ଦେଶରେ ଗୋଟିଏ ବିଦ୍ୟାଳୟରୁ ସର୍ବାଧିକ: ମାଟ୍ରିକ୍‌ ପରୀକ୍ଷା ଦେବେ କିସ୍‌ର ୧୬୦୦ ଛାତ୍ରଛାତ୍ରୀ 

ଭୁବନେଶ୍ୱର,: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌)ର ୧୬୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଗୋଟିଏ ବିଦ୍ୟାଳୟରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଦେଶରେ ପ୍ରଥମ ବୋଲି ଶିକ୍ଷାବିତ୍‌ମାନେ କହିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀମାନଙ୍କ ସହ ଆଦିମ ଜନଜାତି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ। ଚଳିତ ବର୍ଷ ସୌରା ଓ ଲାଞ୍ଜିଆ ସୌରା ଜନଜାତି ସମ୍ପ୍ରଦାୟର ସର୍ବାଧିକ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ଦେବେ। ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ଥିବା ୩୨ଟି ବିଦ୍ୟାଳୟରୁ ଯେତିକି ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି ସେହି ସମାନ ସଂଖ୍ୟକ ପିଲା କେବଳ କିସ୍‌ରୁ ହିଁ ପରୀକ୍ଷା ଦେବେ। କିସ୍‌ର ଛାତ୍ରଛାତ୍ରୀମାନେ ଭୁବନେଶ୍ୱରର ୩ଟି ପରୀକ୍ଷାକେନ୍ଦ୍ର ଯଥା ନିଳାଦ୍ରୀବିହାର, ୟୁନିଟ୍‌-୮ ଓ ଫକିରନଗର ବରମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। କିସ୍‌ରୁ ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି କିସ୍‌ ପକ୍ଷରୁ ୩୦ଟି ବସ୍‌ର ବନ୍ଦୋବସ୍ତ କରାଯାଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଅବ୍ୟବହିତ ପୂର୍ବରୁ ମଙ୍ଗଳବାର କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପରୀକ୍ଷାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ କଲମ ବଣ୍ଟନ କରିଥିଲେ। ପରୀକ୍ଷାରେ ପିଲାମାନଙ୍କ ସଫଳତା କାମନା କରି ଶ୍ରୀ ସାମନ୍ତ କହିଥିଲେ ଯେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଟ୍ରିକ୍‌ ପରୀକ୍ଷାରେ କିସ୍‌ର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିବେ ବୋଲି ଦୃଢ ଆଶା ଓ ବିଶ୍ୱାସ ରହିଛି।

ସମ୍ବନ୍ଧିତ ଖବର