ରାଜଧାନୀରେ ବୁଲୁଛି ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି, ଯାଞ୍ଚ ପାଇଁ ସିପିଙ୍କ ନିର୍ଦେଶ

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ୍‌ ଲାଗୁ ପରେ ସାରା ରାଜ୍ୟରେ ଟ୍ରାଫିକ୍‌ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯିବା ସହ ନିୟମକୁ କଡ଼ାକଡ଼ି ଲ‌ାଗୁ ପାଇଁ ପଦକ୍ଷେପମାନ ନିଆଯାଇଛି। ଏତେ ସତ୍ତ୍ବେ ଲୋକମାନେ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ନିୟମ ଉଲଂଘନ କରୁଛନ୍ତି। ଖୋଦ୍‌ ରାଜଧାନୀରେ ଗୋଟିଏ ନମ୍ବରରେ ଦୁଇ ଦୁଇଟି ଟାଟା ଏସ୍‌(ଓଡି-୦୨-ସି-୨୫୯୯) ବୁଲୁଥିବା ଏହାକୁ ବୟାନ କରୁଛି। ନିୟମକୁ ତିଳେମାତ୍ର ଖାତିର ନ କରି ଦୀର୍ଘଦିନ ହେବ ବ୍ୟକ୍ତି ଜଣଙ୍କ ଗାଡ଼ିକୁ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟରେ ଲଗାଇଛନ୍ତି।

ଏହାଛଡ଼ା ତାଙ୍କର ଏଭଳି ଗୋଟିଏ ନମ୍ବରରେ ଆଉ କେତେକ ଗାଡ଼ି ଚାଲିଥିବା ଖବର ମିଳିଛି। ଗାଡ଼ି ଗୁଡ଼ିକ ରାଜଧାନୀ ରାସ୍ତାରେ ଚାଲୁଥିଲେ ମଧ୍ୟ ନା ପରିବହନ ବିଭାଗ ନା ଟ୍ରାଫିକ୍‌ କାହାରି ଆଖିରେ ପଡ଼ୁ ନ ଥିଲା। ନୀହାର ରଂଜନ ରାଉତ ନାମକ ସଚେତନ ନାଗରିକ ତାଙ୍କ ଟ୍ବିଟର୍‌ ହାଣ୍ଡେଲ୍‌ରେ ଗାଡ଼ିଗୁଡ଼ିକର ଫଟୋକୁ ଅପଲୋଡ୍‌ କରି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟ ପରିବହନ ନିଗମ, ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ୍‌ କରିଛନ୍ତି। ସେ ଟ୍ୟାଗ୍‌ କରିବାର କିଛି ସମୟ ପରେ ସିପି ଶ୍ରୀ ଷଡ଼ଙ୍ଗୀ ଘଟଣାର ତଦନ୍ତ ପାଇଁ ଟ୍ରାଫିକ୍‌ ଡିସିପି ନାଥଙ୍କୁ ନିର୍ଦେଶ ଦେଇଛନ୍ତି। ନିର୍ଦେଶ ପରେ ଡିସିପି ନାଥ ଗାଡ଼ି ଗୁଡ଼ିକୁ ଚିହ୍ନଟ କରିବା ପାଇଁ ଟ୍ରାଫିକ୍‌ ଏସିପି ଓ ଆଇଆଇସିଙ୍କୁ କହିଛନ୍ତି। ବ୍ୟକ୍ତି ଜଣଙ୍କ କିଏ? ନମ୍ବର ଫେକ୍‌ ନୁହେଁ ତ? ଗାଡ଼ି ଗୁଡ଼ିକ ଚୋରା ନୁହେଁ ତ? ଆଦି ବିଭିନ୍ନ ଦିଗରୁ ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମିତିକି ଗାଡ଼ି ଗୁଡ଼ିକ ଯାଉଥିବା ସ୍ଥାନର ସିସିଟିଭି ଫୁ‌ଟେଜ୍‌ ଯାଞ୍ଚ କରାଯାଉଛି। ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଟ୍ରାଫିକ୍‌ ଡିସିପି କହିଛନ୍ତି।

ସମ୍ବନ୍ଧିତ ଖବର