ବିରାଜିବେ ମହାମାୟା: ସହିଦନଗରରେ ୨ କେଜି ଓଜନର ସୁନା ମୁକୁଟରେ ଝଟକିବେ ମା’

ଛନଛନ କାଶତଣ୍ଡୀ ମନ ହରିଲାଣି। ଶରତର ମୃଦୁ ମଳୟ ତନମନରେ ପାର୍ବଣର ରଙ୍ଗ ମାଖିଲାଣି। ମହାମାୟାଙ୍କୁ ସ୍ବାଗତ କରିବାକୁ ସଜେଇ ହେଲାଣି ପୂଜା ମଣ୍ଡପ। କିଣାକିଣି ପାଇଁ ଜମି ଆସିଲାଣି ବଜାର ଘାଟ। ଆଡ଼ମ୍ବର ସହକାରେ ମା’ଙ୍କୁ ଆବାହନ ପାଇଁ ସଜା ଚାଲିଛି ସୁଦୃଶ୍ୟ ତୋରଣ। ପୂଜା ଅନୁଷ୍ଠାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଘୋଷିତ ପ୍ରତିଯୋଗିତା। କାରିଗରଙ୍କୁ ଫୁର୍‌ସତ ନାହିଁ। ପୂଜା କମିଟିକୁ ତର ନାହିଁ। କୋଉ ପୂଜା ମଣ୍ଡପ‌ କେତେ ଚକ୍‌ମା ଦେଖେଇବ, ଏହା ଦେଖିବାକୁ ଲୋକେ ବି ଆତୁର ‌ହେଲେଣି। ସମଗ୍ର ରାଜଧାନୀରେ ୧୬୫ଟି ପୂଜା ମଣ୍ଡପରେ ମା’ ପୂଜା ପାଇବାକୁ ଯାଉଥିବା ବେଳେ ପୂଜାନୁଷ୍ଠାନର ପ୍ରସ୍ତୁତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା।

ଭୁବନେଶ୍ବର: ଚାନ୍ଦି ମେଢ଼ ସାଙ୍ଗକୁ ସୁନା ଅଳଙ୍କାରରେ ସଜେଇ ହୋଇ ଦର୍ଶନ ଦେବେ ମା’। ମା’ଙ୍କ ସାଜସଜାକୁ ଗୁରୁତ୍ବ ଦେଇ ଚଳିତ ବର୍ଷ ମା’ଙ୍କୁ ସୁନା ମୁକୁଟ ପିନ୍ଧାଇବାକୁ ଯୋଜନା କରିଛି ସହିଦନଗର ଦୁର୍ଗାପୂଜା କମିଟି। ୨ କେଜି ଓଜନ ବିଶିଷ୍ଟ ଏହି ସୁନା ମୁକୁଟ ଖିମ୍‌ଜି ଜୁଏଲାରିରେ ନିର୍ମିତ ହେଉଛି। କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଓ ଦୀର୍ଘ ବର୍ଷ ପୂଜା ଖର୍ଚରୁ ବଳାଇ ରଖାଯାଇଥିବା ଅର୍ଥରେ ସୁନା ମୁକୁଟ ପ୍ରସ୍ତୁତ କରାଯାଇଛି। ଚଳିତ ବର୍ଷ ପୂଜା ୪୧ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ସହିଦନଗରରେ ଲକ୍ଷ୍ନୌ ରାଜପ୍ରାସାଦର ଅନୁଭବ ମିଳିବ। ୭୦ ଫୁଟ ଉଚ୍ଚ ଓ ୧୨୦ ଫୁଟ ଓସାର ବିଶିଷ୍ଟ ଏହି ତୋରଣ ନିର୍ମାଣରେ କୋଲକାତା କଣ୍ଟାଇର ୩୫ ଜଣ କାରିଗର ନିୟୋଜିତ ହୋଇଛନ୍ତି। ଅସୀମ ମାଇତିଙ୍କ ତତ୍ତ୍ବାବଧାନରେ ଫାଇବର, ବତୀ ଓ ପ୍ଲାଏରେ ତୋରଣ ନିର୍ମିତ ହେଉଛି। କଟକର ଲକ୍ଷ୍ମୀଧର ରଣା ଓ ସାଥୀମାନେ ମୃଣ୍ମୟୀ ମୂର୍ତି ନିର୍ମାଣରେ ନିୟୋଜିତ ହୋଇଛନ୍ତି।

ସେବା ଯୋଗାଇବେ ୧୦୦ ସ୍ବେଚ୍ଛାସେବୀ
ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦିଗରେ ଧ୍ୟାନ ଦେବାକୁ ୧୬ଟି ସିସିଟିଭି ଖଞ୍ଜାଯିବ। ମହିଳାଙ୍କ ସୁରକ୍ଷା ନିମନ୍ତେ ମହିଳା ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। କମିସନରେଟ୍‌ ପୁଲିସ ପକ୍ଷରୁ ଆବଶ୍ୟକ ମୁତାବକ ପୁଲିସ ଖଞ୍ଜାଯିବା ସହ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଘରୋଇ କମ୍ପାନିର ସୁରକ୍ଷାକର୍ମୀ ନିୟୋଜିତ ହେବେ। ଏଥିସହ ପୂଜା କମିଟିର ୧୦୦ ଜଣ ସ୍ବେଚ୍ଛାସେବୀ ମଧ୍ୟ ଶ୍ରଦ୍ଧାଳୁଙ୍କୁ ସେବା ଯୋଗାଇ ଦେବେ।
ଡାକ୍ତର ଜଗନ୍ନାଥ ମହାପାତ୍ର (ମୁଖ୍ୟ ଉପଦେଷ୍ଟା)

ମଂଚରେ ଜାଗରଣ କାର୍ଯ୍ୟକ୍ରମ
ମନୋରଂଜନ ପାଇଁ ପୂଜା ପଡ଼ିଆ ପରିସରରେ ଦୋଳି ଖଞ୍ଜାଯିବା ସହ ଚଟପଟି ଖାଦ୍ୟର ପସରା ଖୋଲିବ। ସ୍ବର୍ଣ୍ଣ ମହନ୍ତ ଓ ସାଥୀ ଜାଗରଣ କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନୋରଂଜନ କରିବେ। କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ସୁଧାକର, ଇପ୍ସିତା ପଣ୍ଡା, ପ୍ରଶାନ୍ତ ପାଢ଼ୀ, ଅନସୂୟା ନାଥ, ଜଗବନ୍ଧୁ ମୁଦୁଲି ଓ ଅନ୍ୟ କଣ୍ଠଶିଳ୍ପୀମାନେ ଭଜନ ଭେଟିଦେବେ।
ନାରାୟଣ ମହାପାତ୍ର (ସମ୍ପାଦକ)

ସମ୍ବନ୍ଧିତ ଖବର