ଭାରତୀୟ ସେନାର ଅସାଧାରଣ କୃତିତ୍ବ, ଘୋଡ଼ା ଉପରେ ଯୋଗାସନ

ଭୁବନେଶ୍ବର: ଘୋଡ଼ାକୁ ଆୟତ୍ତ କରି ତା’ ଉପରେ ଯୋଗାସନ ପ୍ରଦର୍ଶନ କରି ଏକ ବିରଳ ରେକର୍ଡ କରିଛି ଭାରତୀୟ ସେନା। ୨୦ଦିନ ଧରି ନିରନ୍ତର ପରିଶ୍ରମ କରି ଯୋଗ ଦିବସରେ କିଛି ନିଆରା ପ୍ରଦର୍ଶନ କରିବାକୁ ସଫଳ ହୋଇଛନ୍ତି ୨୦ ଜଣ ସୈନିକ। ୧୧ଟି ଘୋଡ଼ାରେ ସୈନିକମାନେ ଚକ୍ରାସନ, ପଦ୍ମାସନ, ଭ୍ରାମରୀ ପ୍ରାଣାୟମ, ତାଡ଼ାସନ ଭଳି ୩୦ଟି ଆସନ ୪୫ ମିନିଟ୍‌ ମଧ୍ୟରେ କରିଥିଲେ। ଭାରତୀୟ ଯୋଗ ପ୍ରଦର୍ଶନ ଇତିହାସରେ ଏହା ପ୍ରଥମ। ସବୁଠୁ ବଡ଼ କଥା ହେଉଛି ଏହି ବିରଳ କୃତିତ୍ବର ଅଂଶୀଦାର ଅଛନ୍ତି ଓଡ଼ିଆ ପୁଅ ଢେଙ୍କାନାଳର ଅଜିତ କୁମାର ନାୟକ।

ଉତ୍ତରପ୍ରଦେଶର ସାହାରରନପୁରରେ ରିମାଉଣ୍ଟ୍‌ ଟ୍ରେନିଂ ସ୍କୁଲ୍‌ ଓ ଡିପୋଟ ପରିସରରେ ମେ ୨୦ ତାରିଖରେ ଏହି ଅଶ୍ବାରୁଢ଼ ଯୋଗ ପ୍ରଦର୍ଶନ କରାଯାଇଥିଲା। ‘ମୋକ୍ଷ ୟାତନ ଯୋଗ ସଂସ୍ଥାନ’ର ଭାରତ ଭୂଷଣ ଜୀଙ୍କ ତତ୍ତ୍ବାବଧାନରେ ଏହି ଯୋଗାସନ ସମ୍ପନ୍ନ ହୋଇଥିଲା। କର୍ଣ୍ଣେଲ୍‌ ମଙ୍ଗଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛୁଟି ନନେଇ ସକାଳେ ସନ୍ଧ୍ୟାରେ ପରିଶ୍ରମ କରି ଏଭଳି କୃତିତ୍ବ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇପାରିଛୁ ବୋଲି ଅଜିତ କହିଛନ୍ତି। ମେଜର ଆଶିଷ କୁମାର ସିଂହ ମଧ୍ୟ ବିଶେଷ ଭୂମିକା ତୁଲାଇଥିଲେ। ଅଜିତ କହିଛନ୍ତି, ମୁଁ ଅଶ୍ବ ଚାଳକ ହୋଇଥିବାରୁ ଗୋଟେ ଘୋଡ଼ାକୁ ଆୟତ୍ତ କରିବା କେତେ କଷ୍ଟ ସେକଥା ଅଙ୍ଗେ ନିଭାଇଛି। ସେଭଳି ସ୍ଥିତିରେ ଘୋଡ଼ା ଉପରେ ଯୋଗାସନ କରି ଅସାଧାରଣ କୃତିତ୍ବ ପ୍ରଦର୍ଶନ କରିବା କେବଳ ସୈନିକଙ୍କ ନିଷ୍ଠା ଯୋଗୁ ସମ୍ଭବ ହୋଇପାରିଥିଲା।

ସମ୍ବନ୍ଧିତ ଖବର