ଖୋଲୁଛି ଗୋଲ୍‌ଡେନ୍‌ ବାବାର ଗୁମର: ୧୬ କୋଟିର କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ

କଟକ: ଗୋଲଡେନ୍‌ ବାବାକୁ ପୁଣି ଲାଗିଛି ବଡ଼ ଝଟ୍‌କା। ତା’ ବିରୋଧରେ କମିସନରେଟ୍‌ ପୁଲିସରେ ରୁଜୁ ହୋଇଥିବା ମୋଟ ୪ଟି ଠକେଇ ମାମଲାରୁ ଦୁଇଟିର ତଦନ୍ତ ଦାୟିତ୍ବ କ୍ରାଇମ୍‌ ବ୍ରାଞ୍ଚ ଗ୍ରହଣ କରିଛି। ଦୁଇଟି ମାମଲାରେ ମୋଟ ୧୬ କୋଟି ୫ ଲକ୍ଷ ୪୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। କ୍ରାଇମ୍‌ ବ୍ରାଞ୍ଚ ଆଜି ଦୁଇଟି ପୃଥକ ମାମଲା ରୁଜୁ କରିଥିବା ବେଳେ ଇଓଡବ୍ଲୁର ଜଣେ ଇନ୍‌ସ୍ପେକ୍ଟରଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଥିବା କ୍ରାଇମ୍‌ ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏବେ ଗୋଲ୍‌ଡେନ୍‌ ବାବାର ଠକେଇ ସମତେ ଗୋରୁ ଚାଲାଣ, ଦାଦାବଟି ଭଳି ୧୯ରୁ ଅଧିକ ମାମଲା ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ ସ୍କାନର‌୍‌କୁ ଆସିଛି। ଓଡ଼ିଶା ବାହାରେ ଗୋଲ୍‌ଡେନ୍‌ ବାବାର ନେଟ୍‌ଵାର୍କ ଲମ୍ବିଥିବାରୁ କ୍ରାଇମ୍‌ ବ୍ରାଞ୍ଚ ରାଜ୍ୟ ବାହାରକୁ ଯାଇ ଖୋଳତାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜ୍ୟୋତିରଞ୍ଜନ ବେଉରା ଓରଫ ବାପୁ ଓରଫ ଗୋଲ୍‌ଡେନ୍‌ ବାବା ଭୁବନେଶ୍ବର ନୀଳାଦ୍ରିବିହାର ଅଞ୍ଚଳରେ ରହୁଥିଲା। ସେ ବଡ଼ବିଲ୍‌ରେ ଥିବା ଏମ୍‌ଏସ୍‌ ନେସନାଲ ଏଣ୍ଟରପ୍ରାଇଜେସ୍‌ ନାମକ ଏକ ଖଣି କମ୍ପାନିକୁ ୧୧୦ କୋଟି ଟଙ୍କା ଋଣ କରାଇଦେବାକୁ ସ˚ସ୍ଥାର ମାଲିକ ଚରଣଜିତ୍‌ ସି˚ହ ଗ୍ରେଵାଲଙ୍କ ସହିତ ଚୁକ୍ତି କରିଥିଲା। ଚରଣଜିତ୍‌ ୧୧ଟି ସିକ୍ୟୁରିଟି ଚେକ୍‌ ବାବାକୁ ଦେଇଥିଲେ। ଟଙ୍କା ଉଠାଣ ସମୟ ୨୦୨୦ ଏପ୍ରିଲ୍‌ରୁ ୨୦୩୦ ଏପ୍ରିଲ୍‌ ଯାଏ ଅବଧି ରହିଥିଲା। ମାତ୍ର ଗୋଲ୍‌ଡେନ୍‌ ବାବା ୨୦୧୮ ସେପ୍ଟେମ୍ବରରେ ଗୋଟିଏ ଚେକ୍‌ ଜାଲିଆତି କରି ଦିଲ୍ଲୀସ୍ଥିତ ଏକ ବ୍ୟାଙ୍କ ଶାଖାରୁ ୧୨ କୋଟି ଟଙ୍କା ଉଠାଇ ନେଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଏ ସ˚କ୍ରାନ୍ତରେ ଏତଲା ହେବାରୁ ଗତ ଡିସେମ୍ବର ୩୧ ରେ ପୁଲିସ ତାକୁ ଗିରଫ କରିଥିଲା। ପୁଲିସ ତାକୁ ରିମାଣ୍ତରେ ଆଣି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଥିଲା। କିନ୍ତୁ ମାମଲାକୁ ଗୁରୁତ୍ବକୁ ଦୃଷ୍ଟିରେ ରଖି ଘଟଣାର ତଦନ୍ତ ଭାର କ୍ରାଇମ୍‌ ବ୍ରାଞ୍ଚ ଗ୍ରହଣ କରୁ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କୁ ଚିଠି ଲେଖାଯାଇଥିଲା। ସେହି ଆଧାରରେ କ୍ରାଇମ୍‌ବ୍ରାଞ୍ଚ ଚନ୍ଦ୍ରଶେଖରପୁର ଥାନାରେ ଡିସେମ୍ବର ୭ ତାରିଖରେ ରୁଜୁ ହୋଇଥିବା ମାମଲା(କେସ୍‌ ନ˚ ୫୦୩/୧୮) ଦଫା ୪୬୭, ୪୬୮, ୪୭୧, ୪୨୦, ୫୧୧କୁ ଆଜି ଗ୍ରହଣ କରିଛି। ଏହି ମାମଲାରେ ୧୨ କୋଟି ୪୦ ହଜାର ଟଙ୍କା ଠକେଇ ହୋଇଥିଲା। କ୍ରାଇମ୍‌ ବ୍ରାଞ୍ଚ ଏକ ମାମଲା(କେସ୍‌ ନ˚୧/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେହିପରି ଗୋଲ୍‌ଡେନ୍‌ ବାବା ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଗତ ଜାନୁଆରି ୯ ତାରିଖରେ ଆଉ ଏକ ମାମଲା(କେସ୍‌ ନ˚ ୧୩/୧୮)ରେ ଦଫା ୪୧୭, ୪୨୦, ୨୯୪, ୫୦୬, ୩୪ରେ ରୁଜୁ ହୋଇଥିଲା। ଏଥିରେ ୪ କୋଟି ୫ ଲକ୍ଷ ଟଙ୍କା ଠକେଇ ହୋଇଥିଲା। ସେହି ମାମଲାକୁ ମଧ୍ୟ କ୍ରାଇମ୍‌ ବ୍ରାଞ୍ଚ ଇଓଡବ୍ଲୁ(କେସ୍‌ ନ˚ ୨/୧୯)ରେ ରୁଜୁ କରିଛି। କିନ୍ତୁ ସହିଦନଗର ଥାନାରେ ରୁଜୁ ହୋଇଥିବା ଠକେଇ ମାମଲାଗୁଡ଼ିକ ୧ କୋଟି ଟଙ୍କାରୁ କମ୍‌ ହୋଇଥିବାରୁ କମିସନରେଟ୍‌ ପୁଲିସ ତାକୁ ତଦନ୍ତ କରିବ। କ୍ରାଇମ୍‌ ବ୍ରାଞ୍ଚ ଉକ୍ତ ମାମଲାଗୁଡ଼ିକ କେବଳ ପରିଚାଳନା କରିବ ବୋଲି ଏଡିଜି ଶ୍ରୀ ଉପାଧ୍ୟାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଦୁଇଟି ମାମଲା ରୁଜୁ, ଇନ୍‌ସ୍ପେକ୍ଟରଙ୍କୁ ଦାୟିତ୍ବ
ଓଡ଼ିଶା ବାହାରକୁ ଯିବ ଏସ୍‌ଆଇଟି

ରା‌ଜ‌ନୈତିକ ସମ୍ପୃକ୍ତିର ତଦନ୍ତ ହେଉ: ବିଜେପି
ଭୁବନେଶ୍ବର: ରିମାଣ୍ଡ କାଳରେ ଗୋଲା‌ଡେନ୍‌ ବାବା ଓରଫ ଜ୍ୟୋତିରଂଜନ ବେଉରା ଓଗାଳିଥିବା ରାଜନୈତିକ ଲିଙ୍କ୍‌ର ତଦନ୍ତ ଦାବି କରିଛି ବିଜେପି। ବାବା ସହ ବିଜେଡିର ଲିଙ୍କ୍‌ ଅଛି, କିନ୍ତୁ ଚାପରେ ପୁଲିସ କିମ୍ବା କ୍ରାଇମ୍‌ ବ୍ରାଞ୍ଚ ଏହି ଦିଗରେ ତଦନ୍ତ କରୁନାହିଁ। ଏବେ ଇଓଡବ୍ଳୁ କେବଳ ଆର୍ଥିକ କାରବାରକୁ ନେଇ ତଦନ୍ତ କରିବାକୁ ଯାଉଥିବା ବେଳେ ଏହି ବାହାନାରେ ପୁଲିସ ଖସି ଯିବାକୁ ବସିଛି। ଫଳରେ ବାବାର ରାଜନୈତିକ ଲିଙ୍କ୍‌ ତଦନ୍ତ ହେବ ନାହିଁ। ବିଜେଡିର ଏହା ଏକ ସୁପରିକଳ୍ପିତ ଷଡ୍‌ଯନ୍ତ୍ର ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେବା ଅବସରରେ କହିଛନ୍ତି ଯେ, ଗୋଲ୍‌ଡେନ୍‌ ବାବାର ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ, ତଥା ମେୟରଙ୍କ ସହ ସମ୍ପର୍କ ଥିବା ଜଳ ଜଳ ଦିଶୁଛି। ସରକାର ପୁଲିସ୍‌ଠାରୁ ମାମଲା ନେଇ କ୍ରାଇମ୍‌ ବ୍ରାଞ୍ଚକୁ କେବଳ ଆର୍ଥିକ କାରବାରର ତଦନ୍ତ କରିବାକୁ ମସୁଧା କରିଛନ୍ତି। ଅନ୍ୟପଟେ ମାମଲା କ୍ରାଇମ୍‌ ବ୍ରାଞ୍ଚକୁ ହସ୍ତାନ୍ତର କରି କମିସନରେଟ୍‌ ପୁଲିସ ଦକ୍ଷ ନୁହେଁ ବୋଲି କ’ଣ ସରକାର ପ୍ରମାଣିତ କରିବାକୁ ଚାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି ମୁଖପାତ୍ର ଦିଲ୍ଲୀପ ମହାନ୍ତି କହିଛନ୍ତି, ସହରରେ ଲାଗିଥିବା ବାବାର ଏକାଧିକ ବ୍ୟାନର୍‌ରେ ‌ବିଜେଡି ନେତାଙ୍କ ଫଟୋ ରହିଥିବା ପ୍ରମାଣ ରହିଛି। ବାବା ଧରାପଡ଼ିବା ପରେ ଏହା ସବୁ ଉଭାନ ହୋଇଯାଇଛି। ବାବା ‌ଖୋଦ୍‌ ବିଜୁ ଯୁବ ବାହିନୀର ଆଗଧାଡ଼ିର କର୍ମୀ। ତଦନ୍ତ ହେଲେ ଏହି ସବୁ ନେତାଙ୍କର ମୁଖା ଖୋଲିବ ବୋଲି ସେ କହିଛନ୍ତି।

ଗ୍ଲାମ୍‌ର ଲିଙ୍କ୍‌ର ତନାଘନା
ଭୁବନେଶ୍ବର: ରିମାଣ୍ଡ ସମୟରେ ଗୋଲଡେନ୍ ବାବା ଓରଫ ଜ୍ୟୋତିରଂଜନ ବେଉରାଠାରୁ ମିଳିଥିବା ତଥ୍ୟକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ୧.୫କେଜି ସୁନା ସହ ପାଖାପାଖି ୧୦୦ କୋଟି ହେରଫେରର ସନ୍ଧାନ ପାଇବା ପରେ ଏବେ ଏକ ସ୍ବତନ୍ତ୍ର ଦଳ ‌ଗୋଲଡେନ୍ ବାବାର ପଲିଟିକାଲ୍ ଓ ଗ୍ଲାମର ଲିଙ୍କ୍ ନେଇ ତଦନ୍ତ କରିଛି। ରାଜନୀତିକୁ ଆସିବାର ମୋହରେ କିଛି ହେଭିୱେଟ୍ ନେତାଙ୍କୁ ବାବା ମୋଟା ଅଙ୍କର ଟଙ୍କା ଦେଇଥିବା ପୁଲିସକୁ ସୂଚନା ମିଳିଛି। ନିଜର ପତିଆରା ବଢ଼ାଇବା ପାଇଁ କିଛି ଯୁବକଙ୍କୁ ‌ନଗଦ ଅର୍ଥ ସହ ଦାମୀ କାର୍ ମଧ୍ୟ ଉପହାର ଦେଇଥିବା ଜଣାଇଛି। ଗୋଲ୍‌ଡେନ୍‌ ବାବା କିଛି ସାମ୍ବାଦିକମାନଙ୍କୁ ମଧ୍ୟ ଟଙ୍କା ଦେଇଥିବା କହିଛି। ତେବେ ଯେଉଁ ସବୁ ନେତାଙ୍କ ସହ ସାମ୍ବାଦିକଙ୍କ ନାମ ପଦାକୁ ଆସିଛି ତାକୁ ନେଇ ଖୋଳତାଡ଼ କରିବା ପାଇଁ ପୁଲିସ ଉପରେ ଚାପ ଥିବା କୁହାଯାଉଛି। ଦୁଇଦିନ ତଳେ ରିମାଣ୍ଡ ସରିବା ପରେ ପୁଲିସ ବାବାକୁ କୋର୍ଟ ଚାଲାଣ କରିଥିଲେ ମଧ୍ୟ କେସ୍‌ ଡାଏରି ଦାଖଲ କରିନାହିଁ। ଅନ୍ୟପଟେ ଏ ସବୁ ତଥ୍ୟକୁ ନେଇ ପୁଲିସ୍ ତଦନ୍ତ ଯୋଜନା କରିଥିବା ବେଳେ ଆଜି ମାମଲାର ତଦନ୍ତ ଭାର ଇଓଡବ୍ଲୁ ନେଇଛି। ଅନ୍ୟପକ୍ଷରେ ବାବାର ନିକଟତମ ସହଯୋଗୀଙ୍କୁ ପଚରା ଉଚରା ପାଇଁ ଯୋଜନା ଥିବା ଜାଣିବା ପରେ ଅଧିକାଂଶ ବନ୍ଧୁ ଆତ୍ମଗୋପନ କରିଥିବା ଜଣାପଡ଼ିଛି। ‌ ବାବାଙ୍କର ଅଧିକାଂଶ ଅର୍ଥ ମଧ୍ୟ ଗ୍ଲାମର୍ ଦୁନିଆରେ ନିବେଶ ହେଉଥିବା ପୁଲିସ ଜାଣିବାକୁ ପାଇଛି। ଆଜି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କିଛି ଓଲିଉଡ୍‌ କଳାକାରଙ୍କ ସହ ଆଲୋଚନାକରି ଓଲିଉଡ୍‌ରେ ନିବେଶ ହୋଇଥିବା ଅର୍ଥର ଖୋଳତାଡ଼ କରିଥିବା ଜଣାପଡ଼ିଛି। ବାବାର ନିଜସ୍ବ ଏକ ପ୍ରଡକ୍ସନ ସଂସ୍ଥା‌ ଥିବା ବେଳେ କେତେକ ଅନ୍ୟ ସଂସ୍ଥାରେ ମଧ୍ୟ ଅର୍ଥ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ୨ ତାରିଖ ଦିନ ଗୋଲଡେନ୍‌ ବାବାକୁ ୫ଦିନିଆ ରିମାଣ୍ଡ‌ରେ ନେବା ପାଇଁ କମିସନରେଟ୍‌ ପୁଲିସ କୋର୍ଟରେ ଆବେଦନ କରଥିଲା। କିନ୍ତୁ ପୁଲିସକୁ ମାତ୍ର ଦୁଇ ଦିନ ପାଇଁ ଅନୁମତି ମିଳିଥିଲା। ଦୁଇଦିନର ପଚରା ଉଚରାରେ ଯେଉଁ ହେଭିୱେଟ୍‌ ନେତାଙ୍କ ନାମ ପଦାକୁ ଆସିଥିଲା ସେଥିରେ ପୁଲିସ ଉପରେ ପ୍ରବଳ ଚାପ ପଡ଼ିବ ବୋଲି ପୁଲିସ ନିଶ୍ଚିତ ହୋଇ ସାରିଥିଲା। ଏଣୁ ବାବାକୁ ପୁନଶ୍ଚ କୋର୍ଟରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସିଡି(କେସ୍‌ ଡାଏରି) ଦାଖଲ ହୋଇ ନଥିଲା। ଏବେ ଇଓଡବ୍ଲୁ ମାମଲା ତଦନ୍ତ ଭାର ନେଇଥିବାରୁ ପୁଲିସ ଆଶ୍ବସ୍ତ ହୋଇଛି।

ସମ୍ବନ୍ଧିତ ଖବର