ପଧାନସାହିରେ ପଞ୍ଚମ କରୋନା ଆକ୍ରାନ୍ତ, ସିଲ୍‌ ହେଲା ହାଇଟେକ୍‌ କଲ୍ୟାଣୀ ପ୍ଲାଜା

ବାଲିଅନ୍ତାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

ପୁରୁଣା ଭୁବନେଶ୍ୱର : ଏୟାର ଫିଲଡ଼୍‌ ଥାନା ଅଧୀନ ପଧାନସାହି ପଞ୍ଚାୟତରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପୂର୍ବରୁ ଏଠାରେ ଚାରି ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଦିନକ ପରେ ପୁଣି ପଞ୍ଚମ ଆକ୍ରାନ୍ତଙ୍କ ବାବଦରେ ଜଣାପଡ଼ିବା ପରେ ଏହି ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇଟେକ୍ କଲ୍ୟାଣୀ ପ୍ଲାଜାକୁ ସିଲ୍‌ କରାଯାଇଛି।

ସୂଚନାନୁସାରେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ୩୫ ବର୍ଷୀୟ ଯୁବକ ଜଣକ ଏକ ମୋବାଇଲ ଟାୱାର କମ୍ପାନିର କର୍ମଚାରୀ। ସେ କଲ୍ୟାଣୀ ପ୍ଲାଜା ଫେଜ୍-୧ରେ ରହୁଥି‌‌ଲେ। ତାଙ୍କ ସ୍ବାବ୍ ପରୀକ୍ଷାରୁ କରୋନା ପଜିଟିଭି ବୋଲି ଜଣାପଡ଼ିବା ପରେ ଆଜି ସରପଞ୍ଚ ସୁଚରିତା ପାଇକରାୟ ଏହି ଅଞ୍ଚଳକୁ ସିଲ୍‌ କରିଛନ୍ତି। ଏଥିସହ ସଂପୃକ୍ତ ଅଞ୍ଚଳକୁ ବଫର ଜୋନ୍‌ ଭାବେ ଘୋଷଣା କରିଛନ୍ତି। ପ୍ରକାଶ ଥାଉକି, ପଧାନସାହିସ୍ଥିତ ଏକ ଆପାର୍ଟମେଣ୍ଟ‌ରେ ରହୁଥିବା ଜଣେ ଟ୍ରେନ୍‌ ଟିଟିଇ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଉକ୍ତ ଆପାର୍ଟମେଣ୍ଟକୁ ସିଲ୍‌ କରାଯାଇଥିଲା। ପରେ ଟିଟିଇଙ୍କ ପରିବାରରୁ ଆଉ ୪ଜଣ କରୋନା ପଜିଟିଭି ବୋଲି ସ୍ବାବ୍‌ ପରୀକ୍ଷାରୁ ଜଣାପଡ଼ିଥିଲା। ତେଣୁ ସରପଞ୍ଚ ଶ୍ରୀମତୀ ପାଇକରାୟ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ କରିଥିଲେ। ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସଟ୍‌ଡାଉନ ଘୋଷଣା କରାଯାଇଥିଲା। ଆଜି ସକାଳେ ଉକ୍ତ ଅଞ୍ଚଳରୁ ସଟ୍‌ଡାଉନ୍ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଅପରାହ୍‌ଣରେ ଏହି ପଞ୍ଚମ ଆକ୍ରାନ୍ତଙ୍କୁ ଠାବ କରାଯାଇଛି। ଫଳରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଏୟାର ଫିଲଡ଼୍‌ ଥାନା ପକ୍ଷରୁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳର ପ୍ରାୟ ସବୁ ଆପାର୍ଟମେଣ୍ଟରେ ଆଖପାଖ ଗାଁର କିଛି ବ୍ୟକ୍ତି ଘର ଭଡ଼ା ନେଇ ରହୁଥିଲେ। କିନ୍ତୁ ଏବେ ସେମାନେ ଭଡ଼ା ଘର ଛାଡ଼ି ଗାଁକୁ ପଳାଇଥିବା ଚର୍ଚ୍ଚା ହେଉଛି। ତେଣୁ ଆପାର୍ଟମେଣ୍ଟରୁ ଗାଁକୁ କ‌ରୋନା ସଂକ୍ରମଣ ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି।

ବାଲିଅନ୍ତାରେ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ
ବାଲିଅନ୍ତା : ଆଜି ରାଜଧାନୀ ଓ ତା’ର ଉପକଣ୍ଠ ଅଞ୍ଚଳରୁ ୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଛନ୍ତି। ବାଲିଅନ୍ତା ମଧ୍ୟ ସେଥିରୁ ବାଦ୍‌ ପଡ଼ିନାହିଁ। ଏଠାରୁ ଦୁଇଜଣ କରୋନା ସଂକ୍ରମିତ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଯୁବକ ଦ୍ବୟ ମହାରାଷ୍ଟ୍ର ଓ ତେଲେଙ୍ଗାନାରୁ ଫେରିଥିବା ଜଣାପଡ଼ିଛି। ସେମାନେ ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଥିଲେ। ସ୍ବାବ୍ ପରୀକ୍ଷା ହେବା ପରେ ସେମାନେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ବାକଳାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ମହାରାଷ୍ଟ୍ର ଓ ତେଲେଙ୍ଗାନା ଫେରନ୍ତା ଏହି ଯୁବକଦ୍ବୟ ନିଜ ନିଜ ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ଥିଲେ। ସେମାନେ ୭ ଦିନ ରହି ସାରିଛନ୍ତି। କିନ୍ତୁ ସେମାନଙ୍କଠାରୁ ସଂଗ୍ରହ କରାଯାଇଥିବା ସ୍ବାବ୍ ପରୀକ୍ଷାରୁ ସେମାନେ ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି। ତେଣୁ ତୁରନ୍ତ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସ୍ପଷ୍ଟ କରିଛନ୍ତି। ଆଜି ଏହି ଖବର ପ୍ରଚାରିତ ହେବା ପରେ ବାଲିଅନ୍ତା ଅଞ୍ଚଳରେ କରୋନା ଭୟ ଖେଳିଯାଇଛି । ଉଲ୍ଲେଖଯୋଗ୍ୟ ଯେ ବାଲିଅନ୍ତାରେ ଏଯାଏ ୪୦୦ରୁ ଅଧିକ ଲୋକଙ୍କ ସ୍ବାବ ପରୀକ୍ଷା ହୋଇଛି। ୧୬୦ ଜଣ ପ୍ରବାସୀ ଓଡ଼ିଆ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ରହିଛନ୍ତି। ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସୂଚନାନୁସାରେ ଜିଲ୍ଲାପାଳ ଓ ଡିଡ଼ିଏମଙ୍କ ନିର୍ଦ୍ଦେଶାନୁସାରେ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସମ୍ପୃକ୍ତ ସଂଗରୋଧ କେନ୍ଦ୍ର ଓ ସେହି ସଂଲଗ୍ନ ଅଞ୍ଚଳକୁ ସାନିଟାଇଜ୍‌ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର