୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଉଦ୍‌ଘାଟିତ: ‘ପ୍ରତି କ୍ଷେତ୍ରରେ ଉନ୍ନତି କରିଛି ଭୁବନେଶ୍ବର’

ପରେଡ୍‌‌ରେ ଦୁଲୁକିଲା ପିଏମ୍‌ଜି ଛକ

ଭୁବନେଶ୍ୱର : ମାତ୍ର ୧୫ ହଜାର ଜନସଂଖ୍ୟାକୁ ଆଖି ଆଗରେ ରଖି ପ୍ରତିଷ୍ଠା ହୋଇଥିବା ରାଜଧାନୀର ଜନସଂଖ୍ୟା ୧୫ ଲକ୍ଷରେ ପହଞ୍ଚିଲାଣି। ଆଜି ଭୁବନେଶ୍ୱର ଭାରତବର୍ଷର ଶ୍ରେଷ୍ଠ ସହର ମଧ୍ୟରେ ପରିଗଣିତ ହେଉଛି। ସମଗ୍ର ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟର ରାଜନୈତିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ଥିବା ଏହି ସହର ଆଜି ସ୍ପୋର୍ଟସ୍‌ କ୍ୟାପିଟାଲ୍‌ ଭାବେ ପରିଚିତି ହାସଲ କରିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଭିତ୍ତିଭୂମି ଉନ୍ନୟନ ଆଦି ସମସ୍ତ କ୍ଷେତ୍ରରେ ଅନ୍ୟ ରାଜ୍ୟଙ୍କ ପାଇଁ ମାଇଲ୍‌ଖୁଣ୍ଟ ସାଜିଛି। ୨୦୧୬ ମସିହାରେ ଭୁବନେଶ୍ୱରକୁ ଦେଶର ସ୍ମାର୍ଟ ସହର ଭାବେ ବଛାଯିବା ପ୍ରତ୍ୟେକଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆଗାମୀ ଦିନରେ ଏହି ‘କ୍ୟାପିଟାଲ୍‌ ସିଟି’କୁ ଆହୁରି ସମୃଦ୍ଧ ଓ ପ୍ରଗତିଶୀଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ା ବୋଲି କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଆଜି ସକାଳେ ପିଏମ୍‌ଜି ଛକରେ ତିନିଦିନିଆ ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହକୁ ଉଦ୍‌ଘାଟନ କରିବା ଅବସରରେ ସେ ଏହା ପ୍ରକାଶ କରିବା ସହ ସମ୍ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଛନ୍ତି।

ଅନ୍ୟତମ ଅତିଥି ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ପାଇଁ ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ସମେତ ଅନ୍ୟ ବରପୁତ୍ରମାନଙ୍କ ଯୋଗଦାନକୁ ମନେ ପକାଇ ଦେଇଥିଲେ। ଅନ୍ୟତମ ଅତିଥି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ, ଏକ ଐତିହାସିକ ପୃଷ୍ଠଭୂମିରେ ରାଜଧାନୀ ଗଢ଼ା ହେବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କର ସହରର ବିକାଶରେ ଅବଦାନ ରହିଛି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ(ଉତ୍ତର) ସୁଶାନ୍ତ କୁମାର ରାଉତ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ କହିଥିଲେ ଯେ ସମସ୍ତଙ୍କ ମିଳିତ ଉଦ୍ୟମରେ ରାଜଧାନୀର ବିକାଶ ଘଟିବ।

ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର୍‌ ଅନୁ ଗର୍ଗ, ପୁଲିସ କମିସନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇଥିଲେ। ମେୟର ସୁଲୋଚନା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଦେଇଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଓ ସାଧାରଣ ସଂପାଦକ ସନତ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ବେସାମରିକ ପରେଡ୍‌ରେ ଭୁବନେଶ୍ୱରର ୧୮ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଓଏସ୍‌ଏପି ସପ୍ତମ ବାଟାଲିୟନ୍‌ର ବ୍ୟାଣ୍ଡ, ସିଆର୍‌ପିଏଫ୍‌ ବ୍ୟାଣ୍ଡ, ସୈନିକ ସ୍କୁଲ ବ୍ୟାଣ୍ଡ, ଓଡ଼ିଶା ସ୍କେଟିଙ୍ଗ ଏକାଡେମି ଓ ମହର୍ଷି କଲେଜର ଡେୟାର ଡେଭିଲ୍ସ ଟିମ୍‌ ଯୋଗ ଦେଇଥିଲେ। ପରେଡ୍‌କୁ ସୁଷମା ମହାନ୍ତି ପରିଚାଳନା କରିଥିଲେ।

ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ବିଭିନ୍ନ ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷୟିତ୍ରୀ ରତ୍ନମଞ୍ଜରୀ ଦାଶ, ଡାକ୍ତର ବିଜୟ କୁମାର ମିଶ୍ର, ସେବିକା ପୁଷ୍ପଲତା ମହାନ୍ତି, କ୍ରୀଡ଼ାବିତ୍‌ ବାପି ହାଁସଦା, ଟ୍ରାଫିକ୍‌ କନେଷ୍ଟବଳ ରିନୁ ମିଞ୍ଜ, ସଫେଇ କର୍ମଚାରୀ ପୂଜା ସିଂ, ବେଷ୍ଟ ଷ୍ଟାର୍ଟ-ଅପ୍‌ ପାଇଁ ପ୍ରିୟଦର୍ଶୀ ମହାପାତ୍ର, ବୈଜ୍ଞାନିକ କୁଳମଣି ପରିଡ଼ା, କଳାକାର ବିନୋଦ ମହାରଣା, ଶିଳ୍ପପତି ପ୍ରବୋଧ ମହାନ୍ତି, ଅଭିନେତା ବିନାୟକ ମିଶ୍ର, ସାମାଜିକ କର୍ମୀ ଯୁଧିଷ୍ଠିର ସାହୁ ଓ ସଂଗୀତକାର ବିଜୟ କୁମାର ଜେନା ପ୍ରମୁଖ ୧୩ ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା। ମନ୍ତ୍ରୀ ପ୍ରଦୀପ ଅମାତ, ଅଶ୍ବିନୀ କୁମାର ପାତ୍ର, ମେୟର ସୁଲୋଚନା ଦାସ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ ଓ କମିସନର ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ୭୫ ବର୍ଷ ପାଳନକୁ ନେଇ ଏକ କଫି ଟେବୁଲ୍‌ ବୁକ୍‌ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର