ବାଲିପାଟଣା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟ ଠପ୍‌

ପଡ଼ି ରହିଛି କୋଟି କୋଟି ଟଙ୍କାର ପ୍ରକଳ୍ପ

ବାଲିପାଟଣା: ବାଲିପାଟଣା ବ୍ଲକରେ ୨ ବର୍ଷ ହେବ ଉନ୍ନତିମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ଆସିଥିବା କୋଟି କୋଟି ଟଙ୍କା ପଡ଼ି ରହିଛି। ପ୍ରାୟ ୨୫୦ରୁ ୩୦୦ ପ୍ରକଳ୍ପର କାର୍ଯ୍ୟ ହୋଇ ପାରୁନାହିଁ। ଦୀର୍ଘ ଦିନରୁ ଆସି ପ୍ରକଳ୍ପଗୁଡ଼ିକ ବାଲିପାଟଣା ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗରେ ପଡ଼ି ରହିଛି। ଫଳରେ ସାଧାରଣ ଲୋକ ସମସ୍ୟା ଭୋଗୁଛନ୍ତି। ସରକାରଙ୍କ ତରଫରୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କାର୍ଯ୍ୟ କରିବା ଲାଗି ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଥିବା ବେଳେ ରାଜନୈତିକ ଗୋଷ୍ଠୀଙ୍କ ଚାପରେ ବିଭାଗ ରବର ଷ୍ଟାମ୍ପ ପ‌‌‌ାଲଟି ଯାଇଛି ବୋଲି ଆଲୋଚନା ହେଉଛି।

ଆମ ଗାଁ ଆମ ବିକାଶ ପାଇଁ ଆସିଥିବା ୧୬୩ ପ୍ରକଳ୍ପରୁ ମାତ୍ର ୨୭ଟିର କାର୍ଯ୍ୟ ହୋଇଛି। ୪ କୋଟି ଟଙ୍କାରୁ ମାତ୍ର ୫୦/୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଧାୟକଙ୍କ ପାଣ୍ଠିରୁ ଆସିଥିବା ୮୪ ଟି ପ୍ରକଳ୍ପରୁ ମାତ୍ର ୮ଟିର କାର୍ଯ୍ୟ ହୋଇଛି। ୨୮ଟି କାର୍ଯ୍ୟାଦେଶ ହୋଇପାରିନାହିଁ। ସାଂସଦଙ୍କ ପାଣ୍ଠିରୁ ଆସିଛି ୨୬ଟି ପ୍ରକଳ୍ପ। କାମ ହୋଇଛି ମାତ୍ର ୪ଟି। ଜିଲ୍ଲା ପରିଷଦ ପାଣ୍ଠିରୁ ଆସିଥିବା ୩୦ଟି ପ୍ରକଳ୍ପରୁ ୧୧ଟିର କାମ ହୋଇଛି। ତିତିଲି ବାତ୍ୟାରେ ୨୯ ପ୍ରକଳ୍ପ ବାବଦରେ ୬୭ ଲକ୍ଷ ଟଙ୍କାରୁ ଖର୍ଚ୍ଚ ହୋଇଛି ମାତ୍ର ୩୦ ଲକ୍ଷ। କିଛିଦିନ ତଳେ ମହିଳା ମିଶନ ଶକ୍ତି ଲାଗି ଆସିଛି ୧ କୋଟି ୧୬ ଲକ୍ଷ ଟଙ୍କା। କିନ୍ତୁ ଏହାର କାର୍ଯ୍ୟ ହୋଇପାରି ନାହିଁ। ମନରେଗାରେ ପୂର୍ବ ବର୍ଷରୁ ଥିବା ପାଖାପାଖି ୨୦ଟି ପ୍ରକଳ୍ପ କାର୍ଯ୍ୟ ହୋପାରିନାହିଁ। ୨୦୧୭/୧୮ ବର୍ଷରେ ମନରେଗାରେ ଗୋଟିଏ ବି ପ୍ରକଳ୍ପ ହୋଇପାରି ନଥିବା ଜଣାପଡ଼ିଛି। ଏହି ସବୁ ପ୍ରକଳ୍ପଗୁଡ଼ିକୁ ମିଶାଇଲେ ପାଖାପାଖି ୮ରୁ ୧୦ କୋଟି ଟଙ୍କା ପଡ଼ି ରହିଛି। ଫଳରେ ସମସ୍ୟା ଭୋଗୁଛନ୍ତି ଜନସାଧାରଣ। କୁଳନ୍ତିରା, ଡେଙ୍ଗ ପାଇପ୍ କଲଭର୍ଟ କାମ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କାର କାର୍ଯ୍ୟ ହୋଇଛି। ପରବର୍ତ୍ତୀ କାର୍ଯ୍ୟ ପାଇଁ ଜିଲ୍ଲା ପରିଷଦ ପାଣ୍ଠିରୁ ଅର୍ଥ ଆସିଛି କିନ୍ତୁ କାର୍ଯ୍ୟ ହୋଇପାରୁ ନାହିଁ। ଫଳରେ କୁଳନ୍ତିରା, ଚଣାହଟ୍ଟା, ଗୋବିନ୍ଦପୁର ଅଞ୍ଚଳର ଶହଶହ ଚାଷୀ ଏବେ ଧାନରୁଆ ସମୟରେ ଅଣ୍ଟାଏ ପାଣିରେ ଯିବା ଆସିବା କରୁଛନ୍ତି। ବିଲକୁ ହଳ ନେବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ସରକାରଙ୍କ ତରଫରୁ ଆସିଥିବା ପାଣ୍ଠିକୁ ଯଥାଶୀଘ୍ର କାମରେ ଲଗାଯିବା ପାଇଁ ସାଧାରଣରେ ଦାବି ହେଉଛି। ଅପରପକ୍ଷରେ ବାଲିପାଟଣା ବ୍ଲକରେ ଉନ୍ନୟନ ବିଭାଗରେ କର୍ମଚାରୀଙ୍କ ଅଭାବ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଦୁଇ ଦୁଇଟି ପଞ୍ଚାୟତ ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବାଲିପାଟଣା ବ୍ଲକର ଉନ୍ନୟନ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି। ଫଳରେ ସମସ୍ୟା ଉପଜୁଛି। ବିଧାୟକ ଅରବିନ୍ଦ ଢାଲିଙ୍କ ମତରେ କାମଗୁଡ଼ିକ ଖୁବ୍ ଶୀଘ୍ର କରାଯିବ। ଏଥିପାଇଁ ବାଲିପାଟଣା ବ୍ଲକ ମଣ୍ତଳ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରାଯିବ। କାମ ବିଳମ୍ବ ହେବା ପଛରେ କୌଣସି ରାଜନୈତି ଗୋଷ୍ଠୀ କନ୍ଦଳ ନଥିବା ସେ କହିଛନ୍ତି। ମାତ୍ର ରାଜନୈତିକ ଗୋଷ୍ଠୀ କନ୍ଦଳକୁ ଅସ୍ବୀକାର କରୁଥିବା ବିଧାୟକଙ୍କ କଥାରେ ତାଳ ମେଳ ରହୁନଥିବା ସ୍ପଷ୍ଟ ବାରି ହୋଇଛି। ଗତ କିଛିଦିନ ତଳେ ସରଦେଈପୁର ଡାକବଙ୍ଗଳାରେ ବିଧାୟକ ଏବଂ ଦୁଇଟି ବ୍ଲକର ନିର୍ବାଚିତ ଜନ ପ୍ରତିନିଧିଙ୍କ ଦ୍ବାରା ହୋଇଥିବା ବୈଠକରେ ରାଜନୈତିକ ଗୋଷ୍ଠୀ କନ୍ଦଳ ଲାଗି ରହିଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇ ପାରୁନାହିଁ ବୋଲି ମତପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ପାଖରେ ଜନ ପ୍ରତିନିଧିମାନେ ଅଭିଯୋଗ କରିବା ପାଇଁ ମଧ୍ୟ ପ୍ରସ୍ତାବ ବାଢ଼ିଥିଲେ। ଦୁଇଟି ବ୍ଲକରେ ଅଧ୍ୟକ୍ଷାଙ୍କ ଅସହଯୋଗ ଯୋଗୁଁ ବିଭିନ୍ନ ସମସ୍ୟା ଉପୁଜୁଥିବା କଥା ଖୋଦ୍‌ ବିଧାୟକଙ୍କଠାରୁ ଶୁଣିବାକୁ ମିଳିଥିଲା। ବାଲିପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତମାନ ଅଧ୍ୟକ୍ଷାଙ୍କ ସ୍ବାମୀ ପ୍ରଶାନ୍ତ ଆଦିତ୍ୟଙ୍କ ମତରେ ଖୁବ୍‌ଶୀଘ୍ର ସମିତି ବୈଠକ ଅନୁଷ୍ଠିତ ହେବା ଲାଗି ତାରିଖ ସ୍ଥିର ହୋଇଛି। ସମିତି ବୈଠକ ପରେ ପଡ଼ି ରହିଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ପ୍ରଶାନ୍ତ କହିଛନ୍ତି। ବିଜେପି ନେତା ବସନ୍ତ ନାୟକ କହିଛନ୍ତି, ଜନସାଧାରଣଙ୍କ ପାଇଁ ଅସୁଥିବା ଯୋଜନା ଗୁଡିକୁ ସଠିକ୍ ଉପାୟରେ କାର୍ଯ୍ୟକରିବା ଲାଗି ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ।

ସମ୍ବନ୍ଧିତ ଖବର