ପଡ଼ୋଶୀ ଶିଶୁକୁ ଗଳା ଚିପି ହତ୍ୟା ମାମଲା : ରହସ୍ୟ ଫିଟୁନି

ଖଣ୍ଡଗିରି : ଗତକାଲି ଖଣ୍ଡଗିରି ରାଜୀବନଗରରେ ଘଟିଥିବା ଶିଶୁ ସାଇରାମ(୪) ହତ୍ୟାକାଣ୍ଡ ମାମଲାରେ ଛପି ରହିଥିବା କାରଣ ୨୪ ଘଣ୍ଟାରୁ ଅଧିକ ସମୟ ବିତିବା ପରେ ବି ରହସ୍ୟ ହୋଇ ରହିଛି। ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଭିଯୁକ୍ତ ତନୁଶ୍ରୀ ପାରମାଣିକଙ୍କ ସ୍ବାସ୍ଥ୍ୟାବସ୍ଥା ବାରମ୍ବାର ବିଗିଡ଼ି ଯାଉଥିବାରୁ ପୁଲିସ ତାଙ୍କୁ ପଚରାଉଚରା କରିପାରିନାହିଁ। ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ଚିକିତ୍ସା କରୁଥିବାବ‌େଳେ ପୁଲିସ ବାହାରେ ଜଗି ବସିଛି। ଅପରପକ୍ଷରେ ହଠାତ୍ ଜଣେ ମହିଳା ପଡ଼ୋଶୀ ଶିଶୁକୁ ନିର୍ମମଭାବେ ତଣ୍ଟିଚିପି ହତ୍ୟା କରିବା ପଛରେ କି ରହସ୍ୟ ରହିଛି, ତାହା ଜାଣିବାକୁ ରାଜୀବନଗରବାସୀ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିନା କୌଣସି ପ୍ରକାର ବିବାଦରେ ତନୁଶ୍ରୀ ନିଜ ଝିଅ ସହ ସବୁଦିନ ଖେଳୁଥିବା ସାଇରାମକୁ କାହିଁକି ହତ୍ୟା କଲେ, ତାହା ଏବେ ବି ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ତନୁଶ୍ରୀ ମାନସିକ ବିକାରଗ୍ରସ୍ତ ଥିବା ନେଇ କିଛି ଲୋକ ଚର୍ଚ୍ଚା କରୁଥିବାବେଳେ କଲୋନିର ବହୁ ଲୋକ ଏହାକୁ ମାନିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି।

ଆଜି ସାଇରାମର ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ସାଇରାମର ମୃତଦେହ ରାଜୀବନଗରରେ ପହଞ୍ଚିଥିଲା। ମୃତଦେହ ପହଞ୍ଚିବା ମାତ୍ରେ କଲୋନିର ସବୁ ଘରୁ ଲୋକେ ବାହାରି ଆସିଥିଲେ। କାନ୍ଦବୋବାଳିରେ କଲୋନି ଫାଟି ପଡ଼ିଥିଲା। ସମସ୍ତଙ୍କ ଆଖି ଲୁହରେ ଭର୍ତ୍ତି ହୋଇଯାଇଥିଲା। ସାଇରାମର ଜେଜେବାପା ପୂର୍ଣଚନ୍ଦ୍ର ପାତ୍ର ଓ ତାଙ୍କ ସ୍ତ୍ରୀଙ୍କ କାନ୍ଦ ଛାତି ଥରାଇ ଦେଇଥିଲା। ମୃତଦେହକୁ କୁଣ୍ଢାଇ ଧରି ଜେଜେ ପୂର୍ଣଚନ୍ଦ୍ର ବହୁ ସମୟ ପର୍ଯ୍ୟନ୍ତ କାନ୍ଦିଥିଲେ। ବାପା ସମୀର ପଥର ପାଲଟି ଯାଇଥିଲେ ଓ ମା’ ଦୀପ୍ତିରାଣୀ ବାରମ୍ବାର ସଂଜ୍ଞାହୀନ ହୋଇ ପଡ଼ୁଥିଲେ। ସେମାନଙ୍କୁ ଶାନ୍ତ୍ବନା ଦେଉଥିବା ଲୋକମାନେ ମଧ୍ୟ ନିଜ କୋହ ସମ୍ବରଣ କରି ପାରୁନଥିଲେ। ଦାଣ୍ଡରେ ଠିଆ ହୋଇଥିବା ମହିଳାମାନେ ଚୁଲୁବୁଲିଆ ସାଇରାମର ନିତିଦିନିଆ ଧାଁ ଧଉଡ଼ ଖେଳକୁଦ କଥା ମନେ ପକାଇ ଆଖିରୁ ଲୁହ ଝରାଉଥିଲେ। ତେବେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବାବେଳେ ସମଗ୍ର ରାଜୀବନଗର କାନ୍ଦରେ ଫାଟି ପଡ଼ିଥିଲା।

ତନୁଶ୍ରୀଙ୍କ ଉପରେ ନଜର, ସଂଜ୍ଞା ହରାଉଛନ୍ତି
ପୁଲିସ ସୂଚନାନୁସାରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଥିବା ତନୁଶ୍ରୀ ସକାଳେ ସୁସ୍ଥ ଥିଲେ। ତାଙ୍କୁ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସେ ତାଙ୍କ ସ୍ବାମୀ ସୁବାସଙ୍କୁ ପଚାରିଥିଲେ। ତେଣୁ ସାମାନ୍ୟ ବାଉଳାଚାଉଳା ହେଉଥିବାରୁ ଡାକ୍ତର ତାଙ୍କ ସ୍କାନିଂ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ସ୍କାନିଂ କରେ ପୁଲିସ ତାଙ୍କୁ ପଚରାଉଚରା କରିପାରେ ବୋଲି ଡାକ୍ତର କହିଥିଲେ। ଅପରାହ୍ଣରେ ସ୍କାନିଂପାଇଁ ତନୁଶ୍ରୀଙ୍କୁ ଲାବ୍‌କୁ ନିଆଯିବା ବେଳେ ପୁଣି ସେ ସଂଜ୍ଞା ହରାଇଥିଲେ। ତେଣୁ ଆଜି ସ୍କାନିଂ ହୋଇପାରିନଥିଲା। ଫଳରେ ପୁଲିସ ବାଧ୍ୟ ହୋଇ ଫେରିଥିଲା।

ଦାୟୀ ହେବେ କି ସୁବାସ
ହସ୍ପିଟାଲରେ ଆଜି ଘଟିଥିବା ଘଟଣା ପରେ ତନୁଶ୍ରୀଙ୍କଠାରେ ମାନସିକ ବିକୃତି ଥିବା ନେଇ ପୁଲିସ ସନ୍ଦେହ କରୁଛି। ତାଙ୍କଠାରେ ଏହି ଲକ୍ଷଣ ପ୍ରାୟ ୨ ମାସ ହେଲା ଦେଖା ଦେଇଥିଲା ବୋଲି ସୂଚନା ମିଳିଛି। ମାତ୍ର ରାଜୀବନଗର ମହିଳାମାନଙ୍କ କହିବା କଥା ତନୁଶ୍ରୀ ନିଜ ଝିଅକୁ ସ୍କୁଟିରେ ସ୍କୁଲ୍‌ ନେବା ଆଣିବା କରୁଥିଲେ। ସ୍କୁଟି ଚଳାଇ ନିଜେ ବଜାର ହାଟ କରୁଥିଲେ। ତେଣୁ ମାନସିକ ବିକୃତି ଥିବା କଥା ମିଛ। ପିଲାଙ୍କ ‌ଖେଳ ଭିତରେ ଘଟୁଥିବା ଛୋଟ‌ମୋଟ ଝଗଡ଼ା ପାଇଁ ରାଗି ଯାଇ ସେ ସାଇରାମକୁ ମାରି ଦେଇଥିବା ସନ୍ଦେହ କରାଯାଉଛି। ତେଣୁ ପରେ ମାନସିକ ଭାରସାମ୍ୟ ହରାଇଥିବେ ବୋଲି ସେମାନେ ସନ୍ଦେହ କରୁଛନ୍ତି। ଯଦି ତାଙ୍କଠାରେ ମାନସିକ ବିକୃତି ଥିଲା, ତେବେ ଏହି ଅଘଟଣ ପାଇଁ ସ୍ବାମୀ ସୁବାସ ଦାୟୀ ବୋଲି କିଛି ଲୋକ କହିଛନ୍ତି। ମାନସିକ ବିକୃତି ଥିବା କଥା ଲୁଚାଇ ସୁବାସ ବଡ଼ ଭୁଲ୍‌ କରିଛନ୍ତି, ଫଳରେ ନିରୀହ ସାଇରାମର ଜୀବନ ଚାଲିଗଲା ବୋଲି କ‌ଲୋନିବାସୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ସକାଳେ ତନୁଶ୍ରୀ ପଡ଼ୋଶୀ ସାଇରାମକୁ ଘରକୁ ଡାକି ନେଇଥିଲେ। ସବୁଦିନ ଭଳି ନିଜ ଚାରି ବର୍ଷର ଝିଅ ସହ ଖେଳିବାକୁ ସେ ସାଇରାମକୁ ଡାକି ନେଇଥିଲେ। ମଧ୍ୟାହ୍ନ ୧୨ଟାବେଳେ ମା’ ଦୀପ୍ତିରାଣୀ ବଡ଼ ପୁଅ ଓମ୍‌କୁ ତନୁଶ୍ରୀଙ୍କ ଘରକୁ ପଠାଇଥିଲେ। ଖାଇବାବେଳେ ହୋଇଯାଇଥିବାରୁ ସାଇରାମକୁ ଡାକି ଆଣିବା ପାଇଁ ଓମ୍‌ ଯାଇଥିଲା। ଓମ୍‌ ତନୁଶ୍ରୀଙ୍କ ଘରେ ପହଞ୍ଚିବାବେଳେ ସାଇରାମ ଜିଭ କାମୁଡ଼ି ତଳେ ପଡ଼ିଥିଲା ଓ ତା ପାଟିରୁ ରକ୍ତ ବୋହି ଆସିଥିଲା। ତା ବେକରେ ଏକ ଚୁନ୍‌ରି ଗୁଡ଼ାଇ ହୋଇଥିଲା। ତନୁଶ୍ରୀ ମଧ୍ୟ ଖଟରେ ବେହୋସ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର