କାଗଜପତ୍ର ଜାଲ୍‌ କରି କୋଟିଏ ଠକିନେବା ମାମଲା: ଦମ୍ପତି ୧୦ କୋଟିର ଜମି ବି ଠକିଛନ୍ତି

ଭୁବନେଶ୍ବର: ଏକ ସଂସ୍ଥାର କାଗଜପତ୍ର ଓ ଦସ୍ତଖତ ଜାଲ୍‌ କରି କୋଟିଏ ୧୧ ଲକ୍ଷ ଟଙ୍କା ଠକି ନେବା ମାମଲା ନୂଆ ମୋଡ଼ ନେଇଛି। ସ୍ବାମୀ ଉଦୟକର ସାହୁ ଗିରଫ ହେବା ପରେ ସ୍ତ୍ରୀକୁ ନୂଆପଲ୍ଲୀ ଥାନା ପୁଲିସ ଖୋଜୁଛି। ଖୋଳତାଡ଼ ପରେ ଜଣାପଡ଼ିଛି, ଉଦୟ ଏକ ଚେକ୍‌ ବାଉନ୍‌ସ ମାମଲାରେ ଗତ ବର୍ଷ ଗିରଫ ହୋଇଥିଲା। ୨୦୧୨ମସିହାରେ ବି ଜାଲ କାଗଜପତ୍ର କରି ଜମି ଠକେଇ କରିଥିବା ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ‌ହୋଇଥିଲା। ଶ୍ରୀଲିଙ୍ଗରାଜ ଥାନା ନାଗେଶ୍ବର ଟାଙ୍ଗି ପ୍ଲଟ୍ ନଂ ୨୧୩୨/୪୭୩୫ରେ ରହୁଥିବା ରେଣୁବାଳା ବରିଶଲ ନାମକ ମହିଳା ଏହି ଅଭିଯୋଗ କରିଥିଲେ। ରେଣୁବାଳାଙ୍କ ଶଶୁରଙ୍କର ୧୦କୋଟି ଟଙ୍କାର ସମ୍ପତ୍ତି ଜାଲ୍‌ କାଗଜପତ୍ର ସାହାଯ୍ୟରେ ଉଦୟ ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ସେତେବେଳେ ପୁଲିସ ଏହାକୁ ଗୁରୁତ୍ବର ସହ ନେଇ ନ ଥିଲା। ପୁଲିସ ମୋଟା ଅଙ୍କର ଲାଞ୍ଚ ନେଇ ବସି ଯାଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ଏ ନେଇ ଡିସିପିଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ କୌଣସି ଲାଭ ହୋଇ ନ ଥିଲା। ଏଣୁ ଏପରି ଠକ ବ‌ିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଓଡ଼ିଶା ସଚେତନ ପରିଷଦ ଦାବି କରିଛି। ଏଭଳି ନ ହେଲେ ପରିଷଦ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

ପୁଲିସ ସୂଚନା ମୁତାବକ, ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁରର ପ୍ରମୋଦିନୀ ସାହୁ ଖଣ୍ଡଗିରି ସୋମନାଥ ଭିଲ୍ଲାରେ ରହୁଥିଲେ। ସେ ନନ୍ଦନ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଥିଲେ। ତାଙ୍କ ସହ ଉଦୟକର ସାହୁଙ୍କ ପତ୍ନୀ ଅନୀତା ସ୍ୱାଇଁ ପାର୍ଟନର ସହ ସଂସ୍ଥାର ନିର୍ଦ୍ଦେଶିକା ମଧ୍ୟ ଥିଲେ। ଉଦୟକର ନୂଆପଲ୍ଲୀରେ ପୁରୁଷୋତ୍ତମ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ବିଲ୍ଡର ସଂସ୍ଥା କରିଥିଲେ। ୨୦୦୭ ମସିହାରୁ ଅନୀତା ପ୍ରମୋଦିନୀଙ୍କ ଜାଲ୍‌ ଦସ୍ତଖତ କରି ନନ୍ଦନ କମ୍ପାନି ଟଙ୍କାକୁ ଆତ୍ମସାତ କରିବା ଆରମ୍ଭ କରିଥିଲେ। ଗ୍ରାହକଙ୍କ ଠାରୁ ଟଙ୍କା ନେଇ ହଡ଼ପ କରି ଦେଇଥିଲେ। କେବଳ ଏତିକି ନୁହେଁ, ଜାଲ ଦସ୍ତଖତ ବଳରେ ନନ୍ଦନ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆକାଉଣ୍ଟ, ପ୍ରମୋଦିନୀ ସ୍ୱାମୀଙ୍କ ଆକାଉଣ୍ଟ ଓ ପୁରୁଷୋତ୍ତମ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଆକାଉଣ୍ଟରୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରି ନେଇଥିବା ଅଭିଯୋଗ ହୋଇଥିଲା। ଏଭଳି ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କା ଆତ୍ମସାତ କରିବା ପରେ ପ୍ରମୋଦିନୀଙ୍କ ଦ୍ବାରା ଧରାପଡ଼ି ଥିଲେ। ପ୍ରମୋଦିନୀ ଅନୀତାଙ୍କୁ ଟଙ୍କା ଫେରସ୍ତ ମାଗିବାରୁ ସେ ଆଉ ଧରାଛୁଆଁ ଦେଇ ନ ଥିଲେ। ଟଙ୍କା ମାଗିବାରୁ ଉଦୟକର ଓଲଟା ପ୍ରମୋଦିନୀଙ୍କୁ ଧମକ ଚମକ ଦେଇଥି‌ଲେ। ଏ ନେଇ ୨୦୧୭ ମସିହା ଜୁଲାଇ ୧୭ରେ ନୂଆପଲ୍ଲୀ ଥାନାରେ ଅଭିଯୋଗ ବି ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ପୂର୍ବରୁ ଏହି ମାମଲାରେ ପୁରୁଷୋତ୍ତମ ଇନ୍‌ଫ୍ରାଷ୍ଟ୍ରକ୍‌ଚର କର୍ମଚାରୀ ଜିତନ କୁମାର ସାହୁ ଓ ଅମୀୟ ସ୍ୱାଇଁଙ୍କୁ ପୁଲିସ ଗିରଫ କରିଥିଲା। ସେବେଠାରୁ ଉଦୟ ଫେରାର୍ ହୋଇ ଯାଇଥିଲା। ଗତ ୮ତାରିଖ ରାତିରେ ଉଦୟ ଗିରଫ ହୋଇଛି। ପତ୍ନୀ ଅନୀତା ସ୍ୱାଇଁ ଏବେ ବି ଫେରାର୍ ଅଛନ୍ତି।

ସମ୍ବନ୍ଧିତ ଖବର