ଦିନକରେ ୩୩୨ ପଜିଟିଭ୍: ୮ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା, ୪୮ % ସ୍ଥାନୀୟ ସଂକ୍ରମିତ

ଭୁବନେଶ୍ବର: ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ହଜାର ନିକଟତର ହୋଇଛି। ଗତ ୨୪ ଘଣ୍ଟାରେ ୩୩୨ ପଜିଟିଭ୍ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୭୯୩୧ରେ ପହଞ୍ଚିଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୪୮ପ୍ରତିଶତ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଫଳରେ ରାଜଧାନୀରେ ସଙ୍ଗରୋଧରୁ ଚିହ୍ନଟ ରୋଗୀଙ୍କ ସଂଖ୍ୟା ସହିତ ସ୍ଥାନୀୟ ଆକ୍ରାନ୍ତ ପ୍ରାୟତଃ ସମାନ ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ସଙ୍ଗରୋଧରୁ ଚିହ୍ନଟ ୧୭୩ଆକ୍ରାନ୍ତଙ୍କ ମଧ୍ୟରେ ୭ମ ବାଟାଲିଅନ୍‌ର ୧୩ଜଣ ରହିଛନ୍ତି। ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ହିଁ ଏହି ସମସ୍ତ ରୋଗୀ ଆସିଥିବା ଜଣାପଡ଼ିଛି। ସେହିପରି ଝାରପଡ଼ା ଜଗନ୍ନାଥ ନଗରରୁ ୧୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ ୪ବର୍ଷର ଶିଶୁ ରହିଛି। ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୬ଜଣ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ୍ ଭରତପୁର ଅଞ୍ଚଳରୁ ୬, ଜୟଦେବ ବିହାରରୁ ୫, ନୂଆପଲ୍ଲୀ ଓ ସାଲିଆସାହି ଆଦିବାସୀ ଗାଁରୁ ୪ଜଣ ଲେଖାଏଁ, ଘରୋଇ ହସ୍ପିଟାଲର ୩ଜଣ କର୍ମଚାରୀ ରହିଛନ୍ତି। ଏହାବାଦ୍ କିଛି ବସ୍ତି ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଅପରପକ୍ଷରେ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଆକ୍ରାନ୍ତ ବସ୍ତି ଅଞ୍ଚଳରୁ ରହିଛନ୍ତି। ଏ‌ହାବାଦ୍ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ବ୍ୟାଙ୍କର ୩ଜଣ କର୍ମଚାରୀ, ପୁଲିସ କମର୍ଚାରୀ ସମେତ ୧୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଏବେ ସୁଦ୍ଧା ୪୭୨୬ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୩୧୬୨ଙ୍କ ଚିକିତ୍ସା ଚାଲିଛି। ଆଜି ପର୍ଯ୍ୟନ୍ତ କରୋନାରେ ୩୪ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର