‘ଆମ ଥାନା’ ଫୋନ୍ ଅଚଳ

ଖଣ୍ଡଗିରି: କମିସନରେଟ୍‌ ପୁଲିସର ପ୍ରଥମ ମଡେଲ୍ ଥାନା ତଥା ତମାଣ୍ଡୋ ‘ଆମ ଥାନା’ର ଲ୍ୟାଣ୍ଡ ଲାଇନ୍‌ ଫୋନ୍‌ ଦୀର୍ଘ ଦିନ ଧରି ଅଚଳ ହୋଇପଡ଼ିଛି। ଥାନାକୁ ଫୋନ୍‌ କଲେ ରିଂ ହେଉଛି, କିନ୍ତୁ କଲ୍‌ ଥାନା ପର୍ଯ୍ୟନ୍ତ ପହଞ୍ଚି ପାରୁନି। ଫଳରେ ସ୍ଥାନୀୟ ଲୋକେ ପୁଲିସକୁ ଯୋଗାଯୋଗ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫୋନ୍‌ ଲାଇନ୍‌ ମରାମତି ପାଇଁ ଥାନା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଏବେ ରାଜଧାନୀରେ ଚୋରି, ଡକାୟତି ଓ ଲୁଟ୍‌ପାଟ୍‌ ବୃଦ୍ଧି ପାଇଛି। ତେଣୁ ଲୋକେ ତୁରନ୍ତ ପୁଲିସ ସହାୟତା ପାଇଁ ଥାନାକୁ ଫୋନ୍‌ କରିବା ଜରୁରୀ ହୋଇପଡ଼ିଛି। ମାତ୍ର ଏପରି ସମୟରେ ଥାନା ଫୋନ୍‌ ଅଚଳ। କଳିଙ୍ଗବିହାରରେ ରହୁଥିବା ବରିଷ୍ଠ ନାଗରିକମାନେ ପୁଲିସ ଉପରେ ଅଧିକ ନିର୍ଭରଶୀଳ ହେଉଥିବା ବେଳେ ଥାନା ଫୋନ୍‌ ଅଚଳ ସେମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରୁଛି। ୧୬ ନମ୍ବର ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଏକ ନିତିଦିନିଆ କଥା ହୋଇଥିବାରୁ ଲୋକେ ହଠାତ୍ ଥାନାକୁ ଜଣାଇବା ସମ୍ଭବ ହେଉନାହିଁ। ଏନେଇ ଥାନା ଅଧିକାରୀଙ୍କ କହିବା କଥା ଯେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯିବା ପରେ ବି କିଛି ଫଳ ମିଳୁନାହିଁ। ମଝିରେ ମଝିରେ ଏମିତି ମରାମତି କରୁଛନ୍ତି ଯେ ମାତ୍ର କିଛି ଦିନ ପରେ ପୁଣି ଅଚଳ ହୋଇପଡ଼ୁଛି। ପୁଣି ଏବେ ଅଭିଯୋଗ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର