୩୫ ଓଡ଼ିଆ ଯୁବକଙ୍କୁ ତାମିଲନାଡ଼ୁରେ ନିର୍ଯାତନା: ଭାଇରାଲ୍ ଭିଡିଓ ଦେଖି ଉଦ୍ଧାର କଲେ ସବ୍ୟସାଚୀ

ସହଯୋଗ କଲା ଓଡ଼ିଶା ପୁଲିସ ଓ ଶ୍ରମ ବିଭାଗ ଦୁଇ ଦିନ ହେଲା ଖାଇବାକୁ ନ ଦେଇ ମାଡ଼ ମାରୁଥିଲା ଠିକାଦାର

ଭୁବନେଶ୍ବର: କିଛି ଓଡ଼ିଆ ଯୁବକଙ୍କୁ ଜଣେ ବ୍ୟକ୍ତି ନିସ୍ତୁକ ମାଡ଼ ମାରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଭିଡିଓରେ ଜଣାପଡ଼ିଥିଲା ଯେ ତାମିଲନାଡ଼ୁରେ ଜଣେ ଠିକାଦାର ସେମାନଙ୍କୁ କାମ କରାଇବାକୁ ନେଇଥିଲା। କିନ୍ତୁ ବର୍ତ୍ତମାନ ସେଠାରେ ଲକ୍‌ଡାଉନ୍ ଚାଲିଥିବାରୁ ସେମାନଙ୍କୁ କାମ ନ ଦେଇ ମାଡ଼ ମାରୁଛି। ଜଣେ ଯୁବକ ଏହି ଭିଡିଓକୁ ଟ୍ବିଟରରେ ଅଭିନେତା ସବ୍ୟସାଚୀଙ୍କୁ ଟ୍ୟାଗ୍‌ କରି ସହାୟତା ମାଗିଥିଲେ। ସବ୍ୟସାଚୀ ମଧ୍ୟ ବିଳମ୍ବ କରି ନ ଥି‌ଲେ। ସେ ତୁରନ୍ତ ତାମିଲନାଡ଼ୁ ପୁଲିସ୍ ଡିଜି ଜେକେ ତ୍ରିପାଠୀଙ୍କୁ ଯୋଗାଯୋଗ କରି ସହାୟତା ମାଗିଥିଲେ। ‌ଶେଷରେ ଓଡ଼ିଶା ପୁଲିସ ଓ ଶ୍ରମ ବିଭାଗ ସହାୟତାରେ ୩୫ ଜଣ ଓଡ଼ିଆ ଯୁବକଙ୍କୁ ଠିକାଦାର କବଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ସ୍ଥାନୀୟ ପୁଲିସ ସଂପୃକ୍ତ ଠିକାଦାରକୁ ମଧ୍ୟ ଗିରଫ କରିଛି।

ଆଉ ଉଦ୍ଧାର ହେବା ପରେ ଏହି ଯୁବକମାନେ ସେମାନଙ୍କ ଦୁଃଖଭରା କାହାଣୀ ବଖାଣିଛନ୍ତି। ଭଦ୍ରକ ଜିଲ୍ଲାର ଯୁବକ ମୁନ୍ନାଙ୍କ କହିବା ମୁତାବକ କିଛି ମାସ ତଳେ କରୋନାର ପ୍ରକୋପ ସାମାନ୍ୟ କମିବା ପରେ କାମ କରିବା ପାଇଁ ଭଦ୍ରକରୁ ସେମାନେ ପ୍ରାୟ ୩୫ ଜଣ ତାମିଲନାଡ଼ୁ ଯାଇଥିଲେ। ସେଠାରେ ଜଣେ ତାମିଲ୍ ଠିକାଦାର କାମ ଦେବ ବୋଲି କହି ତାଙ୍କୁ ଆଣି ରଖିଥିଲା। ପୂର୍ବରୁ ବେଳେ ବେଳେ ସାମାନ୍ୟ କଥାରେ ମାଡ଼ ମାରୁଥିଲା। ମାତ୍ର ରାଜ୍ୟରେ ଯେତେବେଳେ ଲକ୍‌ଡାଉନ୍ ଆରମ୍ଭ ହୋଇଗଲା, ସେମାନଙ୍କ ଯନ୍ତ୍ରଣା ବଢ଼ିଗଲା। କଥା କଥାକେ ମାଡ଼ ମାରିବା ସହ ସେମାନଙ୍କ ଠାରୁ ମୋବାଇଲ୍ ଛଡ଼ାଇ ନେଇଥିଲା। ଏବେ ଯେଉଁ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି, ତାହା ଦୁଇଦିନ ତଳର ବୋଲି ମୁନା କହିଛନ୍ତି।

ଦୁଇଦିନ କାଳ ଅଖିଆ ଅପିଆ ନିସ୍ତୁକ ମାଡ଼ ସାଙ୍ଗକୁ ମାନସିକ କଷ୍ଟ ଭୋଗିବା ପରେ ନର୍କ ଯନ୍ତ୍ରଣାରୁ ଉଦ୍ଧାର ପାଇଛନ୍ତି ଏହି ୩୫ ଓଡ଼ିଆ ଯୁବକ। ଓଡ଼ିଆ ପୁଲିସ୍ ଓ ଶ୍ରମିକ ବିଭାଗର ସହଯୋଗରେ ସବ୍ୟସାଚୀ ଯୁବକଙ୍କୁ ଉଦ୍ଧାର କରିଥିବା କହିଛନ୍ତି। ଯୁବକମାନେ ଏବେ ଟି-୧୩ କୁନ୍ରଥୁର୍ ପୁଲିସ୍ ସହାୟତାରେ ଆଶ୍ରୟସ୍ଥଳରେ ରହିଛନ୍ତି। ତାମିଲନାଡ଼ୁରେ ଓଡ଼ିଆ ସମାଜସେବୀ ବିଭୂତି ବିଷୋୟୀ ଓ ସ୍ମାଇଲ୍‌ ଫୋର୍ସର ସଦସ୍ୟ ନବୀନ ଭଣ୍ଡାରେ ଏହି ଯୁବକମାନଙ୍କ ପାଇଁ ଖାଦ୍ୟପେୟ ଯୋଗାଡ଼ କରିବା ସହିତ ଓଡ଼ିଶ‌ା ଫେରିବା ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ତତ୍ବାବଧାନରେ ରହିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର