ନାଟକ ‘ଘାତ ପ୍ରତିଘାତ’ ମଞ୍ଚସ୍ଥ, ୧୫ ମହିଳାଙ୍କୁ ଆର୍ଯ୍ୟା ପୁରସ୍କାର

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ପରିଚୟ ଫାଉଣ୍ଡେସନ୍‌ ପକ୍ଷରୁ ଆର୍ଯ୍ୟା ପୁରସ୍କାର ପ୍ରଦାନ ଉତ୍ସବ ହୋଟେଲ କ୍ରାଉନ୍‌ରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ରୋଜାଲିନ୍‌ ପାଟ୍ଟଶାଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଶିଷ୍ଟ ସନ୍ତୁର୍‌ ବାଦକ ପଣ୍ଡିତ ଭଜନ ସପୋରି, ସିନେ ଅଭିନେତା ଆକାଶ ଦାସ, ପୁଲିସ୍‌ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୫ଜଣ ମହିଳାଙ୍କୁ ଆର୍ଯ୍ୟା ପୁରସ୍କାର ପ୍ରଦାନ କରାଯାଇଥିଲା।କାଶ୍ମୀରରୁ ଆସିଥିବା ପଦ୍ମଶ୍ରୀ ପଣ୍ଡିତ ଭଜନଲାଲ ସପୋରି ସନ୍ତୁର ବାଦନ କରି ସମସ୍ତଙ୍କୁ ବିମୋହିତ କରିଥିଲେ। ସେହିପରି କଟକ ବଡ଼ ମେଡିକାଲର କ୍ୟାନସର୍‌ ବିଶେଷଜ୍ଞ ଡାକ୍ତର ରଞ୍ଜିତା ଘଡ଼େଇ ଉପସ୍ଥିତ ମହିଳାମାନଙ୍କୁ କ୍ୟାନସର୍‌ ସମ୍ପର୍କରେ ସଚେତନ କରାଇଥିଲେ।

ଏହି ଅବସରରେ ନାଟକ ‘ଘାତ ପ୍ରତିଘାତ’ ମଞ୍ଚସ୍ଥ ହୋଇଥିଲା। ନାରୀ ଜନନୀ ସାଜି ସ୍ନେହର ରଜୁରେ ଦୁନିଆକୁ ବାନ୍ଧି ରଖିପାରେ, ପୁଣି ସେଇ ନାରୀ ରାଣୀ ଦିଦ୍ଦା ରୂପରେ ଯୋଦ୍ଧା ସାଜି ରାଜ୍ୟର ତ୍ରାଣକର୍ତା ସାଜିପାରେ। ସେ ଦେବୀ ସୀତାଙ୍କ ଭଳି ସର୍ବସଂହା ହୋଇପାରେ, ପୁଣି କମଳାଦେବୀ ଚଟ୍ଟୋପାଧ୍ୟାୟଙ୍କ ରୂପରେ ଦେଶର ସ୍ବାଧୀନତା ପାଇଁ ମଧ୍ୟ ଲଢ଼େଇ କରିପାରେ। ଇତିହାସ ପୃଷ୍ଠାର ସେଇଭଳି କିଂବଦନ୍ତି ନାରୀମାନଙ୍କ କଥା ବଖାଣିଥିଲା ଏହି ନାଟକ। ୱଣ୍ଡର୍‌ ଓମେନ୍‌ ତଥା ନାରୀ ଅଦ୍ବିତୀୟ ଗ୍ରୁପ ପକ୍ଷରୁ ମଣ୍ଡପରେ ମଂଚସ୍ଥ ଏହି ନାଟକରେ ବିଭିନ୍ନ ଜେନେରେସନ୍‌ର ମହିଳାମାନଙ୍କ କଥାର ଅବତାରଣା କରାଯାଇଥିଲା।

ସୁଜାତା ପ୍ରିୟଦର୍ଶିନୀ ଏହାର ପ୍ରଯୋଜନା, ରଚନା ଓ ନିର୍ଦେଶନା ଦେଇଥିଲେ। ନାରୀ ଅଦ୍ବିତୀୟ ଗ୍ରୁପ୍‌ର ସଭାନେତ୍ରୀ ଡ. ରାଜଲକ୍ଷ୍ମୀ ରଥଙ୍କ ତତ୍ତ୍ବାବଧାନରେ ମଂଚସ୍ଥ ଏହି ନାଟକରେ ବର୍ଷା ପଟ୍ଟନାୟକ, ଡ. ଇଶା ମିଶ୍ର, ଅନ୍ନପୂର୍ଣ୍ଣା ଦାଶ, ଗାର୍ଗୀ ଭଟ୍ଟାଚାର୍ଜୀ, ରେବତୀ ପାଣି, ଡ. ସଂଘମିତ୍ରା ଜେନା, ପ୍ରିୟଦର୍ଶିନୀ ସୌମିତ୍ରା ଲେଙ୍କା, ଡ. ସୁଚେତା ପ୍ରିୟଦର୍ଶିନୀ, ସୋନି ରଥ, ଡ. ଶ୍ରଦ୍ଧା ପାଢ଼ୀ, ଡ. ରିତା ତ୍ରିପାଠୀ ପତି ପ୍ରମୁଖ କିଂବଦନ୍ତି ମହିଳାଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର