ରଙ୍ଗମାଟିଆ ଲଣ୍ଡା ହତ୍ୟାକାଣ୍ଡ: ରାଜ୍ୟ ବାହାରେ ଅଭିଯୁକ୍ତ, ପୁଲିସ ଖୋଜୁଛି ଗାଁରେ

ଚନ୍ଦ୍ରଶେଖରପୁର: ଦୀପକ ବେହେରା ଓରଫ ଲଣ୍ଡା ହତ୍ୟାକାଣ୍ଡକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ୍ ହାତ ଖାଲିରହିଛି। ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଅଭିଯୁକ୍ତଙ୍କ ଗତିବିଧି, କେଉଁ ଲୋକମାନଙ୍କ ସହ ଯୋଗାଯୋଗ କରୁଛନ୍ତି ଏମିତି ଅନେକ କିଛି ତଥ୍ୟ ଜାଣିବାପାଇଁ ପୁଲିସ୍ ଅଭିଯୁକ୍ତ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବର ଓ ସେମାନଙ୍କ ବନ୍ଧୁବର୍ଗଙ୍କ ଉପରେ କଡ଼ା ନଜର ରଖିଛି।

ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଏବେ ବି ରଙ୍ଗମାଟିଆ ଗ୍ରାମ ଓ ତା’ର ଆଖପାଖ ଅଞ୍ଚଳ‌ରେ ଖୋଜୁଛି। ପୁଲିସ ଗ୍ରାମବାସୀଙ୍କଠାରୁ ଅଭିଯୁକ୍ତଙ୍କ ସମ୍ପର୍କରେ ଅନେକ ତଥ୍ୟ ହାସଲ କରିଛି। ଯାହାକୁ ଆଧାକରି ସେମାନଙ୍କ ଠିକଣାରେ ପହଞ୍ଚିବା ପାଇଁ‌ ଚେଷ୍ଟା ଚଳାଇଛି। ହେଲେ ଏବେବି ଅନେକ ପ୍ରଶ୍ନ ଅସମାହିତ ରହିଯାଇଛି। ସିସିଟିଭି ଫୁଟେଜ୍‌ରେ ହତ୍ୟା ଘଟଣାରେ ବ୍ୟବହୃତ ଅଟୋ ଗଲା କୁଆଡ଼େ? ହତ୍ୟା ଘଟଣା ବେଳେ ଅଭିଯୁକ୍ତମାନେ ଘଟଣା ସ୍ଥଳରେ ବାରମ୍ବାର ଏକ ସିଏନ୍‌ଜି ଅଟୋରେ ଚକ୍କର କାଟିଥିବା ଜଣାପଡ଼ିଛି। ଯାହାର ଦୃଶ୍ୟ ନିକଟରେ ଥିବାଏକ ଆପାର୍ଟମେଣ୍ଟ୍ ମୁଖ୍ୟ ଫାଟକରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଅଟୋରେ ୫ରୁ ୬ଜଣ ଯୁବକ ବସି ବାରମ୍ବାର ଲଣ୍ଡା ବାପା ଚକ୍ରଧରଙ୍କ ଜଳଖିଆ ଦୋକାନ ଆଗରେ ଚକ୍କର ମାରୁଥିବା ବେଳେ ସମସ୍ତଙ୍କ ହାତରେ ମାରଣାସ୍ତ୍ର ଥିବା ଓ ହତ୍ୟାକାଣ୍ଡ ପରେ ଗାଡ଼କଣ ଦିଗକୁ ଚାଲିଯିବା ଦୃଶ୍ୟ ରହିଛି। ପୁଲିସ ଏସବୁ ବିଷୟକୁ ନେଇ ତଦନ୍ତ କଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର