୨୬ ହଜାର ଟପିଲା ରାଜଧାନୀ: ଦିନକରେ ୨୮୧ ପଜିଟିଭ୍‌ ୩ ମୃତ

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମଣ ୨୬ହଜାର ଟପିଛି। ଗତ ୨୪ ଘଣ୍ଟାରେ ୨୮୧ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୬,୦୧୬କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାର ୫୯ପ୍ରତିଶତ କରୋନା ରୋଗୀ କେବଳ ଭୁବନେଶ୍ବରରୁ ହିଁ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ହେବ ରାଜଧାନୀରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ଶହ ତଳକୁ ରହିଛି।

ଅପରପକ୍ଷରେ ରାଜଧାନୀରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗତ ୧୩ ଦିନରେ ରାଜଧାନୀରେ ୨୬ ଜଣ କରୋନାରେ ପ୍ରାଣ ହରାଇ ସାରିଛନ୍ତି। ଆଜି ୩ଜଣଙ୍କ ମୃତ୍ୟୁ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ୩ଜଣ ପୁରୁଷ ଥିବା ବେଳେ ସେମାନଙ୍କ ବୟସ ୩୮, ୭୦ ଓ ୮୭ ବର୍ଷ ରହିଛି। ସମୁଦାୟ ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି। ରାଜ୍ୟ ତଥା ରାଜଧାନୀର ପ୍ରଥମ ମୃତ୍ୟୁ ଏପ୍ରିଲ ୭ ତାରିଖରେ ହୋଇଥିଲା। ୨୮୧ ରୋଗୀଙ୍କ ମଧ୍ୟରେ ୮୯ଜଣ ସଙ୍ଗରୋଧରୁ ଓ ୧୯୨ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମିତରେ ଝାରପଡ଼ା, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ନହରକଣ୍ଟା, ମେଘେ‌ଶ୍ବର କଲୋନି, ପଳାଶୁଣୀ, ପଟିଆ, ପାତ୍ରପଡ଼ା, କପିଳ ପ୍ରସାଦ, କଳ୍ପନା ଛକ, କଳିଙ୍ଗ ନଗର ଓ ଅନ୍ୟ ଅଞ୍ଚଳରୁ ପୁଳାପୁଳା ଆକ୍ରାନ୍ତ ରହିଛନ୍ତି। ସଙ୍ଗରୋଧରୁ ଚନ୍ଦ୍ରଶେଖରପୁର, ବମିଖାଲ, ଜୟଦୁର୍ଗାନଗର, ଲିଙ୍ଗରାଜ ବିହାର, ୟୁନିଟ୍‌-୯, ଖଣ୍ଡଗିରି, ନୀଳାଦ୍ରି ବିହାର, ନନ୍ଦନ ବିହାର ଓ ଅନ୍ୟ ଅଞ୍ଚଳରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ପଟେ ରାଜଧାନୀରେ ସଂକ୍ରମଣ ଖସିଥିବା ବେଳେ ସୁସ୍ଥ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତକାଲି ୩୧୫ ରୋଗୀ ସୁସ୍ଥ ହେବା ପରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୨,୫୨୫କୁ ବୃଦ୍ଧି ପାଇଛି। ଏବେ ୩୩୪୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର