ଗ୍ରାମୀଣ ଶାସନ ବ୍ୟବସ୍ଥା ସୁଦୃଢ଼ ପାଇଁ ବିକେନ୍ଦ୍ରୀକରଣ ଲୋଡ଼ା, ପ୍ରଫେସର ପ୍ରଭାତ କୁମାର ଦତ୍ତ

ଭୁବନେଶ୍ବର: ଗ୍ରାମୀଣ ଭାରତରେ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ବିକେନ୍ଦ୍ରୀକରଣର ଆବଶ୍ୟକତା ରହିଛି। ବିକେନ୍ଦ୍ରୀକରଣକୁ ସଫଳ କରିବାକୁ ହେଲେ କେବଳ ସ୍ଥାନୀୟ ସରକାରକୁ କ୍ଷମତା ଓ କର୍ତୃତ୍ବ ହସ୍ତାନ୍ତର କଲେ ଚଳିବ ନାହିଁ, ଏଥିପାଇଁ ଲୋକଙ୍କ ନିକଟକୁ କ୍ଷମତା ଯିବା ଆବଶ୍ୟକ। ଏହା ଥରକରେ ସମ୍ଭବ ନୁହେଁ, ବରଂ ଏହା ଏକ ପ୍ରକ୍ରିୟା। ତେଣୁ ଲୋକ ଓ ସ୍ଥାନୀୟ ସରକାରଙ୍କୁ ଯୋଡ଼ିବା ପାଇଁ ଆହ୍ବାନକୁ ସାମ୍ନା କରି ନୂଆ ପଦକ୍ଷେପ ନେବାର ଆବଶ୍ୟକତା ‌ରହିଛି। ଏକଥା କହିଛନ୍ତି କୋଲକାତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡେଭଲପ୍‌ମେଣ୍ଟ୍‌ ଷ୍ଟଡିଜ୍‌ର ପ୍ରଫେସର ପ୍ରଭାତ କୁମାର ଦତ୍ତ। ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗର ପ୍ରଫେସର ଥିବା ସ୍ବର୍ଗତ ବିଜୟିନୀ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ବିଜୟିନୀ ସ୍ମାରକୀ ବକ୍ତୃତାମାଳାରେ ଭାରତୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖି ସେ ଏହା କହିଛନ୍ତି।

ବିଜୟିନୀ ସ୍ମୃତି ଟ୍ରଷ୍ଟ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗର ମିଳିତ ଆନୁକୂଲ୍ୟରେ ଏମ୍‌କେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏମ୍‌ସର ପୂର୍ବତନ ନିର୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଆଧ୍ୟାତ୍ମିକ ସ୍ବାସ୍ଥ୍ୟର ଅଭାବ ହେଲେ ଜଣେ ପୂର୍ଣ୍ଣାଙ୍ଗ ସୁସ୍ଥତା ଲାଭ କରିପାରିବନାହିଁ। ଆଧ୍ୟାତ୍ମିକତା ସହ ତପ, ଯୋଗ ଏବଂ ଚିକିତ୍ସା କ୍ଷେତ୍ରରେ ନୀତିବାନ ଆଦର୍ଶର ଗୁରୁତ୍ବ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ‘ସମ୍ବାଦ’ର ଫିଚର ସମ୍ପାଦକ ତଥା ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ନଳିନୀ ରଂଜନ ମହାନ୍ତି, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ, ଡ.କେଶବ ଚନ୍ଦ୍ର ଶତପଥୀ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଓଡ଼ିଶୀ ସଂଗୀତରେ ପାରଦର୍ଶିତା ପାଇଁ ସାଗରିକା କୁଣ୍ଡୁଙ୍କୁ ବିଜୟିନୀ ପୁରସ୍କାର, ଲୋକ ପ୍ରଶାସନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଅରୁଣ କୁମାର ନାୟକଙ୍କୁ ବିଜୟିନୀ ମେମୋରିଆଲ୍‌ ପୁରସ୍କାର ଓ ରମାଦେବୀ ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ସୁହାନା ସାହୁଙ୍କୁ ବିଜୟିନୀ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୩ କୃତୀ ପ୍ରତିଭାଙ୍କୁ ୧୦ ହଜାର ଟଙ୍କାଅର୍ଥରାଶି ସହ ସମ୍ବର୍ଧିତ କରାଯାଇଥିଲା। ସ୍ମୃତି ଟ୍ରଷ୍ଟର ସଭାପତି ଡାକ୍ତର ଇନ୍ଦ୍ରମଣି ଜେନା ଆସନ୍ତା ବର୍ଷରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିବା ଛାତ୍ରଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଘୋଷଣା କରିଥିଲେ। ଏହି ଅବସରରେ ‘ଓଡ଼ିଆ ସ୍ବଭାବ, ଓଡ଼ିଆ ଚରିତ’ ଶୀର୍ଷକ ସ୍ମରଣିକା ବିଜୟିନୀ ୨୦୧୯ ଉନ୍ମୋଚିତ ହୋଇଥିଲା। ପ୍ରେରଣା ଓ ସୋମନାଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର