ଶ୍ରମିକ ହାଟ ବୁଲିଲେ ଶ୍ରମ ସଚିବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଜିଲ୍ଲାପାଳମାନଙ୍କ ପରେ ଏବେ ସଚିବମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରୁଥିବା ନଜରକୁ ଆସିଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଆଜି ଭୁବନେଶ୍ବରରେ ଥିବା ଶ୍ରମିକ ହାଟ ବୁଲିଛନ୍ତି। ଶ୍ରମିକମାନଙ୍କ ସମସ୍ୟା, ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି। ସହରର କଳ୍ପନା ଛକ, ନୟାପଲ୍ଲୀ, ଡେଲ୍‌ଟା ଛକରେ ଥିବା ଶ୍ରମିକ ହାଟରେ ପହଞ୍ଚି ଶ୍ରମିକମାନଙ୍କ ନାମ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ କରାଯାଇଛି କି ନାହିଁ, ତାହାର ତଦାରଖ କରିଥିଲେ। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସେମାନଙ୍କୁ ପ୍ରଦାନ କରାଯାଉଥିବା ସହାୟତା ରାଶି ମିଳୁଛି କି ନାହିଁ, ସେ ବିଷୟରେ ପଚାରିଥିଲେ। ସଚିବଙ୍କୁ ପାଖରେ ପାଇ ଶ୍ରମିକମାନେ ମଧ୍ୟ ନିଜ ମନର କଥା କହିଥିଲେ। କେହି କେହି ମଜୁରି ବୃଦ୍ଧି ପାଇଁ ଦାବି କରିଥିଲେ। ବର୍ଷା ଦିନେ ଶ୍ରମିକ ହାଟରେ ଅନେକ ସମସ୍ୟା ହେଉଛି। ସକାଳୁ ବର୍ଷା ହେବା ଦ୍ବାରା ସେମାନଙ୍କୁ କାମଧନ୍ଦା ମିଳୁନି। ଏମିତିକି ଶ୍ରମିକ ହାଟରେ ଛିଡ଼ା ହେବା ପାଇଁ ମୁଣ୍ଡ ଉପରେ ଆଜବେଷ୍ଟସ୍‌ ଖଣ୍ଡେ ନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ ନୟାପଲ୍ଲୀ ହାଟରେ ଥିବା ଶ୍ରମିକମାନେ ଦାବି ଜଣାଇଥିଲେ। ଏହି ଅବସରରେ ଶ୍ରମ କମିସନର୍‌ ନିରଞ୍ଜନ ସାହୁଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର