ନିଆଁରେ ଛାରଖାର କୋରିଅର୍ ଗୋଦାମ

ଖଣ୍ଡଗିରି: ଶୁକ୍ରବାର ରାତି ପ୍ରାୟ ୧ଟାବେଳେ ଯାଁଳା ଓଗାଳପଡ଼ା ବଜାରରେ ଘଟିଥିବା ଅଗ୍ନିକାଣ୍ଡ ଯୋଗୁଁ ଏକ କୋରିଅର୍ ଗୋଦାମ ଓ ଗୋଟିଏ ଔଷଧ ଦୋକାନ ଜଳି ଛାରଖାର ହୋଇଯାଇଛି। ଚାରୋଟି ଦମକଳ ପ୍ରାୟ ୨ ଘଣ୍ଟାକାଳ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏତେ ବଡ଼ ଗୋଦାମରେ ରାତି ପାଇଁ କୌଣସି କର୍ମଚାରୀ ବା ସୁରକ୍ଷାକର୍ମୀ ନଥିବାରୁ ଅଗ୍ନିକାଣ୍ଡକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। ଯାଁଳା ଫାଣ୍ଡି ପୁଲିସ ଅଗ୍ନିକାଣ୍ଡର କାରଣ ବାବଦରେ ଖୋଳତାଡ଼ କରୁଛି। କୋରିଅର୍ ଗୋଦାମ ଭିତରେ ନିଆଁ ଜଳୁଥିବା ଦେଖି ପାଖ ଦୋକାନୀମାନେ ଯାଁଳା ଫାଣ୍ଡି ପୁଲିସ ଓ ଜଟଣୀ ଦମକଳ କେନ୍ଦ୍ରକୁ ଜଣାଇଥିଲେ। ଚାହୁଁ ଚାହୁଁ ନିଆଁ ଗୋଦାମ ଭିତରୁ ବାହାରି ପାଖ ଔଷଧ ଦୋକାନକୁ ବ୍ୟାପିଥିଲା। ଜଟଣୀ ଦମକଳ ଏକାକୀ ନିଆଁ ଲିଭାଇବାରେ ସମର୍ଥ ନହେବାରୁ ପରେ ଖୋର୍ଦ୍ଧା ଓ ଭୁବନେଶ୍ବରରୁ ଆଉ ତିନୋଟି ଦମକଳ ଆସିଥିଲା। କୋରିଅର୍ ମାଲିକ ମନୋଜ ରାଉତରାୟଙ୍କ କହିବା କଥା ତାଙ୍କ ଗୋଦାମର କମ୍ପ୍ୟୁଟର ସମେତ ଅନ୍ୟାନ୍ୟ ଅଫିସ ସରଞ୍ଜାମ, ପ୍ରଚୁର କାଜୁ, ଏଲଇଡି, ଏସି ଓ ପ୍ୟାକେଟ୍‌ରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଔଷଧ ଦୋକାନୀ ଈଶ୍ବର ଭୂୟାଁଙ୍କ କହିବାନୁସାରେ ବିପୁଳ ପରିମାଣର ଔଷଧ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି।

ସମ୍ବନ୍ଧିତ ଖବର