ଶିଶୁକୁ ନିର୍ବୋଧ ଭାବି ସାହିତ୍ୟ ଲେଖା ନ ଯାଉ

ଝୁମୁକାର ୩୧ତମ ସାରସ୍ୱତ ସମାରୋହ

ଭୁବନେଶ୍ୱର : ସାହିତ୍ୟ ଦୁଇ ପ୍ରକାରର। ଏକ ଆଇନା ଭଳି, ଯେଉଁଥିରେ କେବଳ ନିଜର ହିଁ ପ୍ରତିବିମ୍ବ ଦେଖାଯାଏ। ଅନ୍ୟଟି ସ୍ୱଚ୍ଛ କାଚ ଭଳି। ଯାହା ମାଧ୍ୟମ ଦେଇ ଜଗତକୁ ଦେଖିହୁଏ। ସାହିତ୍ୟରେ ଜଗତ ନ ଦେଖାଗଲେ ଏହା ସର୍ବତ୍ର ଗ୍ରହଣୀୟ ହୋଇପାରିବ ନାହିଁ। ପ୍ରତି କାନ୍ଥରେ ଝରକାଟିଏ ଖୋଲିବାର ସମ୍ଭାବନା ଥିବା ଭଳି ପ୍ରତି ଶିଶୁ ଭିତରେ ଦେବତ୍ୱକୁ ଉତ୍ତୋଳିତ ବା ସଇତାନକୁ ଜାଗ୍ରତ କରିବାର ସମ୍ଭାବନା/ଆଶଙ୍କା ଥାଏ। ମା’, ବାପାଙ୍କ ପରେ ପ୍ରାଥମିକ ଶିକ୍ଷକ ଭଳି ଶିଶୁ ସାହିତ୍ୟ ଏହି ଦାୟିତ୍ୱ ତୁଲାଇଥାଏ। ତେଣୁ ଶିଶୁକୁ ନିର୍ବୋଧ ଭାବି ସାହିତ୍ୟ ଲେଖିଲେ ଏହା ସେମାନଙ୍କୁ ସ୍ପର୍ଶ କରିପାରବ ନାହିଁ। ଆଜି ରାଜ୍ୟ ଅଭିଲେଖାଗାରଠାରେ ଆୟୋଜିତ ଶିଶୁ-କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ର ୩୧ତମ ସାରସ୍ୱତ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହା କହିଛନ୍ତି ବିଶିଷ୍ଟ କଥାକାର ଗୌରହରି ଦାସ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର କହିଲେ, ବର୍ତ୍ତମାନ ସମୟରେ ଶିଶୁ ସାହିତ୍ୟର ଅଧିକ ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏଥିରେ ସମ୍ମାନିତ ଅତିଥି ଭାବେ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ଉପସ୍ଥିତ ଥିଲେ। ପ୍ରଫେସର ସଂଘମିତ୍ରା ମିଶ୍ରଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ଉତ୍ସବରେ ଶିଶୁ ସାହିତ୍ୟିକ ଦିଗରାଜ ବ୍ରହ୍ମାଙ୍କୁ ‘ଝୁମୁକା ପୁରସ୍କାର-୨୦୧୭’ ପ୍ରଦାନ କରାଯାଇଥିଲା। ଝୁମୁକା ପୃଷ୍ଠାର ସଫଳ ସ୍ରଷ୍ଟା ରେଖା ଦାସ ଓ ଚନ୍ଦ୍ରିକା ପଣ୍ଡାଙ୍କୁ ‘ଝୁମୁକା ସାରସ୍ୱତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ‘ଝୁମୁକା’ର ସମ୍ପାଦକ ମାନସ ରଞ୍ଜନ ସାମଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ପରିଚାଳନା ନିର୍ଦ୍ଦେଶିକା ସୁଜାତା ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର