ବୁଲେଟ୍ ରାଣୀ ରିନୁଙ୍କୁ ଚାରିଆଡ଼ୁ ସାବାସି : ସାହସିକତା ପାଇଁ ପୁରସ୍କୃତ କରିବ କମିସନରେଟ୍ ପୁଲିସ
ଚଳନ୍ତା ଗାଡ଼ିରେ ଜୀବନକୁ ବାଜି ଲଗାଇ ଲୁଟେରାକୁ କାବୁ କରିଥିଲେ
ଭୁବନେଶ୍ବର : ଚଳନ୍ତା ବାଇକ୍ରେ ଲୁଟେରାଙ୍କ ସହ ଲଢ଼େଇ କରି ଲହୁଲୁହାଣ ହୋଇଥିବା ଏବଂ ଲୁଟେରାକୁ କାବୁ କରି ମୋବାଇଲ ଛଡ଼ାଇ ଆଣିଥିବା ବୁଲେଟ୍ ରାଣୀ ରିନୁ ଡାକୁଆଙ୍କୁ ସବୁଆଡ଼ୁ ସାବାସିର ସୁଅ ଛୁଟିଛି। ଜୀବନକୁ ବାଜି ଲଗାଇ ସେ ଯେଉଁ ସାହସିକତା ଦେଖାଇଛନ୍ତି; ସେଥିପାଇଁ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ତାଙ୍କର ପ୍ରଶଂସା କରିବା ସହ ଖୁବ୍ଶୀଘ୍ର ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପଟେ ରିନୁ ଧରିଥିବା ଲୁଟେରାକୁ ଖଣ୍ଡଗିରି ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିବା ସହ ଅପରାଧରେ ବ୍ୟବହୃତ ବାଇକ୍ ମଧ୍ୟ ଜବତ କରିଛି। ଲୁଟେରା ହେଉଛି ଜଟଣୀର ସେଖ୍ ଜଲାଉଦ୍ଦିନ୍। ତା’ ନାମରେ ଏକାଧିକ ଲୁଟ୍ପାଟ୍ ମାମଲା ଥିବା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବାଣୀବିହାର ନିକଟରେ ଥିବା ଏକ ମଲ୍ରେ କାମ କରୁଥିବା ରିନୁ ଡାକୁଆ ପ୍ରାୟ ବର୍ଷେ ହେବ ଡ୍ୟୁଟି ସାରି ପ୍ରତିଦିନ ସନ୍ଧ୍ୟାରେ ନିଜ ବୁଲେଟ୍ରେ ସରକନ୍ତରା ସ୍ଥିତ ଘରକୁ ଫେରନ୍ତି। କିନ୍ତୁ ଗତକାଲି ଦୁଇଜଣ ଲୁଟେରା ଏକ ବାଇକ୍ରେ ତାଙ୍କର ପିଛା କରିଥିଲେ। ରାତି ସାଢ଼େ ୮ଟା ବେଳେ ଡୁମୁଡୁମା ନଗର ଅଟୋଷ୍ଟାଣ୍ଡ ପାଖରେ ତାଙ୍କ ମୋବାଇଲକୁ ଫୋନ୍ ଆସିଥିଲା। ସେ ବୁଲେଟ୍ ରଖି ଫୋନ୍ ବାହାର କରୁଥିବା ବେଳେ ଜଣେ ଲୁଟେରା ତାଙ୍କ ମୋବାଇଲ ଝାମ୍ପି ନେଇ ଫେରାର ହୋଇ ଯାଉଥିଲା। ତେବେ ରିନୁ ପ୍ରାୟ ୨ଶହ ମିଟର ଗୋଡ଼ାଇବା ପରେ ଚଳନ୍ତା ବାଇକ୍ରେ ହିଁ ଲୁଟେରାର କଲର୍କୁ ଧରି ପକାଇଥିଲେ। ଫଳରେ ଉଭୟ ବାଇକ୍ରୁ ପଡ଼ି ଯାଇଥିଲେ। ହେଲେ ଲୁଟେରାକୁ ରିନୁ ଛାଡ଼ି ନଥିଲେ। ରିନୁ ଜଣେ ଲୁଟେରାକୁ ମାଡ଼ି ବସିଥିବାବେଳେ ଅନ୍ୟ ଜଣେ ଫେରାର ହୋଇ ଯାଇଥିଲା। ତେବେ ଲୁଟେରା ସହ ଏହି ସଂଘର୍ଷରେ ରିନୁ ଓ ଲୁଟେରା ଉଭୟ ଗୁରୁତର ଆହତ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ରିନୁଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଚିନ୍ମୟୀ ଭୂୟାଁ ନାମକ ଜଣେ ଛାତ୍ରୀ ମଧ୍ୟ ଅନୁରୂପ ଭାବେ ଲୁଟେରାଙ୍କ ସହ ଲଢ଼େଇ ସେମାନଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। କମିସନରେଟ୍ ପୁଲିସ ସମେତ ବିଏମ୍ସି ତାଙ୍କୁ ପ୍ରଶଂସା କରିବା ସହ ସାହସିକତା ପାଇଁ ପୁରସ୍କୃତ କରିଥିଲା।
ଲୋକେ ସାହସ ଦେଖାଇଲେ ଲୁଟ୍ପାଟ୍ କମିପାରିବ: ରିନୁ
ରାତି ସାଢ଼େ ୮ଟା ବେଳେ ଡୁମୁଡୁମା ନଗର ଅଟୋ ଷ୍ଟାଣ୍ଡ ବେଶ୍ ଭିଡ଼ ଥିଲା। ପରିବା ବେପାର ସହ ଅନ୍ୟାନ୍ୟ ଦୋକାନରେ ଗହଳି ଲାଗି ରହିଥିଲା। ଏତିକି ବେଳେ ରିନୁଙ୍କ ହାତରୁ ମୋବାଇଲ ଝାମ୍ପି ନେଇଥିଲେ ଲୁଟେରା। ସେ ଧର ଧର ବୋଲି ହଲ୍ଲା ପକାଇଥିଲେ। ହେଲେ କେହି ଜଣେ ଲୁଟେରାକୁ ଧରିବାକୁ ଆସିନଥିଲେ। ଶେଷରେ ସେ ଗାଡ଼ି ଷ୍ଟାର୍ଟ କରି ଲୁଟେରାର ପିଛା କରିବା ସହ ତାକୁ ମାଡ଼ି ବସିବାକୁ ସକ୍ଷମ ହୋଇଥିଲେ। ପରେ ଅବଶ୍ୟ ସ୍ଥାନୀୟ ଅଟୋ ଡ୍ରାଇଭର ଓ ପରିବା ଦୋକାନୀମାନେ ଦୌଡ଼ି ଆସି ଲୁଟେରାକୁ କାବୁ କରିଥିଲେ। ଏ ନେଇ ରିନୁ କହିଛନ୍ତି, ରାସ୍ତା ଉପରେ ଛିଡ଼ା ହୋଇ ସବୁବେଳେ ପୁଲିସ ଜଗିବା ତ ସମ୍ଭବ ନୁହେଁ, କିନ୍ତୁ ସାଧାରଣ ଲୋକ ଯଦି ଟିକିଏ ସାହସ ଦେଖାଇବେ ତେବେ ଏଭଳି ଲୁଟ୍ପାଟ୍ କମିପାରିବ।