ଅଡ଼ୁଆରେ ୧୪ ରିଅଲଇଷ୍ଟେଟ୍ ସଂସ୍ଥା

୬ ସଂସ୍ଥା ଉପରେ ଦିନିକିଆ ହିସାବରେ ଜରିମାନା, ୧୦ ସଂସ୍ଥା ମାଲିକଙ୍କୁ ହୋଇପାରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍

ଭୁବନେଶ୍ବର: ଓଡ଼ିଶାରେ କୌଣସି ରିଅଲଇଷ୍ଟେଟ୍ ପ୍ରକଳ୍ପ ନିର୍ମାଣ କରିବାକୁ ହେଲେ ଏଥିପାଇଁ ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ଓରେରା)ଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଓରେରାରେ ପ୍ରକଳ୍ପର ସମସ୍ତ ଡକୁମେଣ୍ଟ ଦାଖଲ କରିବା ସହ ଓରେରା ନିର୍ଦ୍ଦେଶାବଳୀ ଅନୁଯାୟୀ ହିଁ ନିର୍ମାଣ କାର୍ଯ୍ୟ କରିବାକୁ ପଡ଼ିବ। ଏପରିକି ରିଅଲ ଇଷ୍ଟେଟ୍ ସଂସ୍ଥା ଯଦି ଗ୍ରାହକଙ୍କୁ ଠକିବେ କିମ୍ବା ଧାର୍ଯ୍ୟ ସମୟ ସୀମାଠାରୁ ବିଳମ୍ବରେ ପ୍ରକଳ୍ପ ହସ୍ତାନ୍ତର କରିବେ, ତେବେ ଜରିମାନା ଦେବେ। କେବଳ ଏତିକି ନୁହେଁ, ୩ରୁ ୭ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବି ଭୋଗିବେ। ବିନା ଓରେରା ପଞ୍ଜୀକରଣରେ ‌ହେଉଥିବା ସମସ୍ତ ପ୍ରକଳ୍ପ ବେଆଇନ। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୬ ମସିହାରୁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଗାଇଡଲାଇନ୍ ଜାରି ହୋଇଛି। କିନ୍ତୁ ଏହାକୁ ନମାନି ବହୁ ସଂସ୍ଥା ପ୍ରକଳ୍ପ ନିର୍ମାଣ କରି ଚାଲିଛନ୍ତି। ଓରେରା କର୍ତ୍ତୃପକ୍ଷ ଏନେଇ ତାଗିଦ୍ କରିବା ପରେ ବି ପ୍ରକଳ୍ପ ପଞ୍ଜୀକରଣ କରିନାହାନ୍ତିି। କେବଳ ଏତିକି ନୁହେଁ କେତେକ ସଂସ୍ଥା ଓରେରାରେ ପଞ୍ଜୀକୃତ ହୋଇଥିଲେ ବି ଗାଇଡଲାଇନ୍‌ ମାନୁନାହାନ୍ତି। ଓରେରା ଯାହା ନିର୍ଦ୍ଦେଶ ଦେଉଛି, ତାହାକୁ ଖାତିର୍ କରୁନାହାନ୍ତି। ତେଣୁ ଓରେରା ୧୪ଟି ସଂସ୍ଥା ନାମରେ ମାମଲା ରୁଜୁ କରିଛି। ଓରେରାରେ ପ୍ରକଳ୍ପ ପଞ୍ଜୀକରଣ କରିନଥିବାରୁ ୧୦ଟି ରିଅଲଇଷ୍ଟେଟ୍ ସଂସ୍ଥାର ୧୦ଟି ପ୍ରକଳ୍ପ ଉପରେ ରେରା ନିୟମର ଧାରା-୫୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ସେହିପରି ଓରେରା ନିର୍ଦ୍ଦେଶ ମାନିନଥିବାରୁ ରେରା ନିୟମର ଧାରା ୬୩ ଅନୁଯାୟୀ, ୫ଟି ସଂସ୍ଥାର ୧୦ଟି ପ୍ରକଳ୍ପ ଉପରେ ମାମଲା ରୁଜୁ କରାଯାଇଛି। ଏହିପରି ମୋଟ୍ ୧୪ଟି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନେଇ ଓରେରା ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଧାରା ୫୯ରେ ପ୍ରକଳ୍ପ ପଞ୍ଜୀକରଣ କରିନଥିବା ସଂସ୍ଥାଗୁଡ଼ିକ ବି‌ରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ବିରୋଧରେ ରେରା ନିୟମର ଧାରା ୩ ଓ ୫୯ ଅନୁଯାୟୀ, ଯେଉଁ ପ୍ରକଳ୍ପ କରିଥିବେ ଓରେରା କର୍ତ୍ତୃପକ୍ଷ ତାହାର ମୂଲ୍ୟ ଆକଳନ କରି ୧୦% ଜରିମାନା ଆଦାୟ କରିବେ। ଏହାପରେ ଯଦି ଉକ୍ତ ସଂସ୍ଥା ଜରିମାନା ନଦିଅନ୍ତିି ତେବେ ସଂସ୍ଥାର ସତ୍ତ୍ବାଧିକାରୀଙ୍କୁ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ହେବ। ସେହିପରି ଯେଉଁ ସଂସ୍ଥା ଓରେରା ନିର୍ଦ୍ଦେଶ ମାନୁନାହାନ୍ତି, ସେମାନଙ୍କୁ ଦୈନିକ ଭିତ୍ତିରେ ଜରିମାନା ଆଦାୟ କରାଯିବ। ଏହା ପ୍ରକଳ୍ପ ମୂଲ୍ୟର ୫% ବି ହେବ କିମ୍ବା ଓରେରା କର୍ତ୍ତୃପକ୍ଷ ଯେତେ ଜରିମାନା ଧାର୍ଯ୍ୟ କରିବେ, ସେତେ ଆଦାୟ କରିପାରିବେ।

ସମ୍ବନ୍ଧିତ ଖବର