ଯାଁଳାରେ ମୋବାଇଲ୍‌ କମ୍ପାନି ଗୋଦାମ୍‌ ସିଲ୍‌, ଗୋଦାମର ୩ଜଣ କର୍ମଚାରୀ କୋଭିଡ୍‌-୧୯ ଆକ୍ରାନ୍ତ

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବାରୁ କଲ୍ ସେଣ୍ଟର୍ ସିଲ୍

ଖଣ୍ଡଗିରି : ଯାଁଳା ପେଟ୍ରୋଲ୍‌ ପମ୍ପ ପଛ ପଟେ ଥିବା ଏକ ଘରୋଇ ମୋବାଇଲ୍ ଟାୱାର କମ୍ପାନି ଗୋଦାମର ୩ଜଣ କର୍ମଚାରୀ କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ତେଣୁ ସ୍ଥାନୀୟ ସରପଞ୍ଚ ପ୍ରଦୋଷ କୁମାର ଜେନା ଆଜି ସନ୍ଧ୍ୟାରେ ଉକ୍ତ ଅଞ୍ଚଳକୁ ସିଲ୍‌ କରିଛନ୍ତି। ଫଳରେ ଏହି ଗୋଦାମ ଥିବା ଅଞ୍ଚଳରେ ଅନ୍ୟ ୭/୮ଟି କମ୍ପାନିର ଗୋଦାମ ସବୁ ବନ୍ଦ ହୋଇଯାଇଛି। ଏମିତିକି ସେଠା‌ରେ ଥିବା କେତୋଟି ଦୋକାନକୁ ମଧ୍ୟ ବନ୍ଦ କରାଯାଇଛି।

ସୂଚନାନୁସାରେ ଏୟାର୍‌ଫିଲ୍ଡ ଥାନା ପଧାନସାହି, ଖଣ୍ଡଗିରି ଥାନା ଶ୍ରୀକ୍ଷେତ୍ର ବିହାର କଲୋନି ଓ ଆଠଗଡ଼ ଅଞ୍ଚଳର ତିନି ଜଣ ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛନ୍ତି। ସେମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଯୁବକମାନେ ଯାଁଳାସ୍ଥିତ ଉକ୍ତ କମ୍ପାନି ଗୋଦାମର କର୍ମଚାରୀ ଥିବା ଜଣାପଡ଼ିବା ପରେ ଜଟଣୀ ତହସିଲଦାର ପି ଚାନ୍ଦ ସରପଞ୍ଚ ଶ୍ରୀ ଜେନାଙ୍କୁ ଜଣାଇଥିଲେ। ଉକ୍ତ ଟାୱାର ଗୋଡାଉନ୍‌ରେ ବହୁ କର୍ମଚାରୀ ଥିବାବେଳେ ଏହାର ଏକ ଶାଖା ମୁଣ୍ଡମୁହାଁଣ ଗ୍ରାମେଶ୍ବର ନଗରରେ ରହିଛି। ତେଣୁ କର୍ମଚାରୀମାନଙ୍କ ଚଳପ୍ରଚଳକୁ ଦୃଷ୍ଟିରେ ରଖି ସରପଞ୍ଚ ଶ୍ରୀ ଜେନା ଏହି ସମଗ୍ର ଅଞ୍ଚଳକୁ ୩ ଦିନ ପାଇଁ ସିଲ୍‌ କରିଛନ୍ତି। ଉକ୍ତ କମ୍ପାନିର କର୍ମଚାରୀମାନଙ୍କୁ ନିଜ ନିଜ ଦାୟିତ୍ବରେ ସଂ‌ଗରୋଧରେ ରହିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ଘଟଣା ପରେ ଯାଁଳା ପଞ୍ଚାୟତରେ ଭୟର ବାତାବରଣ ଖେଳି ଯାଇଛି। ଆସନ୍ତାକାଲି ଉକ୍ତ ଅଞ୍ଚଳକୁ ସାନିଟାଇଜ୍‌ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସରପଞ୍ଚ ଶ୍ରୀ ଜେନା ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବାରୁ କଲ୍ ସେଣ୍ଟର୍ ସିଲ୍
ଚନ୍ଦ୍ରଶେଖରପୁର : ରାଜ୍ୟ‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ନୀଳାଦ୍ରିବିହାରସ୍ଥିତ ଏକ କଲ୍ ସେଣ୍ଟର୍ କାର୍ଯ୍ୟାଳୟକୁ ଆଜି ସିଲ୍‌ କରାଯାଇଛି। ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ଟିମ୍‌ ଚନ୍ଦ୍ରଶେଖରପୁର ଅଞ୍ଚଳର ନୀଳାଦ୍ରିବିହାରସ୍ଥିତ ଏକ ବିଲଡିଂର ଦ୍ବିତୀୟ ମହଲାରେ ଥିବା ଏହି କଲ୍ ସେଣ୍ଟର କାର୍ଯ୍ୟାଳୟରେ ପଚରା ଉଚରା କରିବା ପରେ ନୋଟିସ୍‌ ଲଗାଇଛି। ଜୁନ୍‌ ୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିବ।

ମିଳିଥିବା ସୂଚନା ଅନୁଯାୟୀ କରୋନା ଆକ୍ରାନ୍ତ ଜଣକ ପ୍ରତି ସପ୍ତାହରେ ଦୁଇରୁ ତିନି ଥର ଏଠାକୁ ଆସୁଥିଲେ। କାର୍ଯ୍ୟାଳୟର କେତେକ ବ୍ୟକ୍ତିବିଶେଷ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ତାଙ୍କ ଯିବା ଆସିବା ତଥ୍ୟକୁ ଆଧାର କରି ଏଠାର ସମସ୍ତ କର୍ମଚାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ୧୪ ଦିନ ପାଇଁ କାର୍ଯ୍ୟାଳୟ ବନ୍ଦ କରାଯିବା ସହ ଏଠାକୁ କେହି ନ ଆସିବାକୁ ପରାମର୍ଶ ‌ଦିଆଯାଇଛି। ସମ୍ପୃକ୍ତ କରୋନା ଆକ୍ରାନ୍ତ ଜଣକ ନିଜର କୋଭିଡ଼୍ ‌ପରୀକ୍ଷା କରିବାକୁ ଯାଇ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଘରେ ସଙ୍ଗରୋଧରେ ରହିବା ପାଇଁ ତାଙ୍କୁ କୁହାଯାଇଥିଲା। ଆଜି ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଆକ୍ରାନ୍ତ ଜଣଙ୍କୁ କିମସ୍ କୋଭିଡ଼୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ଦଳ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଏକ ମାସର ତଥ୍ୟ ବାହାର କରିଛି। ଏହି ସମ‌ୟରେ ସେ ବାରମ୍ବାର କଲ୍ ସେଣ୍ଟର୍‌କୁ ଯାଉଥିଲେ। ଭୁବନେଶ୍ବର ଉତ୍ତର ମଣ୍ଡଳ ଅଧିକାରୀ ପ୍ରମୋଦ ପୃଷ୍ଟି କହିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗଠାରୁ ଖବର ମିଳିବା ପରେ ମଧ୍ୟାହ୍ନରେ ବିଏମ୍‌ସିର ଏକ ଟିମ୍‌ କଲ୍‌ ସେଣ୍ଟର୍ ଅଧିକାରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟାଳୟ ସିଲ୍ କରିଛି। ସ୍ଥିତି ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ କାର୍ଯ୍ୟାଳୟ ସିଲ୍‌ ରହିବ। କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ବି ତୀକ୍ଷ୍ଣ ନଜର ରଖାଯାଇଛି। ଜୁନ୍‌ ୧୭ ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ବନ୍ଦ ରହିବ। ପରେ ଅନୁଧ୍ୟାନ ଓ ତଦନ୍ତ କରାଯାଇ ଉଚିତ୍ ପରାମର୍ଶ ଦିଆଯିବା ପରେ ସିଲ୍ ହଟାଯିବ। ତେଣୁ କାର୍ଯ୍ୟାଳୟ ବାହାରେ କୋଭିଡ୍‌-୧୯ ଲିଫ୍‌ଲେଟ୍‌ ଲଗାଯାଇଛି।

ସମ୍ବନ୍ଧିତ ଖବର