୨୪ ଘଣ୍ଟିଆ ନିଶୁଳ୍କ ଆତ୍ମହତ୍ୟା ସୁରକ୍ଷା ଲାଇଫ୍‌ ଲାଇନ୍ ସେବା ଉଦ୍‌ଘାଟିତ

ଭୁବନେଶ୍ୱର: ପିପୁଲ୍ସ ଫୋରମ୍‌ ପକ୍ଷରୁ ୨୪ ଘଣ୍ଟିଆ ଏକ ନିଶୁଳ୍କ ଆତ୍ମହତ୍ୟା ସୁରକ୍ଷା ଲାଇଫ୍‌ ଲାଇନ୍‌ (ନମ୍ବର ୧୮୦୦-୧୨୦-୨୨-୩୩୩୩) ସେବା ଆରମ୍ଭ ହୋଇଛି। ଏହି ଅବସରରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଲିଉଡ୍‌ ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର, ପ୍ରଫେସର୍‌ ନୀଳମାଧବ ରଥ, ଆଶ୍ରା ମୁମ୍ବାଇର ପ୍ରତିଷ୍ଠାତା ଜଙ୍କସନ୍‌ ଥୋମାସ୍‌, ସିଷ୍ଟର୍‌ ଲିଭିଂର ପ୍ରତିଷ୍ଠାତା କେତକୀସଙ୍ଗବି ପ୍ରମୁଖ ଯୋଗଦେଇ ଏହି ହେଲ୍ପ-ଲାଇନ୍‌କୁ ଉଦ୍‌ଘାଟନ କରିଥିଲେ। ଫୋରମ୍‌ର ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଯୋଗଦେଇ କହିଲେ, ମାନସିକ ଶାନ୍ତି ହଜିଗଲେ ମଣିଷ ମାନସିକ ଅବସାଦର ଶିକାର ହୁଏ। ଜୀବନ କ’ଣ ବୁଝିପାରେ ନାହିଁ। ଜୀବନକୁ ଶେଷ କରିଦେବାକୁ ପଛାଏ ନାହିଁ। ସଂପ୍ରତି କରୋନା ମହାମାରୀ ସମୟରେ ଆତ୍ମହତ୍ୟାପ୍ରବଣତା ଉଗ୍ରରୂପ ନେଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଫୋରମ୍‌ ପକ୍ଷରୁ ଏପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିବା ବ୍ୟକ୍ତିମାନଙ୍କୁ ଏହି ଲାଇଫ୍‌ ଲାଇନ୍‌ ସେବା ଆତ୍ମହତ୍ୟାରୁ ନିବୃତ୍ତ କରିବା ସହ ସେମାନଙ୍କ ମଧ୍ୟରେ ଏକ ନୂଆ ଜୀବନର ଆଶା ସଂଚାର କରିବାରେ ସହାୟକ ହେବ। ଏହି ନିଶୁଳ୍କ ଲାଇଫ୍‌ ଲାଇନ୍‌ ନମ୍ବରକୁ ବ୍ୟାପକ ଓ ବହୁଳ ପ୍ରଚାର ପାଇଁ ସେ ବିଭିନ୍ନ ଗଣମାଧ୍ୟମ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ଓ ପୁଲିସ୍‌ ପ୍ରଶାସନର ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର