗି ପାରିନାହିଁ। ୨୩ ବର୍ଷ ପରେ ସାଧାରଣ ରାସ୍ତା କଥା ମନେ ପକାଇ ବିନା ମାପଚୁପରେ ସାଧାରଣ ପ୍ରଶାସନ ଏହି ପାଚେରି ଭାଙ୍ଗିବାକୁ ଆସିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ରାଜରାସ୍ତାକୁ ଆସି ବିରୋଧ କରିଥିଲେ। କରୋନା କଟକଣା ସମୟରେ ଉଚ୍ଛେଦକୁ ବିରୋଧ କରି ପୂର୍ବତନ କର୍ପୋରେଟର ସେମାନଙ୍କ ସହ ସ୍ବର ମିଳାଇବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ତେଣୁ ପୁଣି ଥରେ ମାପଚୁପ କରି ସର୍ବସାଧାରଣ ରାସ୍ତା ଜବରଦଖଲ ହୋଇଛି କି ନାହିଁ, ସ୍ପଷ୍ଟ କରିବାକୁ ସ୍ଥିର ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଆଜି ନାଗେଶ୍ବରଟାଙ୍ଗି ମାୟାପୁରୀ ଆପାର୍ଟମେଣ୍ଟ୍‌ ପାଚେରିକୁ ଭାଙ୍ଗିବାକୁ ବିଡିଏ, ବିଏମ୍‌ସି ଓ ସାଧାରଣ ପ୍ରାଶାସନ ବିଭାଗର ମିଳିତ ସ୍କ୍ବାଡ୍‌ ପହଞ୍ଚିଥିଲା। ଆପାର୍ଟମେଣ୍ଟ୍‌ ପରିସରରେ ଏକ ସର୍ବସାଧାରଣ ରାସ୍ତା ଥିବା ଦର୍ଶାଇ ପାଚେରି ଭାଙ୍ଗିବାକୁ ସ୍କ୍ବାଡ୍‌ ପ୍ରସ୍ତୁ୍ତ ହୋଇଥିଲା। କିନ୍ତୁ ଆପାର୍ଟମେଣ୍ଟ ବାସିନ୍ଦାମାନେ ଏହାକୁ ବିରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ମାୟାପୁରୀ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ ଦୀର୍ଘ ୨୩ ବର୍ଷ ହେଲା ୪୮ଟି ପରିବାର ଏଠାରେ ଘର କିଣି ରହି ଆସୁଛନ୍ତି। ସେତେବେଳେ ଶ୍ରଦ୍ଧାଞ୍ଜଳି ରିୟଲ୍‌ ଇଷ୍ଟେଟ୍‌ ନାମକ ସଂସ୍ଥା ଓ ଜମିର ମାଲିକ ଶୀର୍ଷକ ରଥ ଏହି ଘରଗୁଡ଼ିକୁ ବିକ୍ରି କରିଥିଲେ। ଗୌତମନଗର ମୌଜା ଖାତା ନମ୍ବର ୨୨୭୯ର ପ୍ଲଟ୍‌ ନମ୍ବର ୫୧୪/୪୧୯୬(ପାର୍ଟ)ରେ ଥିବା ଏହି ଆପାର୍ଟମେଣ୍ଟ ରହିଛି। କିନ୍ତୁ ଏହାର ପାର୍କିଂ ସ୍ଥଳଟି ଏକ ସର୍ବସାଧାରଣ ରାସ୍ତାରେ ରହିଛି ବୋଲି ଏବେ ସାଧାରଣ ପ୍ରଶାସନ ବିଭାଗ ଦର୍ଶାଉଛି। ଦୀର୍ଘ ୨୩ ବର୍ଷ କାଳ ସାଧାରଣ ପ୍ରଶାସନ ବିଭାଗ କୁଆଡ଼େ ଥିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ। ଉଚ୍ଛେଦ ସ୍କ୍ବାଡ୍‌ ଓ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ସ୍ଥାନୀୟ ଅଧିବାସୀ ଓ ପୂର୍ବତନ କର୍ପୋ‌ରେଟର ସୀମା ନାୟକ ଘଟଣାସ୍ଥଳରେ ପହଞ୍ଚି ଆପାର୍ଟମେଣ୍ଟ ବା‌ସିନ୍ଦାଙ୍କ ସମର୍ଥନ କରିଥିଲେ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେଠାରେ ଯୁକ୍ତିତର୍କ ଓ ରେକର୍ଡପତ୍ର ଅନୁଧ୍ୟାନ ଚାଲିଥିଲା ଓ ବେଳକୁ ବେଳ ଉତ୍ତେଜନା ମାତ୍ରା ବଢ଼ିବାରେ ଲାଗିଥିଲା।

ଆପାର୍ଟମେଣ୍ଟ ଓନର୍‌ ଆସୋସିଏସନ୍‌ର ସମ୍ପାଦକ ଅଜିତ କୁମାର ରାଉତରାୟଙ୍କ କହିବା କଥା, ୨୩ ବର୍ଷ ପୂର୍ବରୁ ବିଲଡ଼୍‌ର୍‌ ପ୍ଲଟ୍‌ ବିକ୍ରି କଲା ବେଳେ ବିଡିଏ ପ୍ଲାନ୍‌, ଇସି ଓ ସବୁ ରେକର୍ଡପତ୍ର ଯାଞ୍ଚ କରି ସେମାନେ ଜମି କିଣିଥିଲେ। ସେତେବେଳେ ଏଠାରେ ସର୍ବସାଧାରଣ ରାସ୍ତା କି ଅନ୍ୟ କାହାରି ଜମି ନଥିଲା ବୋଲି ଦର୍ଶାଯାଇଥିଲା। ଏବେ ହଠାତ୍‌ କିପରି ସାଧାରଣ ପ୍ରଶାସନର ଜମି ବାହାରିଲା? ଅନ୍ୟତମ ବରିଷ୍ଠ ସଭ୍ୟ ସଦାଶିବ ମହାପାତ୍ରଙ୍କ କହିବା କଥା, ମୂଳ ମାଲିକ ଆପାର୍ଟମେଣ୍ଟ ପରିସରସ୍ଥିତ ସମସ୍ତ ଜମି ତାଙ୍କର ବୋଲି ଦର୍ଶାଇ ବିକ୍ରି କରିଛନ୍ତି। ଏବେ ଏହା ପାର୍ଶ୍ବରେ ଥିବା ଜମିକୁ ବିଲଡ଼୍‌ରକୁ ବିକ୍ରି କରିବା ପରେ ରାସ୍ତା ନାଁରେ ଚକ୍ରାନ୍ତ କରି ଜବରଦଖଲ କରିବାକୁ ଚାହୁଁଛନ୍ତି। ଏଥିରେ ସାଧାରଣ ପ୍ରଶାସନ ଷଡ଼ଯନ୍ତ୍ରକାରୀଙ୍କୁ ସମର୍ଥନ କରୁଛି ବୋଲି ସେ ଅଭିଯୋଗ କରିଥିଲେ। ପୂର୍ବତନ କର୍ପୋରେଟର ଶ୍ରୀମତୀ ନାୟକ ପୁଣିଥରେ ମାପ କରିବାକୁ ଦାବି କରିଥିଲେ। ଆପାର୍ଟମେଣ୍ଟ ବାସିନ୍ଦା ଏବଂ ବିଏମ୍‌ସି, ବିଡିଏ ଓ ସାଧାରଣ ପ୍ରଶାସନର ମିଳିତ ଟିମ୍‌ ଉପସ୍ଥିତିରେ ପରେ କେବେ ଏହି ଜମି ମାପ କରାଯିବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର