ସମ୍‌ ହସ୍ପିଟାଲ୍‌ରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍‌‌େସସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇ ଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ନୂଆ ପଦ୍ଧତ୍ତିରେ ସବ୍‌ମାନଡିବୁଲାର ଗ୍ରନ୍ଥିକୁ ବାହାର କରିଛନ୍ତି। ଏହା ଦ୍ବାରା ରୋଗୀଙ୍କ ମୁହଁରେ କୌଣସି ପ୍ରକାର ସ୍ଥାୟୀ ଦାଗ ସୃଷ୍ଟି ହୋଇ ନାହିଁ। ସମ୍ ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗର ସର୍ଜନମାନେ ନୂଆ ଏ‌େଣ୍ଡାସ୍କୋପିକ୍‌ ପଦ୍ଧତ୍ତିରେ ଏହି ସବ୍‌ମାନଡିବୁଲାର୍‌ ଗ୍ରନ୍ଥିଟିକୁ ବାହାର କରିବାରେ ସଫଳ ହୋଇଥିବା ଇଏନ୍‌ଟି ଓ ସ୍କଲ୍‌ବେସ୍‌ ସର୍ଜରି ବିଶେଷଜ୍ଞ ରାଧାମାଧବ ସାହୁ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି, ଏପରି ଅପରେସନ୍ ଓଡ଼ିଶାରେ ପ୍ରଥମ। ଏହି ସବ୍‌ମାନ୍‌ଡିବୁଲାର୍‌ ଗ୍ରନ୍ଥିଟି ମଣିଷ ଶରୀରର ମାଢ଼ିର ତଳ ଭାଗରେ ରହିଥାଏ। ଏହି ଗ୍ରନ୍ଥିର ମୁଖ୍ୟ କାମ ହେଉଛି ପାଟିରେ ଲାଳ ସୃଷ୍ଟି କରିବା ଓ ଏହା ଦ୍ବାରା ଖାଦ୍ୟକୁ ନରମ କରିବା ସହ ହଜମ କରିବାରେ ସାହାଯ୍ୟ କରିବା। ତେବେ ମୁହଁ ଓ ଗ୍ରନ୍ଥିର ମଝିରେ ଥିବା ନଳୀରେ ଯଦି ପ୍ରତିବନ୍ଧକ ସୃଷ୍ଟି ହୋଇ ଲାଳ ବାହାରି ନ ପାରିଥାଏ, ତେବେ ଏହା ଜମାଟ ବାନ୍ଧିଯାଏ ଓ ସଂକ୍ରମିତ ହୋଇଥାଏ। ଏହା ଦ୍ବାରା ଗ୍ରନ୍ଥିଟି ଫୁଲି ଯାଇଥାଏ। ପୂର୍ବରୁ ଏହି ସବ୍‌ମାନ୍‌ଡିବୁଲାର୍ ଗ୍ରନ୍ଥିକୁ ଟ୍ରାନ୍ସ ସର୍ଭିକାଲ୍‌ ଆପ୍ରୋଚ୍ ଦ୍ବାରା ବାହାର କରାଯାଉଥିଲା। ଏହା ଦ୍ବାରା ମୁହଁରେ ଏକ ବଡ଼ କଟା ଦାଗ ସୃଷ୍ଟି ହୋଇଥାଏ ଓ ଅନେକ ସମୟରେ ତଳ ଓଠ ଦୁର୍ବଳ ‌େହାଇଯାଏ। ତେବେ ନୂଆ ପଦ୍ଧତ୍ତିରେ ସର୍ଜରି ଖୁବ୍ ସୁରକ୍ଷିତ ଏବଂ ଟ୍ରାନ୍ସ ସର୍ଭିକାଲ୍‌ ପଦ୍ଧତ୍ତି ପ୍ର‌ୟୋଗ ନ କରି ମଧ୍ୟ ଅପରେସନ୍ କରିହେବ। କେବଳ କିଛି ସ୍ବତନ୍ତ୍ର ଅସ୍ତ୍ରୋପଚାର ସରଞ୍ଜାମ, ଏହା ସମ୍ପର୍କିତ ଜ୍ଞାନ ଓ ସର୍ଜନଙ୍କ ଦକ୍ଷତା ଦ୍ବାରା ହିଁ ଏହି ଏଣ୍ଡୋସ୍କୋପିକ୍ ପଦ୍ଧତ୍ତିରେ ସର୍ଜରି କରିହେବ ବୋଲି ଡାକ୍ତର ସାହୁ କହିଛନ୍ତି। ଯେଉଁ ଦୁଇ ଜଣ ରୋଗୀଙ୍କର ଏହି ସର୍ଜରି କରାଯାଇଛି, ସେମାନେ ଏବେ ସୁସ୍ଥ ଅଛନ୍ତି ଓ ସେମାନଙ୍କର କୌଣସି ସମସ୍ୟା ନାହିଁ ବୋଲି ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର